ପୁରୀ ୨୪/୦୬: ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ଘଟଣା । ରିପୋର୍ଟ ତଲବ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିରରୁ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତଦନ୍ତରେ ଯିଏ ବି ସ୍କାନରକୁ ଆସିବ ସେ ନିଶ୍ଚୟ ଦଣ୍ଡ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଭଗବାନଙ୍କୁ ଲାଗି ହେବାକୁ ଥିବା ମୋଦକକୁ ଗଣାଯାଏନି ।
ସେପଟେ ଘଟଣାକୁ ନେଇ ଉତ୍ତର ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମୁଖ୍ୟ ପ୍ରଶାସକ କହିଛନ୍ତି ବଡ ବାଡଗ୍ରାହୀ ଆମକୁ ଘଟଣା ନେଇ ଚିଠି ଲେଖିଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଛି । ତାର ତଦନ୍ତ ରିପୋର୍ଟ ବି ଆମେ ମାଗିଛୁ । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କୌଣସି ବୈଦ୍ୟ ସେବକ ଗାରଦରେ ନେଇ ଦିଅନ୍ତି, ସେତେବେଳେ ସେଇ ଅମଣିଆ ଦଶମୂଳ ମୋଦକକୁ କୌଣସି ମନ୍ଦିର ପ୍ରଶାସନ ବା ଗାରଦର କୌଣସି ବ୍ୟକ୍ତି ଏହାକୁ ଛୁଅଁନ୍ତିନି କି ଗଣତି ନାହିଁ । ତେବେ ସବୁ ଆଡୁ ତଦନ୍ତ କରିବା ପରେ ଆମେ ଜାଣିବାକୁ ପାଇଛୁ କି, ଚୋରି ହୋଇନି ମୋଦକ । ତେବେ ତଦନ୍ତି ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ଶ୍ରୀଜିଉଙ୍କ ମୋଦକ ଚୋରି ହେବା ପରେ, ମହାପ୍ରଭୁଙ୍କଠାରେ ଲାଗି ହୋଇଥିଲା, ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।
କହିବାକୁ ଗଲେ ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ।
୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି । ଏଠି ପ୍ରଶ୍ନ ଉଠୁଛି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କଠାରେ କିପରି ଲାଗି ହେଲା ? ଗାରଦ କାର୍ଯ୍ୟାଳୟରୁ କିଏ ଚୋରି କଲା ମୋଦକ ? ସୁରକ୍ଷାକର୍ମୀ କଣ କରୁଥିଲେ ? କିଏ ଲାଗି କଲା ମାରା ମୋଦକ ? କାହିଁକି ବାରମ୍ବାର ଘଟୁଛି ବିଭ୍ରାଟ ? ଅକ୍ଷମଣିୟ ଅପରାଧର କର୍ଯ୍ୟାନୁଷ୍ଠାନ କେବେ ?