ଉତ୍ତରକାଶୀ ୨୩।୬: ଉତ୍ତରାଖଣ୍ଡ ଉତ୍ତର କାଶୀ ଯୁମନେତ୍ରୀ ଧାମ ପାଦଚଲା ରାସ୍ତାରେ ଭୂ-ସ୍ଖଳନ ହୋଇଛି। ସୋମବାର ଅପରାହ୍ନରେ ହୋଇଥିବା ଏହି ପ୍ରାକୃତିକ ଦୁର୍ବିପାକ କାଳରେ ଶତାଧିକ ଶ୍ରଦ୍ଧାଳୁ ସେହି ରାସ୍ତା ଦେଇ ଦର୍ଶନ କରିବାକୁ ଯାଉଥିଲେ। ଏହି ଅଘଟଣରେ ମାଟି ଅତଡା ତଳେ ୩ ଜଣ ଶ୍ରଦ୍ଧାଳୁ ପୋତି ହୋଇ ପଡିଥିବା ଆଶଙ୍କା କରାଯାଉଛି। ସୂଚନା ମିଳିବାମାତ୍ରେ ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ଜରୁରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଜିଲ୍ଲା ସୂଚନା ଅଧିକାରୀଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏସଡିଆରଏଫ ଟିମ୍, ମେଡିକାଲ କର୍ମଚାରୀ ଓ ସ୍ଥାନୀୟ ପ୍ରଶାସନ ତତ୍କାଳ ଘଟଣା ସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ କରିଛନ୍ତି। ଉଦ୍ଧାରକାରୀ ଦଳ ପାହାଡରୁ ଛିଡିଥିବା ଅତଡା ତଳୁ ଲୋକଙ୍କ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଚଳାଇଛନ୍ତି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତାକୁ ଏବେ ବନ୍ଦ କରି ଦିଆଯାଇଛି ଓ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନମାନଙ୍କରେ ଅଟକା ଯାଇଛି।
ଉତ୍ତରକାଶୀ ଜିଲ୍ଲାଧିକାରୀ ଘଟଣା ଉପରେ ଲଗାତାର ନଜର ରଖି ରହିଛନ୍ତି ଓ କଣ୍ଟ୍ରୋଲ ରୁମରୁ ପ୍ରତି ମୂହୁର୍ତ୍ତ ମନିଟରିଂ କରାଯାଉଛି। ସମ୍ପର୍କିତ ସବୁ ଏଜେନ୍ସୀଙ୍କୁ ଯୁଦ୍ଧକାଳୀନ ଉଦ୍ଧାର କାର୍ଯ୍ୟ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପାଣିପାଗ ବିଭାଗ ଆଗାମୀ ଦିନମାନଙ୍କରେ ଭୀଷଣ ବର୍ଷା ସତର୍କତା ଜାରି କରିଛନ୍ତି। ଏଣୁ ଆଗକୁ ଚାରିଧାମ ଯାତ୍ରା କଷ୍ଟକର ହେବ ବୋଲି ଅନୁମାନ କରାଯାଉଛି।