ପଳାତକ ଲଳିତ ମୋଦୀକୁ ମିଳିଛି ଭାନୁଆଟୁ ନାଗରିକତା: MEA

Published By : Prameya-News7 Bureau | March 07, 2025 IST

ନୂଆଦିଲ୍ଲୀ: ପଳାତକ ଲଳିତ ମୋଦୀକୁ ଭାନୁଆଟୁ ନାଗରିକତା ମିଳିଛି । ପ୍ରଶାନ୍ତ ମହାସାଗରରେ ଥିବା ଏକ ଛୋଟ ଦ୍ୱୀପରାଷ୍ଟ୍ର ଭାନୁଆଟୁ । ଏହି ଦ୍ୱୀପରାଷ୍ଟ୍ର ଟିକସ ଅନୁକୂଳ ଏବଂ ଏଠାରେ ପ୍ରତ୍ୟର୍ପଣ କରାଯିବାର କୌଣସି ନିୟମ ନାହିଁ । 

ଲଳିତ ମୋଦୀର ନାଗରିକତା ୨୦୨୪ ଡିସେମ୍ବର ୩୦ରେ ଅନୁମୋଦନ କରାଯାଇଥିବା ଭାନୁଆଟୁ ପାସପୋର୍ଟର ଏକ କପିରୁ ଜଣାପଡିଛି । ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ସପ୍ତାହିକ ପ୍ରେସ୍ ବ୍ରିଫିଂରେ ଏହି ଖବର ଉପରେ ମୋହର ମରାଯାଇଛି । ବିଦେଶୀ ନାଗରିକତା ହାସଲ କରିବା ପରେ ଏବେ ଲଳିତ ମୋଦୀର ଭାରତ ପ୍ରତ୍ୟର୍ପଣ କରିବା ପ୍ରୟାସ ଜଟିଳ ହୋଇଯିବ ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି, ‘ଲଳିତ ମୋଦୀ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନଙ୍କ ନିକଟରେ ତାଙ୍କ ପାସପୋର୍ଟ ଜମା କରିବାକୁ ଆବେଦନ କରିଛନ୍ତି । ବିଦ୍ୟମାନ ନିୟମ ଏବଂ ପ୍ରକ୍ରିୟା ଅନୁସାରେ ଏହାର ତଦନ୍ତ କରାଯିବ । ସେ ଭାନୁଆଟୁ ନାଗରିକତା ହାସଲ କରିଛନ୍ତି ବୋଲି ଆମକୁ କୁହାଯାଇଛି । ଆମେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରୁଛୁ ।‘ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀ ଆର୍ଥିକ ଦୁର୍ନୀତି, ମନି ଲଣ୍ଡ୍ରିଂ ଏବଂ ବୈଦେଶିକ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗରେ ୨୦୧୦ ମସିହାରେ ଭାରତରୁ ଫେରାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.