ଭେଟେରାନ୍ ରାଜନେତା, ନାଗାଲାଣ୍ଡର ରାଜ୍ୟପାଳ ଗଣେଶନଙ୍କ ପରଲୋକ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ: ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନଙ୍କ ଶୁକ୍ରବାର ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଅଗଷ୍ଟ ୮ରେ ଚେନ୍ନାଇ ସ୍ଥିତ ବାସଭବନରେ ପଡ଼ିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହାପରେ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ୍ ତାଙ୍କ ସ୍ୱାସ୍ଥ୍ୟର ନୀରକ୍ଷଣ କରୁଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗଣେଶନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂହ ଶୋକ ବ୍ୟକ୍ତ କରିଛନ୍ତି ।

ଆରଏସ୍‌ଏସ୍‌ର ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ଯାତ୍ରା ଆରମ୍ଭ କରିଥିବା ଗଣେଶନ ପରେ ବିଜେପିର ବରିଷ୍ଠ ରାଜନେତା ହୋଇଥିଲେ । ୨୦୨୩ ଫେବ୍ରୁଆରୀ ୨୦ରେ ନାଗାଲାଣ୍ଡର ୧୯ତମ ରାଜ୍ୟପାଳ ଭାବେ ସେ ଶପଥ ନେଇଥିଲେ । ଏହା ପୂର୍ବରୁ  ସେ ୨୦୨୧ ଅଗଷ୍ଟ ୧୭ରୁ ୨୦୨୩ ଫେବ୍ରୁଆରୀ ୧୯ ଯାଏ ମଣିପୁରର ରାଜ୍ୟପାଳ ରହିଥିଲେ । ଏହି ସମୟରେ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସାମ୍ୱିଧାନିକ ଦାୟିତ୍ୱ ଗ୍ରହଣ ପୂର୍ବରୁ ଲା ଗଣେଶନ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ ।  

୧୯୪୫ ଫେବ୍ରୁଆରୀ ୧୬ରେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମିତ ଗଣେଶନ ଯୁବାବସ୍ଥାରେ ନିଜ ବାପାଙ୍କୁ ହରାଇଥିଲେ । ପରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ସେ ସଂଘର ପୂର୍ଣ୍ଣକାଳୀନ ପ୍ରଚାରକ ହୋଇଥିଲେ । ଏହା ପରେ ବିଜେପିରେ ଯୋଗଦେଇ ତାମିଲନାଡ଼ୁରେ ଦଳକୁ ବଢାଇବାର କାମ କରିଥିଲେ । ବିଜେପି ସଂଗଠନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ବିଜେପି ରାଷ୍ଟ୍ରୀୟ ସମ୍ପାଦକ, ଉପସଭାପତି ଓ ପରେ ତାମିଲନାଡ଼ୁ ବିଜେପି ସଭାପତି ହୋଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.