କୁମାରୀ ମାନଙ୍କ ପୂଜା କୁଆଁର ପୁନେଇ ପର୍ବ: ସକାଳେ ସୂର୍ଯ୍ୟ, ସଂଧ୍ୟାରେ ଚନ୍ଦ୍ରା ପୂଜା

Published By : Prameya-News7 Bureau | October 16, 2024 IST

ଭୁବନେଶ୍ୱର ୧୬/୧୦: ଆଜି ହେଉଛି କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ଗଣପର୍ବ । ଏହି ପର୍ବକୁ ସାଧାରଣତଃ କୁମାରୀମାନେ କରିଥାନ୍ତି । ସକାଳୁ ଉଠି ତୁଳସୀ ଚଉରାକୁ ସଫାକରି ସଜ୍ଜିତ କରି ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ସୁନ୍ଦର ଜୀବନ ସାଥୀର କାମନା କରିଥାନ୍ତି । ଆଉ ସେଥିପାଇଁ କେତେ ଦିନରୁ ବିଭିନ୍ନ ପ୍ରସ୍ତୁତି ବି କରିଥାନ୍ତି । 

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । 

ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସ‌ହକାରେ ପାଳନ କରାଯାଇଥାଏ । 

ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । 

ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । 


ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । 

ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.