T 20 World Cup: କ'ଣ କଲେ ସେମି ଫାଇନାଲକୁ ଯିବ ପାକିସ୍ତାନ ? ଜାଣନ୍ତୁ ସମୀକରଣ

NEWS7
know-your-horoscope-for-wednesday-16th-april-2025

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬ ରୋଚକ ମୋଡ଼ରେ ପହଞ୍ଚି ଯାଇଛି। ସୁପର-୮ର ଶେଷ ଦୁଇଟି ମ୍ୟାଚ୍ ଏବେ କ୍ଵାର୍ଟର ଫାଇନାଲର ରୂପ ନେଇଛି। ଅର୍ଥାତ ଜିତିବା ଦଳ ହିଁ ସେମିରେ ପ୍ରବେଶ କରିବ। ଚଳିତ ବିଶ୍ଵକପର ସୁପର-୮ରେ ଏ ପର୍ଯ୍ୟନ୍ତ ଭାଗ୍ୟ ପାକିସ୍ତାନ ସହ ରହିଛି। ପାକିସ୍ତାନ ଦୁଇଟି ମ୍ୟାଚ୍ ଖେଳି ବିନା ବିଜୟରେ ସେମି ଫାଇନାଲ୍ ଦୌଡ଼ରେ ରହିଛି। ଦଳ ଖାତାରେ ମାତ୍ର ଗୋଟିଏ ପଏଣ୍ଟ ରହିଛି। ଆଜି ପେଲ୍ଲେକେଲେରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍। ସେମି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ପାକିସ୍ତାନକୁ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ପଡ଼ିବ। କିନ୍ତୁ ଏହା ସହଜ ବି ନୁହେଁ।

ଏବେ ପାକିସ୍ତାନର ସେମି ପର୍ଯ୍ୟନ୍ତ ପହଞ୍ଚିବାର ଦୁଇଟି ସମୀକରଣ ରହିଛି। ପ୍ରଥମ ସମୀକରଣ ପାକିସ୍ତାନକୁ ମ୍ୟାଚ୍ ଜିତିବାକୁ ପଡ଼ିବ, ସେ ପୁଣି ବଡ଼ ବ୍ୟବଧାନରେ। ଯଦି ଦଳ ହାରେ ତେବେ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିବ।

କେତେ ରନରେ ଜିତିବା ଦରକାର

ଦ୍ଵିତୀୟ ସମୀକରଣ ଆଜି ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଜିତିବା ପାକିସ୍ତାନ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ। ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରେ ତେବେ ଅତି କମରେ ୬୫ ରନରେ ଜିତିବା ଦରକାର। ଏମିତି ହେଲେ ଦଳର ନେଟ୍ ରନ ରେଟ୍ ନ୍ୟୁଜିଲାଣ୍ଡଠୁ ଉନ୍ନତ ରହିବ। ଉଦାହରଭ ସ୍ଵରୂପ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦୦ ରନ କରେ। ତେବେ ଶ୍ରୀଲଙ୍କାକୁ ୧୩୫ ରନ କିମ୍ବା ସେଥିରୁ କମ ସ୍କୋରରେ ସୀମିତ ରଖିବାକୁ ପଡ଼ିବ।

ଅନ୍ୟପଟେ ଯଦି ଦଳ ବିଜୟ ଲକ୍ଷ୍ୟ ପିଛା କରେ ତେବେ ୧୩.୧ ଓଭର କିମ୍ବା ସେଥିରୁ କମ ଓଭରରେ ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ପାକିସ୍ତାନ ଏଥିରେ ବିଫଲ ହୁଏ ତେବେ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିବ। ଉଲ୍ଲେଖନୀୟ ଗ୍ରୁପ ବିରୁ ଇଂଲଣ୍ଡ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରି ସାରିଛି। ଏବେ ଦ୍ଵିତୀୟ ଦଳ ପାଇଁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ଚାଲିଛି। ଏବେ ସଭିଙ୍କ ନଜର ପାକିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ୍ ଉପରେ ରହିଛି।