ବୁଲା କୁକୁର ମାମଲା : କାମୁଡିଲେ ଦାୟୀ ରହିବେ ପଶୁପ୍ରେମୀ, ରାଜ୍ୟ ସରକାର ଦେବେ କ୍ଷତିପୂରଣ

NEWS7
know-your-horoscope-for-tuesday-25th-june-2024

ନୂଆଦିଲ୍ଲୀ ୧୩/୦୧: ସୁପ୍ରିମକୋର୍ଟରେ ଜାରି ରହିଛି ବୁଲା କୁକୁରଙ୍କ ମାମଲା । ବୁଲା କୁକୁରଙ୍କ ପାଇଁ ଦାଖଲ ହୋଇଥିବା ଅନେକ ଆବେଦନର ଶୁଣାଣି ଜାରି ରହିଛି । ମଙ୍ଗଳବାର କୋର୍ଟ ଏପ୍ରସଙ୍ଗରେ ବଡ ମନ୍ତବ୍ୟ ଦେଇଛନ୍ତି । କୁକୁର କାମୁଡାରେ ଯଦି କେହି ବୃଦ୍ଧ କିମ୍ବା ଶିଶୁ ଆହତ କିମ୍ବା ପ୍ରାଣ ହରାନ୍ତି ତେବେ ପଶୁ ପ୍ରେମୀଙ୍କୁ ମଧ୍ୟ ଦାୟୀ କରାଯିବ । ସେମାନେ କେବଳ ସରକାର କିଛି କରୁ ନାହାଁନ୍ତି ଦୋଷ ଦେଇ ଖସି ପାରିବେନି  । ଏହାସହ ରାଜ୍ୟ ସରକାରଙ୍କୁ ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । 

ମାମଲାର ଶୁଣାଣି କରୁଥୁବା ଜଷ୍ଟିସ ବିକ୍ରମ ନାଥ କହିଛନ୍ତି ଯେ, ପଶୁପ୍ରେମୀମାନେ ନିଜ ଘରେ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । କାହିଁକି ପଶୁମାନେ ବାହାରେ ବୁଲୁଛନ୍ତି ଏବଂ ଆତଙ୍କ ଖେଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ କୋର୍ଟଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ମାମଲା ଲଢୁଥିବା ଆଇନଜୀବୀ ମେନକା ଗୁରୁସ୍ୱାମୀ ବୁଲା କୁକୁର ଭାବାବେଗର ପ୍ରସଙ୍ଗ ବୋଲି କହିଥିଲେ ।

ଜାନୁଆରୀ ରେ କଣ କହିଥିଲେ କୋର୍ଟ

କୁକୁର ସମ୍ବନ୍ଧୀୟ ବିଭିନ୍ନ ମାମଲାର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ସନ୍ଦିପ ମେହତା, ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଖଣ୍ଡପୀଠ କହିଥିଲେ ଯେ, କେହି ହେଲେ କୁକୁରର ମନରେ କଣ ଚାଲିଛି କହିପାରିବେ ନାହିଁ । ସେ କେତେବେଳେ କାମୁଡିବ ଏବଂ କାମୁଡିବ ନାହିଁ ତାହା ଆଗୁଆ କହିବା କଷ୍ଟକର । ତେଣୁ ଚିକିତ୍ସାଠୁ ପ୍ରତିଷେଧକ ବ୍ୟବସ୍ଥା କିପରି ଗ୍ରହଣ କରାଯାଇପାରିବ ସେନେଇ ଗୁରୁତ୍ୱ ଦେବା ଦରକାର ।

ଖଣ୍ଡପୀଠ ଆହୁରି ପ୍ରକାଶ କରିଥିଲେ ଯେ, ରାସ୍ତାଘାଟରେ ସଫାସୁତୁରା ଜରୁରୀ । ସେମାନେ ନକାମୁଡିଲେ ମଧ୍ୟ ଦୁର୍ଘଟଣାର କାରଣ ହୋଇପାରନ୍ତି । କାହିଁକି ରାସ୍ତା, ସ୍କୁଲ ଏବଂ ଗଳିରେ କୁକୁର ଦରକାର ବୋଲି କୋର୍ଟ ପଚାରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଥିଲେ ଯେ, କୁକୁର ଯଦି କାମୁଡିବ ତାହାଲେ ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇପାରିବେ । ସେମାନଙ୍କ ପ୍ରଶାସନ ନେଇଯିବ । କୁକୁରମାନେ ରାସ୍ତାରେ ନୁହେଁ ବରଂ ଗଳି କନ୍ଦିରେ ରହୁଥିବା ଶିବଲ ଯୁକ୍ତି ବାଢିଥିଲେ । ତେବେ ସେଠାରୁ ଫେରିବା ପରେ ପୁଣି କୁକୁର କାମୁଡିବ ନାହିଁ ବୋଲି କହିହେବ ନାହିଁ ବୋଲି କୋର୍ଟ ମତ ଦେଇଥିଲେ।

ନଭେମ୍ବର ୭ର ସୁପ୍ରିମ ରାୟ

ରାସ୍ତାରେ ବୁଲା କୁକୁର ଜନିତ ସମସ୍ୟା ମାମଲାକୁ ଗୁରୁତର ସହ ନେଇଥିଲେ କୋର୍ଟ୍ । ବିଭିନ୍ନ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସଷ୍ଟାଣ୍ଡ୍ ଏବଂ ରେଳ ଷ୍ଟେସନରୁ କୁକୁରଙ୍କୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସ୍ଥାନୀୟ ପ୍ରଶାସନକୁ ଏଦିଗରେ ନଜର ରଖିବାକୁ କୁହାଯାଇଥିଲା । ଏହାପୂର୍ବରୁ ଗତ ଜୁଲାଇ ମାସରେ ଜନବସତିଠୁ କୁକୁରଙ୍କୁ ଦୂରରେ ଛାଡିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।