ଆସିଲେନି ସାକ୍ଷି, ଟଳିଲା ରାହୁଲ ଗାନ୍ଧଙ୍କ ବିରୋଧରେ ମାନହାନୀ ମକଦ୍ଦମା ଶୁଣାଣି

NEWS7
know-your-horoscope-for-tuesday-18th-march-2025

ଠାଣେ ୬।୧୨: ମହାରାଷ୍ଟ୍ର ଠାଣେ ଜିଲ୍ଲାର ଏକ କୋର୍ଟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଜନୈକ ସ୍ୱୟଂ ସେବକଙ୍କ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆଗତ ଅପରାଧିକ ମାନହାନୀ ମକଦ୍ଦମାର ଶୁଣାଣିକୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି। ଶନିବାର ମାମଲାର ଶୁଣାଣି କାଳରେ ଅଭିଯୋଗକାରୀଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସାକ୍ଷି କୋର୍ଟରେ ହାଜର ନ ହେବାରୁ ଏହି ନିଷ୍ପତ୍ତି ନିଆଯାଇଛି। ରାହୁଲ ଗାନ୍ଧିଙ୍କ ଓକିଲ ନାରାୟଣ ଆୟର ଶୁଣାଣି ସ୍ଥଗିତ ହୋଇଥିବା ପୁଷ୍ଟି କରିଛନ୍ତି।

ସେ କହିଛନ୍ତି ଯେ ମାମଲାର ସାକ୍ଷି ଅଶୋକ ସାୟକର ବ୍ୟକ୍ତିଗତ କାରଣରୁ କୋର୍ଟରେ ହାଜର ହୋଇ ପାରିନାହାନ୍ତି। ସାୟକର ଏବେ ସୋଲାପୁରର ବାର୍ଶିରେ ପୋଲିସ ଉପାଧିକ୍ଷକ (ଡିଏସପି) ଅଛନ୍ତି। ମାମଲାରେ ସାୟକରଙ୍କ ସାକ୍ଷ ଡିସେମ୍ବର ୨୯ ତାରିଖରେ ଗ୍ରହଣ କରାଯାଇ ପାରେ ବୋଲି ଆୟର କହିଛନ୍ତି। ମାମଲାରେ ସାୟକରଙ୍କ ସାକ୍ଷକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ୨୦୧୪ ମସିହାରେ ପୋଲିସ ଉପନିରୀକ୍ଷକ ଭାବେ ସେ ଭାରତୀୟ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୨୦୨ରେ ମାନହାନୀ ମାମଲାର ପ୍ରାରମ୍ଭିକ ଯାଞ୍ଚ କରିଥିଲେ।

ସାୟକରଙ୍କ ରିପୋର୍ଟ ଆଧାରରେ କୋର୍ଟ ପରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୫୦୦ରେ ରାହୁଲ ଗାନ୍ଧିଙ୍କ ବିରୋଧରେ ସମନ ଜାରି କରିଥିଲେ। ଆରଏସଏସର ସ୍ଥାନୀୟ କାର୍ଯ୍ୟକର୍ତ୍ତା ରାଜେଶ କୁଣ୍ଟେ ୬ ମାର୍ଚ୍ଚ ୨୦୧୪ରେ ଭିବଣ୍ଡି ନିକଟରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ କଂଗ୍ରେସ ନେତାଙ୍କ ସେହି କଥିତ ବୟାନକୁ ନେଇ ଅପରାଧିକ ମାନହାନୀ ମକଦ୍ଦମା ରୁଜୁ କରିଥିଲେ ଯେଉଁଥିରେ ରାହୁଲ ଗାନ୍ଧି କହିଥିଲେ ଯେ ଆରଏସଏସର ଲୋକେ ମହାତ୍ମା ଗାନ୍ଧିଙ୍କ ହତ୍ୟା କରିଥିଲେ। ଏହା ପୂର୍ବରୁ ନଭେମ୍ବର ୧୫ ଶୁଣାଣି ମଧ୍ୟ ସ୍ଥଗିତ ରହିଥିଲା।

ପୂର୍ବରୁ ଏହି ମାମଲା ନଭେମ୍ବର ୨୯ ତାରିଖକୁ ନିର୍ଦ୍ଧାରିତ ଥିଲା । କିନ୍ତୁ ରାହୁଲଙ୍କ ଆଇନ ପରାମର୍ଶ ଟିମ୍ ତାଙ୍କ ଅନୁପଲବ୍ଧତାର କାରଣ ଦର୍ଶାଇ ଶୁଣାଣି ସ୍ଥଗିତ କରିବାକୁ ନିବେଦନ କରିଥିଲେ। ଏହା ପରେ ମାମଲାକୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଟାଳି ଦିଆଯାଇଥିଲା। ଏବେ ଡିସେମ୍ବର ୨୦ରେ ମାମଲାର ପୁଣି ଶୁଣାଣି ହେବ।