ଡିସେମ୍ବର ୩୧ ରାତିରେ ଶ୍ରୀମନ୍ଦିର ଖୋଲା ରଖିବା ପ୍ରସଙ୍ଗ, ମହାପ୍ରଭୁଙ୍କୁ ଅନିଦ୍ରା ନରଖିବାକୁ ଦାବି

NEWS7
know-your-horoscope-for-tuesday-11th--june-2024

ପୁରୀ: ନୂଆବର୍ଷରେ କାହିଁକି ଅନିଦ୍ରା ହେବେ ଶ୍ରୀଜୀଉ ? ଜିରୋନାଇଟରେ କାହିଁକି ଶ୍ରୀମନ୍ଦିର ରାତିସାରା ଖୋଲା ରହିବ ? ଏହା ନୀତି ନା ଅନୀତି। ଏମିତି କିଛି ପ୍ରଶ୍ନ ଉଠାଇଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ। ଗଜପତି ମହାରାଜା, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଦର୍ଶାଇଛନ୍ତି ଯେ, ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଏହା ଆଦୌ ସମୀଚୀନ ନୁହେଁ। ତେଣୁ ଡିସେମ୍ବର ୩୧ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରା ନଯାଉ। ମହାପ୍ରଭୁଙ୍କ ସ୍ବାଭାବିକ ଦୈନନ୍ଦିନ ନୀତିକାନ୍ତିର ବ୍ୟବସ୍ଥା ଅନୁସରଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ସୂଚନାଥାଉକି, ୩୧ ତାରିଖ ଓ ୧ ତାରିଖରେ ଲକ୍ଷ ଲକ୍ଷ ଭକ୍ତି ଶ୍ରୀଜୀଉଙ୍କ ଆଶିଷ ଲାଭ କରିବାକୁ ଆସିବେ। ଏହି ସମୟରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଚାଲୁଥିବାରୁ ରାତ୍ର ୨ଟାରେ ଦ୍ବାରଫିଟା ନୀତି ହୋଇଥାଏ। ତେବେ ନୂଆ ବର୍ଷ ପାଇଁ କୌଣସି ସ୍ବତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା ନାହିଁ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି । ସେହିପରି ଇଂରାଜୀ ନୂଆବର୍ଷ ପୂର୍ବଦିନ ଠାକୁରଙ୍କ ପହୁଡ଼ ନୀତି କରାଯିବା ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି।

ଘଟଣା ସଂପର୍କରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯାହା ଆବଶ୍ୟକତା ରହିଛି ତାହା କରାଯାଉଛି | ଏ ନେଇ ବହୁତ ତର୍ଜମା କରାଯାଇଛି ଏବଂ ମୁକ୍ତି ମଣ୍ଡପଠୁ ଆରମ୍ଭ କରି ସମସ୍ତଙ୍କ ସହିତ ଆଲୋଚନା ମଧ୍ୟ କରାଯିବ। ଡିସେମ୍ବର ୩୧ ରାତି ଓ ଜାନୁଆରୀ ସକାଳ ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବା ପାଇଁ ଅନେକଙ୍କ ମନରେ ଉତ୍କଣ୍ଠା ଥାଏ । ବିଶେଷ କରି ମହୋଦଧି କୂଳେ ସୂର୍ଯ୍ୟୋଦୟ ଦେଖି ସେଠାରେ ସ୍ନାନ ସାରିବା ପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅନେକ ଭକ୍ତ ଯୋଜନା କରିଥାନ୍ତି। ତେବେ ଏସବୁ ଭିତରେ ଶ୍ରୀମନ୍ଦିର ରାତି ଦିନ ଖୋଲା ରହିବା ଶ୍ରୀଜୀଉଙ୍କୁ ଅନିଦ୍ରା ରଖିବାକୁ ବହୁ ଲୋକ ନାପସନ୍ଦ କରୁଛନ୍ତି।