LIVE TV

ମାତିଲେ ଲୁଟେରା, ଦୋକାନ ଆଗରୁ ବାଇକ୍ ଡିକି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା

NEWS7
know-your-horoscope-for-saturday-8th-february-2025

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ମାତିଲେ ଲୁଟେରା। ଜନଗହଳି ପୂର୍ଣ୍ଣ ସ୍ଥାନରୁ ବାଇକ ଡିକି ଭାଙ୍ଗି ଲୁଟିନେଲେ ୫ ଲକ୍ଷ ଟଙ୍କା। ତାହାବି ପୁଣି ଥାନାଠାରୁ ମାତ୍ର ୧୦୦ ମିଟର ଦୂର। ଶୁକ୍ରବାର ତୁଷୁରା ସ୍ଥିତ ମହାପାତ୍ର କମ୍ପ୍ଲେକ୍ସ ନିକଟରୁ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଛନ୍ତି ସ୍ଥାନୀୟ ନଅଗାଁ ଅଞ୍ଚଳର ରିଙ୍କୁ ଷଡ଼ଙ୍ଗୀ।

ସୂଚନା ଅନୁସାରେ, ରିଙ୍କୁ ଶୁକ୍ରବାର ତୁଷୁରା ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ। ଘରକୁ ଫେରିବାବେଳେ ତୁଷୁରାର ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନ ମହାପାତ୍ର କମ୍ପ୍ଲେକ୍ସକୁ କିଛି ସାମଗ୍ରୀ କିଣିବା ପାଇଁ ଗାଡ଼ି ରଖି ଯାଇଥିଲେ । ହେଲେ ଏହି ସମୟରେ ତାଙ୍କ ବାଇକ୍‌ର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସବୁ ଟଙ୍କା ଲୁଟ୍ କରିନେଇଥିଲା।

ରିଙ୍କୁ ଫେରିବା ପରେ ବାଇକ୍ ଡିକି ଭଙ୍ଗା ଥିବା ଏବଂ ଲୁଟ୍‌ ହୋଇଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ପୋଲିସ ଜାଣିବାକୁ ପାଇଛି ଯେ, ୩ ଯୁବକ ଗାଡ଼ି ପାଖରେ ପଇତରା ମାରି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ। ତେବେ ତୁଷୁରା ସହର ଏକ ବ୍ୟାବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଦିନ ଦ୍ବିପହରରେ ଏଭଳି ଲୁଟ୍ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।