ବର୍ଷାରୁ ଆରମ୍ଭ ହେବ ନୂଆବର୍ଷ ! ବଙ୍ଗୋପସାଗରରେ ଲଘୁଚାପ : ଆସିବ କି ବାତ୍ୟା ?

NEWS7
know-your-horoscope-for-26th-april-2025

ଭୁବନେଶ୍ୱର, ୨୬/୧୨: ଭିଜିବ ନୂଆବର୍ଷ । ଫିକା ପଡିବ ଜିରୋ ନାଇଟ୍ ସିଲେବ୍ରିସେନ୍ । ଜାନୁଆରୀ ପହିଲାରୁ ରହିଛି ବର୍ଷା ସମ୍ଭାବନା । ବଙ୍ଗୋପସାଗରର ସମ୍ଭାବ୍ୟ ଘୂର୍ଣ୍ଣିବଳୟ ନେଇ ଆଶଙ୍କାରେ ପାଣିପାଗବିତ୍ ।

ସରିବ ୨୦୨୫ । ଆଉ ୫ ଦିନ ପରେ ଆରମ୍ଭ ହେବ ୨୦୨୬ । ଏବେଠୁ ଲୋକଙ୍କ ନାନା ପ୍ଲାନ୍ । ପିକନିକ୍ ଏବଂ ଏକ୍ସକର୍ସନ୍ ପାଇଁ ସବୁ ଜାଗାରେ ଭିଡ । ନୂଆ ବର୍ଷରେ ଆହୁରି ଜମିବ ବଣଭୋଜି । ତେବେ ଏଥର ନୂଆ ବର୍ଷକୁ ଫିକା କରିପାରେ ବର୍ଷା । କାରଣ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

ପାଣିପାଗବିତଙ୍କ ଆକଳନ ଅନୁସାରେ, ଡିସେମ୍ବର ୩୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଏହା ଲଘୁଚାପର ରୂପ ନେଇପାରେ । କିନ୍ତୁ ଏବେଠୁ ସବୁ କିଛି ଆକଳନ କରିବା ସମ୍ଭବପର ନୁହେଁ । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି । ତେବେ ସମୁଦ୍ରରେ ୭ ଦିନ ଯାଏଁ ଘୂର୍ଣ୍ଣିବଳୟ ସକ୍ରିୟ ରହିବ । କିନ୍ତୁ କେତେ ଘନୀଭୂତ ହେବ ତାହା କହିବା ମୁସ୍କିଲ । ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନଥିବାରୁ ଏହାର ତୀବ୍ରତା ସହ ଗତିପଥ ବାବଦରେ ଏବେଠୁ କିଛି କହିହେବ ନାହିଁ ।

ଆଶଙ୍କା କରାଯାଉଛି ଯେ, ଘୂର୍ଣ୍ଣିବଳୟ ଯଦି ଅବପାତର ରୂପ ନିଏ ତାହାଲେ ଭାରତ ଉପରେ ଏହାର ପ୍ରଭାବ ପଡିବା ସମ୍ଭାବନା କମ୍ ରହିଛି । ଏହା ଇଣ୍ଡୋନେସିଆ କିମ୍ବା ଶ୍ରୀଲଙ୍କା ଆଡେ ମୁହାଁଇପାରେ । ତେଣୁ ସାଧାରଣ ଲୋକେ ଏବେଠୁ ଛାନିଆ ହେବା ଅନୁଚିତ । ଓଡିଶା ଉପରେ ମଧ୍ୟ ଏହାର ସେତେଟା ପ୍ରଭାବ ପଡିବ ନାହିଁ ।

ନଭେମ୍ବରରେ ଆସିଥିଲା ଡବଲ ବାତ୍ୟା

ପୂର୍ବରୁ ନଭେମ୍ବରରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ଆସିଥିଲା । ବାତ୍ୟା 'ଡିତଓ୍ୱା' ଶ୍ରୀଲଙ୍କାରେ ତାଣ୍ଡବ ରଚାଇଥିଲା । ଭାରତର ଦକ୍ଷିଣରେ ଥିବା ତାମିଲାନାଡୁ ଏବଂ ଆନ୍ଧ୍ର ଉପକୂଳରେ ଏହାର ପ୍ରଭାବ ପଡିଥିଲା । ଅଧିକ ପବନ ହୋଇନଥିଲେ ବି ପ୍ରବଳ ବର୍ଷା ହୋଇଥିଲା ।

ସେହିପରି ଇଣ୍ଡୋନେସିଆ ପାଖରେ ଆଉ ଏକ ବାତ୍ୟା ‘ସେନାର’ ଆତଙ୍କ ଖେଳାଇଥିଲା । ଏହାର ପ୍ରଭାବରେ ଇଣ୍ଡୋନେସିଆ ସମେତ ନିକୋବର ଦ୍ୱୀପପୁଞ୍ଜରେ ସାମାନ୍ୟ ପ୍ରକୋପ ଦେଖିବାକୁ ମିଳିଥିଲା ।