LIVE TV

ବିହାରରେ ନିତିଶ ନୁହେଁ ଏବେ ଶାସନ କରିବ ବିଜେପି, ବଦଳି ଯାଇଛି ସମୀକରଣ

NEWS7
know-your-daily-horoscope-for-tuesday-11-march-2025

ପାଟନା ୨୦।୧୧: ରେକର୍ଡ ଦଶମବାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରି ନିତିଶ କୁମାର ବିହାର ରାଜନୀତିରେ ଇତିହାସ ରଚିଛନ୍ତି। ପାଟନା ଗାନ୍ଧି ମୈଦାନରେ ଗୁରୁବାର ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ଯଦିଓ ନିତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପର୍ଦ୍ଦା ପଛର କାହାଣୀ କିଛି ଅନ୍ୟ କଥା କହୁଛି। ଏଥର ଶପଥ ଗ୍ରହଣରେ ବିଜେପି ସରକାରରେ ନିଜର ସ୍ଥିତିକୁ ଅଭୂତପୂର୍ବ ରୂପେ ମଜଭୁତ କରିଛି। ଏ ପର୍ଯ୍ୟନ୍ତ ସରକାରରେ ସାନଭାଇର ଭୂମିକା ନିର୍ବାହ କରି ଆସୁଥିବା ବିଜେପି ଅଚାନକ ରାଜ୍ୟ ରାଜନୀତିରେ ବଡ଼ ଭାଇ ପାଲଟିଛି।

ଏଥର ମନ୍ତ୍ରୀମଣ୍ଡଳରେ ବିଜେପି ନା କେବଳ ମନ୍ତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିଛି ବରଂ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ନିଜ ଖାତାକୁ ନେଇ ଏହା ପ୍ରମାଣ କରିଦେଇଛି ଯେ ବିହାର ରାଜନୀତିରେ ତାର ପ୍ରଭାବ ସବୁଠୁ ଅଧିକ। ଏହି ନୂଆ ସରକାରର ମନ୍ତ୍ରୀମଣ୍ଡଳ ଗଠନରେ ବିଜେପିକୁ ଅପାର ଶକ୍ତି ମିଳିଛି, ଯାହା ଏବେ ସ୍ପଷ୍ଟ ଦେଖି ହେଉଛି। ଏଥର ବିଜେପି ଖାତାକୁ ସବୁଠୁ ଅଧିକ ୧୪ ଜଣ ମନ୍ତ୍ରୀ ଆସିଛନ୍ତି। ଅନ୍ୟପଟେ ମେଣ୍ଟ ନେତା ଜେଡି(ୟୁ) ଖାତାକୁ ମାତ୍ର ୮ଟି ମନ୍ତ୍ରୀପଦ ଯାଇଛି। ମନ୍ତ୍ରୀପଦର ଏହି ସଂଖ୍ୟା ଦର୍ଶାଉଛି ଯେ ଏଥର ବିଜେପି ନେତୃତ୍ୱ ଦୃଢତାର ସହ ନିଜର ପକ୍ଷ ରଖିଛନ୍ତି ଓ ନିଜର ସବୁଠୁ ଅଧିକ ବିଧାୟକଙ୍କୁ ମନ୍ତ୍ରୀ କରିବାର ସଫଳତା ହାସଲ କରିଛି।

ଏହି ସଂଖ୍ୟା ବଳ ସରକାରଙ୍କ ସବୁ ବଡ଼ ନିଷ୍ପତ୍ତିରେ ବିଜେପିର ନିର୍ଣ୍ଣାୟକ ଭୂମିକା ସୁନିଶ୍ଚିତ କରିବ। ଏଣୁ ନିତିଶ କୁମାରଙ୍କ ଲାଗି ପିଛିଲା କାର୍ଯ୍ୟକାଳ ତୁଳନାରେ ଏଥରର କାର୍ଯ୍ୟକାଳ ଶାସନ କରିବା ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ। ଅଧିକ ମନ୍ତ୍ରୀ ସହିତ ବିଜେପିକୁ ଆହୁରି ଦୁଇଟି ଲାଭ ମିଳିଛି, ଯାହା ସରକାରରେ ତାର ବର୍ଚସ୍ୱକୁ ସ୍ଥାପିତ କରୁଛି। ପ୍ରଥମେ ଏପରି ଖବର ଆସୁଥିଲା ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏଥର ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀ ରଖିବାକୁ ଇଛୁକ ନଥିଲେ। ତେବେ ବିଜେପି ସଫଳତା ପୂର୍ବକ ନିଜର ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାରେ ସଫଳ ହୋଇଛି। ଏହି ଦୁଇ ଉପମୁଖ୍ୟମନ୍ତ୍ରୀ ସିଧାସଳଖ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ରିପୋର୍ଟ କରିବେ। ଏହା ସୁନିଶ୍ଚିତ କରିବ ଯେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ପ୍ରଶାସନିକ କାର୍ଯ୍ୟ ବିଜେପି ଦେଖରେଖରେ ଓ ଭାଗିଦାରୀରେ ଦୃଢ ହେବ।

ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବାଦେ ବିଜେପି ବିଧାନସଭାର ବାଚସ୍ପତି ପଦକୁ ମଧ୍ୟ ନିଜ ଖାତାକୁ ନେଇଥିବାର ଖବର ଆସୁଛି। ବାଚସ୍ପତିଙ୍କ ପଦ ବିଧାନସଭା ସଞ୍ଚାଳନ ଓ ବିଧାୟୀ ଏଜେଣ୍ଡା ନିୟନ୍ତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ପଦ ବିଜେପିକୁ ମିଳିବା ବିଧାନସଭାରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିବ। ମୋଟ ଉପରେ ନିତିଶ କୁମାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କଲେ ସତ ହେଲେ ଏଥର ସରକାରରେ ଶକ୍ତି ସନ୍ତୁଳନ ସ୍ପଷ୍ଟ ରୂପେ ବିଜେପି ଆଡକୁ ଅଣେଇ ହୋଇଯାଇଛି। ଅଧିକ ମନ୍ତ୍ରୀପଦ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ପଦ ଏହି ତିନୋଟି କାରକକୁ ମିସାଇ ବିଜେପିକୁ ଏତେ ଅସୁମାରୀ ତାକତ ମିଳିଛି ଯେ, ଏହା ତାକୁ ବିହାରରେ କେବେ ବି ମିଳି ନଥିଲା।

ଏହି ସମୀକରଣ ସ୍ପଷ୍ଟ କରୁଛି ଯେ କେବେ ବିହାର ରାଜନୀତିରେ ‘ସାନ ଭାଇ’ ର ଭୂମିକା ନିର୍ବାହ କରୁଥିବା ବିଜେପି ଏଥର ଦୃଢ ଭାବେ ‘ବଡ଼ ପାର୍ଟନର’ ରୂପେ ଉଭା ହୋଇଛି ଓ ଭବିଷ୍ୟତର ରାଜନୀତିରେ ଏହାର ସ୍ପଷ୍ଟ ପ୍ରଭାବ ଦେଖାଯିବ।