ଅହମଦାବାଦ ୧୨।୬: ଗୁରୁବାର ମଧ୍ୟାହ୍ନରେ ଅହମଦାବାଦ ଏୟାରପୋର୍ଟରୁ ଉଡାଣ କରିବାମାତ୍ରେ ଏକ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଦୁର୍ଘଟଣାର ଶିକାର ହୋଇ ଯାଇଥିଲା। ଏୟାର ଇଣ୍ଡିଆର ଏହି ବିମାନଟି ଲଣ୍ଡନ ଯାଉଥିଲା। ତେବେ ଟେକଅଫ କରିବାର ମାତ୍ର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିବାମାତ୍ରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ବିମାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସିଟ୍ ନମ୍ବର ୨-ଡିରେ ଯାତ୍ରା କରୁଥିଲେ।
ଏହି ଫ୍ଲାଇଟ୍ ଟି ଲଣ୍ଡନର ଗ୍ୟାଟୱିକ୍ ଏୟାରପୋର୍ଟକୁ ଯାଉଥିଲା। ତେବେ ଦୁର୍ଘଟଣା ପରେ ବିଜୟ ରୂପାଣୀଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ପ୍ରଶାସନ ଓ ପାର୍ଟି ଉଭୟ ସତର୍କ ହୋଇଯାଇଥିଲେ। ବିଜୟ ରୂପାଣୀ ଅଗଷ୍ଟ ୨୦୧୬ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ବିଜୟଭାଇ ରମନିକଲାଲଭାଇ ବିଜୟ ରୂପାଣୀଙ୍କ ଜନ୍ମ ୨ ଅଗଷ୍ଟ ୧୯୫୬ରେ ମ୍ୟାଁମାରର ୟେଙ୍ଗୁନ ସହରରେ ହୋଇଥିଲା। ତାଙ୍କ ବାଲ୍ୟକାଳରେ ପରିବାର ଗୁଜରାଟର ରାଜକୋଟକୁ ଚାଲି ଆସିଥିଲେ। ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ସମ୍ପୃକ୍ତ ଥିଲେ ଓ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ।
୧୯୭୬ ମସିହାରେ ଦେଶର ଜରୁରିକାଳୀନ ପରିସ୍ଥିତି ବେଳେ ତାଙ୍କୁ ୧୧ ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିଥିଲା। ଏହାପରେ ସେ ନଗର ରାଜନୀତିରେ ପାଦ ଥାପିଥିଲେ। ୧୯୯୬-୯୭ ମସିହାରେ ସେ ରାଜକୋଟ ନଗରନିଗମର ମେୟର ନିର୍ବାଚିତ ହୋଇଥିଲେ। ବିଜୟ ରୂପାଣୀ ବିଜେପିର ଅନେକ ପଦପଦବୀରେ ସଫଳତାର ସହ କାମ କରିଛନ୍ତି। ସେ ଗୁଜରାଟ ବିଜେପିର ସାଧାରଣ ସମ୍ପାଦକ, ଗୁଜରାଟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ସମେତ ୨୦୦୬-୨୦୧୨ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ।
୨୦୧୪ ବିଧାନସଭା ନିର୍ବାଚନରେ ପଶ୍ଚିମ ରାଜକୋଟରୁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ ଆନନ୍ଦିବେନ ପଟେଲଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ। ସେ ଫେବୃଆରୀ ୨୦୧୬ରେ ବିଜେପି ପ୍ରଦେଶ ସଭାପତି ଓ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ ମସିହାରେ ବିଜେପି ରୂପାଣୀଙ୍କ ନେତୃତ୍ୱରେ ଗୁଜରାଟ ବିଧାନସଭା ନିର୍ବାଚନ ଲଢିବା ସହିତ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏଣୁ ରୂପାଣୀ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେପ୍ଟେମ୍ବର ୨୦୨୧ରେ ସେ ତାଙ୍କ ପଦବୀରୁ ସ୍ୱେଚ୍ଛାକୃତ ଇସ୍ତଫା ଦେବା ପରେ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି।
ବିଜୟ ରୂପାଣୀ ୨୦୨୧ରେ ଭାରତର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଜଣେ ଥିଲେ। ସେ ଜଣେ ସଫଳ ଓକିଲ ହୋଇଥିବା ବେଳେ ତାଙ୍କ ପାରିବାରିକ ବ୍ୟବସାୟ ‘ରସିକ ଲାଲ ଆଣ୍ଡ ସନସ’ ସହ ମଧ୍ୟ ସମ୍ପୃକ୍ତ ଥିଲେ। ସେ ସେୟାର ବଜାରେର ମଧ୍ୟ କାମ କରିଛନ୍ତି।