ପୂର୍ବତନ ସ୍ବାମୀଙ୍କ ବିରୋଧରେ କେଶ୍,ସାକ୍ଷୀଙ୍କୁ ଦେଖି ଚମକିପଡିଲେ ସ୍ତ୍ରୀ,୧୭ ବର୍ଷର ମାମଲାରେ ହେଲା କ’ଣ…?

NEWS7
know-what-said-pawan-khera-on-satyendra-jain-case

ମୁମ୍ବାଇ୨୯/୧୨: ମୁମ୍ବାଇର ଏକ କୋର୍ଟରେ ଚାଲିଥିଲା ୧୭ ବର୍ଷର ଘରୋଇ ହିଂସା ମାମଲାର ଶୁଣାଣି । ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ବିରୋଧରେ ପ୍ରତାରଣା,ଘରୁ ବାହାର କରିଦେବା,ମାରପିଟ, ଆର୍ଥିକ ଶୋଷଣ ଓ ନିର୍ଯାତନା ପରି ସଂଗୀନ ଅଭିଯୋଗ ଆଣିଥିଲେ । ଏସବୁ ଭିତରେ ମହିଳା ଜଣକ ଦ୍ବିତୀୟ ବିବାହ କରିସାରିଥିଲେ । ବର୍ତ୍ତମାନ ସ୍ବାମୀ ଥାଇ ମଧ୍ୟ ସେ ପୂର୍ବତନ ସ୍ବାମୀଙ୍କ ଠାରୁ ଭରଣପୋଷଣ ମାଗିଥିଲେ । ମାମଲା ବିଚାର ଚାଲିଥିବାବେଳେ ଆସିଛି ଟ୍ବିଷ୍ଟ । ରୋଚକ କଥାଟି ହେଉଛି ସାକ୍ଷୀ ହୋଇ ଆସିଥିଲେ ମହିଳାଙ୍କ ଦ୍ବିତୀୟ ତଥା ବର୍ତ୍ତମାନର ସ୍ବାମୀ । ଯାହାକୁ ଦେଖି ଚମକି ପଡିବା ସହ ଆଶ୍ଚର୍ଯ୍ୟ ହୋଇଥିଲେ ସେ । କଥା ଏତିକିରେ ସରିନଥିଲା ମହିଳାଙ୍କ ଦ୍ବିତୀୟ ତଥା ବର୍ତ୍ତମାନର ସ୍ବାମୀ ତାଙ୍କ ପ୍ରଥମ ତଥା ପୂର୍ବତନ ସ୍ବାମୀଙ୍କ ସପକ୍ଷରେ ସାକ୍ଷ୍ୟ ଦେଇଥିଲେ । ଆଉ ତାଙ୍କରି ସାକ୍ଷୀ ପାଇଁ ମହିଳା ଜଣକ କେସ୍ ହାରିଯାଇଛନ୍ତି । କେର୍ଟ ତାଙ୍କ ଫଇସଲାରେ ଶୁଣାଇଛନ୍ତି ଦ୍ବିତୀୟ ଥର ବିବାହ କରିଥିବା ମହିଳା ପୂର୍ବତନ ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇବାକୁ ଯୋଗ୍ୟ ନୁହଁନ୍ତି । ତେବେ ପୁରା ଘଟଣା ଥିଲା କିଛି ଏମିତି ।

୨୦୦୫ରେ ମହିଳା ଜଣକ ପ୍ରଥମ ବିବାହ କରିଥିଲେ । ତେବେ ବାହାଘରର କିଛି ଦିନ ପରେ ସେ ଜାଣିବାକୁ ପାଇଲେ ସ୍ବାମୀ ପୂର୍ବରୁ ବାହା ହୋଇଛନ୍ତି । ଏକଥା ଜାଣିବା ପରେ ପରେ ପ୍ରଥମ ସ୍ତ୍ରୀ ମଧ୍ୟ ତାଙ୍କ ସହ ରହିବାକୁ ଲାଗିଲେ । ଉଭୟ ସ୍ବାମୀ-ସ୍ତ୍ରୀ ମିଶି ତାଙ୍କୁ ଶାରୀରିକ, ମାନସିକ ଏବଂ ଆର୍ଥିକ ଭାବେ ନିର୍ଯାତନା ଦେଉଥିଲେ । ତେବେ ଅତ୍ୟଧିକ ହେବାରୁ ମହିଳା ଜଣକ ୨୦୦୯ରେ ଘରୋଇ ହିଂସା ଅଭିଯୋଗରେ ମାମଲା କରିଥିଲେ । ତେବେ ଅନ୍ତରୀଣ ରାୟ ଭାବରେ କୋର୍ଟ ପୂର୍ବତନ ସ୍ବାମୀଙ୍କୁ ମାସକୁ ୩୨୦୦ ଆଲିମନି ଦେବାକୁ ଆଦେଶ ଦେଇଥିଲେ । ପରବର୍ତ୍ତୀ ଶୁଣାଣିରେ ପ୍ରଥମ ସ୍ବାମୀ ମହିଳାଙ୍କ ଦ୍ବିତୀୟ ବିବାହ କଥା ଉଠାଇଥିଲେ । ସେଇଠୁ ଆସିଲା ଟ୍ବିଷ୍ଟ । ମହିଳାଙ୍କ ଦ୍ବିତୀୟ ବିବାହ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେବା ପରେ କୋର୍ଟ ମହିଳାଙ୍କ ଦ୍ବିତୀୟ ସ୍ବାମୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଦ୍ବିତୀୟ ସ୍ବାମୀ ମଧ୍ୟ ମହିଳାଙ୍କୁ ବିବାହ କରିବା କଥା କୋର୍ଟରେ ସ୍ବୀକାର କରିଥିଲେ । ଆଡିସନାଲ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ବି.ଏନ୍ ଚିକନେ କହିଥିଲେ ମହିଳା ଜଣକ ପ୍ରଥମ ସ୍ବାମୀଙ୍କୁ ଡିଭୋର୍ସ ଦେଇ ଦ୍ବିତୀୟ ବିବାହ କରିଛନ୍ତି । ତେଣୁ ସେ ଆଉ ପ୍ରଥମ ସ୍ବାମୀଙ୍କ ଠାରୁ ଭରଣପୋଷଣ ନେଇପାରିବେ ନାହିଁ । ମହିଳାଙ୍କ ଦାୟିତ୍ବ ଏବେ ଦ୍ବିତୀୟ ସ୍ବାମୀ ନେଇପାରିବେ । ତେଣୁ ପ୍ରଥମ ସ୍ବାମୀ ଭରଣପୋଷଣ ଦେବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଥିଲେ ।