Live Live
LIVE

Indian rupee hits record low: ପ୍ରଥମ ଥର ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା, ମହଙ୍ଗା ହେବ ଆମଦାନୀ

NEWS7
know-how-to-bath-in-winter

ନୂଆଦିଲ୍ଲୀ: ବିଶ୍ୱରେ ଯୁଦ୍ଧ ଓ ଭୂରାଜନୈତିକ ଅସ୍ଥିରତା ଭିତରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାରେ ମୂଲ୍ୟ ରସାତଳକୁ ଗଲାଣି। ପ୍ରାୟ ପ୍ରତିଦିନ ଭାରତୀୟ ମୁଦ୍ରା ମୂଲ୍ୟ ଖସୁଛି। ମାର୍ଚ୍ଚ ୯ ତାରିଖ ସୋମବାର ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ୪୬ ପଇସା ହ୍ରାସ ପାଇଛି। ଫଳରେ ଗୋଟିଏ ଡଲାର ମୂଲ୍ୟର ବର୍ତ୍ତମାନ ୯୨.୩୩ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଖରାପ ହେଉଥିବା ମଧ୍ୟରେ ଡଲାରର ମଜବୁତ ହେବା ଯୋଗୁ ଟଙ୍କାର ଏହି ବଡ଼ ହ୍ରାସ ଘଟିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ନ କମିବା ପର୍ଯ୍ୟନ୍ତ ଟଙ୍କା ଚାପରେ ରହିପାରେ। ଚଳିତ ବର୍ଷ ଟଙ୍କା ୨% ରୁ ଅଧିକ ହ୍ରାସ ପାଇଛି, ଫଳରେ ୨୦୨୬ରେ ବିଶ୍ୱର ଇମର୍ଜିଂ ମାର୍କେଟ୍ (ଉଦୀୟମାନ ବଜାର)ର ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା କରେନ୍ସି ହୋଇଛି। ଟଙ୍କା ମୂଲ୍ୟରେ ଏହି ବଡ଼ ହ୍ରାସର ପ୍ରମୁଖ କାରଣ ଅଶୋଧିତ ତୈଳ ବୃଦ୍ଧି ହେବା। ମଧ୍ୟପ୍ରାଚ୍ୟରେ ଚାପ ଯୋଗୁ ସପ୍ଲାଏ ବନ୍ଦ ହେବାର ଭୟ ରହିଛି। ତେଣୁ କ୍ରୁଡ୍ ଅଏଲ୍ ମୂଲ୍ୟ ବଢ଼ିଛି। ସୋମବାର ବ୍ରେଣ୍ଟ କ୍ରୁଡ୍ ୨୫% ବଢ଼ି ପ୍ରତି ବ୍ୟାରେଲ୍ ୧୧୭ ଡଲାର ପାଖାପାଖି ପହଞ୍ଚି ଯାଇଛି। ଇରାନ ସହ ଯୁଦ୍ଧ ହେବା ପରେ ତୈଳ ମୂଲ୍ୟରେ ୫୦ % ବଢ଼ି ସାରିଲାଣି।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱବ୍ୟାପୀ ବଜାରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ନିବେଶକମାନେ ରିସ୍କ ଉଠାଇବା ପରିବର୍ତ୍ତେ ଏକ ନିରାପଦ ଆସେଟ ଭାବରେ ଆମେରିକୀୟ ଡଲାରରେ ନିବେଶ କରୁଛନ୍ତି। BofA ଗ୍ଲୋବାଲ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, "ଯଦି ଏହି ଯୁଦ୍ଧ ଦୀର୍ଘ ସମୟ ଧରି ଜାରି ରହେ, ତେବେ ତୈଳ ଆମଦାନୀ ଉପରେ ନିର୍ଭରଶୀଳ ଦେଶଗୁଡ଼ିକର ମୁଦ୍ରା ସବୁଠାରୁ ଅଧିକ ଚାପରେ ରହିବ। ଭାରତ (INR) ଏବଂ ଫିଲିପାଇନ୍ସ (PHP) ସବୁଠାରୁ ଦୁର୍ବଳ ପରିସ୍ଥିତିର ସାମ୍ନା କରିପାରନ୍ତି।

ମୁଦ୍ରା ମୂଲ୍ୟ ହ୍ରାସ ହେବା ଦ୍ୱାରା ଦେଶରେ ମହଙ୍ଗା ସ୍ଥିତି ଦେଖା ଦେବା। କାରଣ ଆମଦାନୀ କରାଯାଉଥିବା କିଛି ସାମଗ୍ରୀର ମୂଲ୍ୟ ବଢ଼ିବ। ସେହିପରି ବିଦେଶରେ ପାଠପଢ଼ିବାରେ ଭାରତୀୟ ଛାତ୍ରଛତାତ୍ରୀଙ୍କ ପାଇଁ ଆହୁରି ବ୍ୟୟବହୁଳ ହେବ।

କେମିତି ଖସେ ମୁଦ୍ରା ମୂଲ୍ୟ?

ଯଦି ଡଲାର ତୁଳନାରେ ଯଦି କୌଣସି ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଏ, ତେବେ ଏହାକୁ ମୁଦ୍ରା ହ୍ରାସ, କିମ୍ବା ଦୁର୍ବଳ ହେବା ବୋଲି କୁହାଯାଏ। ଇଂରାଜୀରେ ଏହାକୁ ମୁଦ୍ରା ଅବମୂଲ୍ୟାୟନ (କରେନ୍ସି ଡେପ୍ରିସିଏସନ) କୁହାଯାଏ। ପ୍ରତ୍ୟେକ ଦେଶର ବିଦେଶୀ ମୁଦ୍ରା ସଂରକ୍ଷଣ ଅଛି, ଯାହା ମାଧ୍ୟମରେ ସେମାନେ ଆନ୍ତର୍ଜାତୀୟ କାରବାର କରନ୍ତି। ବିଦେଶୀ ଭଣ୍ଡାର ବୃଦ୍ଧି କିମ୍ବା ହ୍ରାସର ପ୍ରଭାବ ମୁଦ୍ରାର ମୂଲ୍ୟ ଉପରେ ପଡ଼େ। ଯଦି ଭାରତର ଫରେନ ରିଜର୍ଭରେ ଯେତିକି ଡଲାର ରହିଛି ଆମେରିକୀୟ ଭଣ୍ଡାରରେ ସେତିକି ଟଙ୍କା ରହିବ ତେବେ ଭାରତୀୟ ମୁଦ୍ରା ମୂଲ୍ୟ ସ୍ଥିର ରହିବ। ଯଦି ଆମ ପାଖରୁ ଡଲାର କମେ ତେବେ ଟଙ୍କା ଦୁର୍ବଳ ହେବ; ଯଦି ଏହା ବୃଦ୍ଧି ପାଏ, ତେବେ ଟଙ୍କା ମଜବୁତ ହେବ।