ନୂଆଦିଲ୍ଲୀ: ଦୁନିଆରେ ବିଲେନିୟରଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଏଥିରୁ ଅନେକ ଏପରି ଅଛନ୍ତି, ଯେଉଁମାନେ କମ ବୟସରେ ଏହି ଉପଲବ୍ଧି ପାଇପାରେ ସଫଳ ହୋଇଛନ୍ତି । ଯଦି ସବୁଠୁ ଯୁବ ବୟସରେ ବିଲେନିୟର ହୋଇଥିବା ବିଜନେସମ୍ୟାନଙ୍କ କଥା କହିବା, ତେବେ ଏହି ସୂଚୀର ସବୁଠୁ ଉପରେ ଅଛନ୍ତି ମେଟାର ସିଇଓ ମାର୍କ ଜୁକରବର୍ଗ । ମାତ୍ର ୨୩ ବର୍ଷ ବୟସରେ ସେ ବିଲେୟନିର ହୋଇଥିଲେ । ଅନ୍ୟପଟେ ଏହି ସୂଚୀରେ ମନୋରଞ୍ଜନରୁ ଆରମ୍ଭ କରି ଖେଳ ଦୁନିଆର ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି ।
ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ଭିନ୍ନ ଭିନ୍ନ ସେକ୍ଟରରେ କାମ କରୁଥିବା ଦୁନିଆର ଏପରି ବିଲେନିୟରଙ୍କ ଲିଷ୍ଟ ଜାରି କରିଛି, ଯେଉଁ ସବୁଠୁ କମ ବୟସରେ ଏହି ଲିଷ୍ଟରେ ସାମିଲ ହୋଇଥିଲେ । ଏଥିରୁ ଅନେକ ଏବେ ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ଅଛନ୍ତି । ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମାତ୍ର ୨୩ ବର୍ଷରେ, ବିଲେୟନିୟର ହୋଇଥିଲେ । ଯିଏ ବର୍ତ୍ତମାନ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି । ଏହି ତାଲିକାର ପରବର୍ତ୍ତୀ ନାଁ ହେଉଛି ଇଭାନ ଥୋମାସ୍ ସ୍ପାଇଗଲ୍ । ଥୋମାସ୍ ହେଉଛନ୍ତି ଆମେରିକୀୟ କମ୍ପାନି ସ୍ନାପ୍ ଇଙ୍କର ସିଇଓ ଏବଂ ସହ ପ୍ରତିଷ୍ଠାତା । ସେ ମାତ୍ର ୨୫ ବର୍ଷ ବୟସରେ ବିଲେନିୟର ହୋଇଥିଲେ ।
ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ଗୁଗଲର ଦୁଇ ସହ ପ୍ରତିଷ୍ଠାତା ଲେରି ପେଜ୍ ଓ ସର୍ଗେଇ ବ୍ରିନ୍ । ୧୯୯୮ରେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ପିଏଚଡି ବେଳେ ଦୁହେଁ ପରସ୍ପରକୁ ଭେଟିଥିଲେ ଓ ପରେ ଗୁଗଲର ସ୍ଥାପନା କରିଥିଲେ । ୨୦୧୫ ଆଲ୍ଫାବେଟ୍ ନାଁରେ ଏକ ପେରେଣ୍ଟ କମ୍ପାନି କରିଥିଲେ, ଯାହା ତଳେ ଗୁଗଲ, ନେସ୍ଟ୍, କେଲିସ୍କୋ ସମେତ ଅନ୍ୟ କମ୍ପାନି ଅଛନ୍ତି । ଲେରି ପେଜ୍ ୩୦ ବର୍ଷ ବୟସରେ ବିଲେନିୟର ହୋଇଥିଲେ । ସେହିପରି ସେର୍ଗେଇ ବ୍ରିନ ୩୧ ବର୍ଷରେ ଏହି ଲିଷ୍ଟରେ ଏଣ୍ଟ୍ରି ମାରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ଦୁନିଆର ସବୁଠୁ ଧନୀ ତାଲିକାରେ ଦୁହେଁ ଅଛନ୍ତି । ଲେରି ପେଜ୍ ୧୭୦ ବିଲିୟନ ଡଲରା ସମ୍ପତ୍ତି ସହ ଷଷ୍ଠ ସ୍ଥାନରେ ଓ ସର୍ଗେଇ ୧୫୯ ବିଲିୟନ ଡଲାର ସମ୍ପତ୍ତି ସହ ସପ୍ତମ ସ୍ଥାନରେ ଅଛନ୍ତି ।
ଯଦି ଆମେ ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ଦ୍ୱାରା ପ୍ରକାଶିତ ତଥ୍ୟ ଉପରେ ନଜର ପକାଇବା, ତେବେ ଅନ୍ୟ ବଡ଼ ନାଁଗୁଡ଼ିକ ମଧ୍ୟରେ ୩୧ ବର୍ଷ ବୟସରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ, ୩୩ ବର୍ଷ ବୟସରେ ଗାୟିକା ରିହାନା, ଖେଳ ଜଗତରୁ ଟାଇଗର ଉଡ୍ସ ୩୩ ବର୍ଷରେ ବିଲେନିୟର ହୋଇଥିଲେ । ୩୫ ବର୍ଷ ବୟସରେ ଜେଫ୍ ବେଜୋସ୍, ୩୮ ବର୍ଷ ବୟସରେ ଷ୍ଟିଭ୍ ବଲମର ବିଲେନିୟର ହୋଇଥିଲେ । ଆଜି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ୪୧ ବର୍ଷ ବୟସରେ ବିଲେନିୟରଙ୍କ ତାଲିକାରେ ନିଜ ନାଁ ସାମିଲ କରିଥିଲେ । ଯୁବ ବୟସରେ ଏହି ତାଲିକାରେ ସାମିଲ ହୋଇଥିବା ଶିଳ୍ପପତିଙ୍କ ମଧ୍ୟରେ ଭାରତର ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ମଧ୍ୟ ଅଛନ୍ତି । ୪୬ ବର୍ଷ ବୟସରେ ସେ ଏହି ଲିଷ୍ଟରେ ଏଣ୍ଟ୍ରି ମାରିଥିଲେ । ଚୀନର ଜ୍ୟାକ୍ ମା ୪୫ ବର୍ଷରେ ଓ ଫ୍ରାନ୍ସର ବେରନାଡ୍ ଆରନଲ୍ଟ ୪୮ ବର୍ଷରେ ବିଲେନିୟର ହୋଇଥିଲେ । ସେହିପରି ବିଶ୍ୱର ବିଶିଷ୍ଟ ଏବଂ ଚର୍ଚ୍ଚିତ ନିବେଶକ ୱାରେନ୍ ବଫେଟ୍ ୫୬ ବର୍ଷରେ ବିଲେନିୟର ହୋଇଥିଲେ ।