LIVE TV
LIVE TV

ପ୍ରିୟ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି....

NEWS7
know-about-the-mysterious-book-people-believes-written-by-the-devil-himself

ଭୁବନେଶ୍ୱର ୨୮/୧୧ : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେ.ଇ.ଇ.) ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ମୁଁ ସଦ୍ୟ ଆର.ଇ.ସି. ରାଉରକେଲାରେ ବୈଦ୍ୟୁତିକ ଇଞ୍ଜିନିଅରିଂ ବିଭାଗରେ ପଢ଼ିବା ପାଇଁ ନାମ ଲେଖାଇଥାଏ । ନୂଆ କରି ଇଞ୍ଜିନିଅରିଂ କଲେଜରେ ଯୋଗ ଦେଇଥିବାରୁ ମନରେ ଖୁବ୍ ଉତ୍କଣ୍ଠା ଓ ଉତ୍ସାହ ଥାଏ । ସେତିକିବେଳେ ଛାତ୍ରମାନଙ୍କ ମହଲରେ ଜଣେ ଅଧ୍ୟାପକଙ୍କ କଥା ଅଧିକ ଚର୍ଚ୍ଚାରେ ଥିଲା । ଜାଣିବାକୁ ପାଇଲି ଯେ, ବୈଦ୍ୟୁତିକ ଇଞ୍ଜିନିଅରିଂ ବିଭାଗରେ ଜଣେ ପ୍ରଫେସର ଅଛନ୍ତି, ଯିଏକି ଭାରତୀୟ ବିଜ୍ଞାନ ଅନୁଷ୍ଠାନ ବାଙ୍ଗାଲୋରରୁ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଇଞ୍ଜିନିଅରିଂ ପାସ୍ କରିଛନ୍ତି ଏବଂ ଆଇ.ଆଇ.ଟି. ଖଡ଼ଗପୁରର ଅଧ୍ୟାପନା ଚୟନକୁ ପ୍ରତ୍ୟାଖ୍ୟାନ କରି ଆର.ଇ.ସି. ରାଉଇକେଲାରେ ଯୋଗଦେଇ ଅଧ୍ୟାପନା କରୁଛନ୍ତି । ଏଭଳି ଜଣେ କୃତବିଦ୍ୟ ଅଧ୍ୟାପକଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ମନରେ ଉତ୍କଣ୍ଠା ବଢ଼ିଲା ଏବଂ ଜାଣିବାକୁ ପାଇଥିଲି ଯେ, ସେ ମେଟ୍ରିକ୍ ପରୀକ୍ଷାରେ ମଧ୍ୟ ପ୍ରଥମ ହୋଇଥିଲେ । ସମୟକ୍ରମେ ମୁଁ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କଲି ।

ସେ ଥିଲେ ଆମର ଖୁବ୍ ଆପଣାର ସାର୍- ପ୍ର. ପ୍ରଦୀପ୍ତ କିଶୋର ଦାଶ । କଥାରେ ଯେତିକି ଗାମ୍ଭୀର୍ଯ୍ୟ ଭରି ରହିଥିଲା ଚେହେରାରେ ସେତିକି ମାନବିକତାର ଛବି ପ୍ରତିଫଳିତ ହେଉଥିଲା ଏବଂ ସର୍ବୋପରି ସାର୍ଙ୍କର ପାଠପଢ଼ାର ପଦ୍ଧତି ଥିଲା ଅନ୍ୟମାନଙ୍କଠୁ ସମ୍ପୂର୍ଣ୍ଣ ନିଆରା । ଗବେଷଣାତ୍ମକ ଅଧ୍ୟାପନାର ଏକ ଭିନ୍ନ ଠାଣି ସାରଙ୍କୁ ସମସ୍ତଙ୍କ ନିକଟରେ ଏକ ନୂତନ ପରିଚୟ ଦେଇଥିଲା ଏବଂ ଆର.ଇ.ସି. ରାଉରକେଲାର ଅନେକ ବିଦ୍ୟାର୍ଥୀ ଏବଂ ପ୍ରାଧ୍ୟାପକ ସାର୍ଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଶୈଳୀରେ ପ୍ରଚଣ୍ଡ ଭାବରେ ପ୍ରଭାବିତ ହେବାର ମୁଁ ଲକ୍ଷ୍ୟ କରିଥିଲି । ଜଣେ ଛାତ୍ର ଭାବରେ ସାର୍ଙ୍କ ଆଦର୍ଶ ଯେ ମୋତେ ଅନୁରୂପ ଭାବରେ ପ୍ରଭାବିତ କରିଥିଲା, ସେକଥା ମୁଁ ଅବଶ୍ୟ ମୁକ୍ତକଣ୍ଠରେ ସ୍ୱୀକାର କରିବି । ଏହା ଭିତରେ ବହୁତ ବର୍ଷ ସରିଥିଲା । ମୁଁ ଆଇ.ଇ.ସି. ରାଉରକେଲାରୁ ପଢ଼ାସାରି ସେଠାରୁ ବିଦାୟ ନେଇ ସାରିଥିଲି । ସାର୍ କିନ୍ତୁ ତାଙ୍କର ସେହି ପ୍ରିୟ ଅନୁଷ୍ଠାନରେ ଅଧ୍ୟାପନା ଓ ଗବେଷଣା କରି ବର୍ଷ ପରେ ବର୍ଷ ଉତାରି ଚାଲିଥିଲେ ଅନେକ ମେଧାମୀ ଛାତ୍ର ଓ ଗବେଷକ, ଯେଉଁମାନେ ପରବର୍ତ୍ତୀ ଜୀବନରେ ଅନେକ ଉଚ୍ଚ ପଦପଦବିରେ ଆସୀନ ହୋଇଥିଲେ । କେବଳ ଅଧ୍ୟାପନା ନୁହେଁ ତା' ସହିତ ନିଜର ଗବେଷଣା କାର୍ଯ୍ୟରେ ସାର୍ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମଜ୍ଜି ରହିଥିଲେ । ଖାଲି ଅଧ୍ୟାପନା ନୁହେଁ, ଦେଶ ବିଦେଶରେ ଶିକ୍ଷା ଓ ଗବେଷଣାରେ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଥିଲେ । ଭାରତରେ ପିଏଚ.ଡି. କରିଥିଲେ ସୁଦ୍ଧା ନିଜର ଅନେକ ଗବେଷଣାତ୍ମକ ପ୍ରବନ୍ଧକୁ ବିଶ୍ୱର ଅତି ଉଚ୍ଚ ମାନର ଗବେଷଣା ପତ୍ରିକାରେ ଛାପି ଖୁବ୍ ସୁନାମ ଅର୍ଜନ କରିଥିଲେ । ଏହାପରେ କାନାଡ଼ାର କାଲାଗାରୀ ବିଶ୍ୱବିଦ୍ୟାଳୟ, ମାନିଟୋବୋ ବିଶ୍ୱବିଦ୍ୟାଳୟ, ଆମେରିକାର ୱାସିଂଟନ୍ ବିଶ୍ୱବିଦ୍ୟାଳୟ, ଭର୍ଜିନିଆ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଆଦିରେ ପୋଷ୍ଟ ଡକ୍ଟରାଲ ଗବେଷଣା କାର୍ଯ୍ୟ ସଂପାଦନ କରି କାନାଡ଼ାର ନିଉ ବ୍ରାଉନ୍ସବିକ୍ରେ କିଛି କାଳ ଅଧ୍ୟାପନା କରନ୍ତି । ପରେ ସିଙ୍ଗାପୁର ଏବଂ ମାଳୟେସିଆର କେତେଗୋଟି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଓ ଗବେଷଣାରେ ପ୍ରସିଦ୍ଧି ହାସଲ କରନ୍ତି । କିନ୍ତୁ ଆର.ଇ.ସି. ରାଉରକେଲାକୁ ହିଁ ସେ ପୁଣି ଫେରନ୍ତି । ବିଦେଶୀ ବିଶ୍ୱବିଦ୍ୟାଳୟର ମୋହ ତାଙ୍କୁ ବାନ୍ଧି ରଖିପାରେନାହିଁ ।

ଇତ୍ୟବସରେ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ପାଇଁ ବହୁତ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ଭୂଷିତ ହୋଇସାରିଥାନ୍ତି । ଆର.ଇ.ସି. ରାଉରକେଲାରେ ତାଙ୍କରି ନେତୃତ୍ୱରେ ସ୍ଥାପିତ ହୁଏ କମ୍ପ୍ୟୁଟର ବିଜ୍ଞାନ କେନ୍ଦ୍ର ଏବଂ ତାଙ୍କ ସୁପରିଚାଳନା ଏବଂ ମାର୍ଗଦର୍ଶନରେ ଏହା ଆନ୍ତର୍ଜାତିକ କ୍ଷେତ୍ରରେ ସମୟକ୍ରମେ ସୁନାମ ଅର୍ଜନ କରେ ଗୁଣାତ୍ମକ ମାନଯୁକ୍ତ ଗବେଷଣା ନିମନ୍ତେ ଅନେକ ଛାତ୍ରଛାତ୍ରୀ ତାଙ୍କ ଅଧୀନରେ ଗବେଷଣା କରି ପିଏଚ.ଡି. ଡିଗ୍ରୀ ହାସଲ କରନ୍ତି । ଇତ୍ୟବସରେ ସାର୍ ନୂଆ ନୂଆ କ୍ଷେତ୍ରରେ ନିଜର ଗବେଷଣା ଜାରି ରଖନ୍ତି । ଖୁବ୍ଶୀଘ୍ର ବିଦ୍ୟୁତ୍ ଓ ଅଭିବିଦ୍ୟୁତ୍ ବୈଷୟିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବରେ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ପରଚିତ ହୁଅନ୍ତି । ସାମୟିକ ଭାବରେ ଆଇ.ଆଇ.ଟି. ଦିଲ୍ଲୀ ଏବଂ ଆଇ.ଆଇ. ଟି. କାନପୁର, ସିଙ୍ଗାପୁରର ଏନ.ୟୁ.ଏସ. ଏବଂ ମାଲେସିଆର ଟେଲିକମ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ପ୍ରଫେସର ଦାଶ ପ୍ରଚୁର ସୁଖ୍ୟାତି ଅର୍ଜନ କରନ୍ତି । ପରିଶେଷରେ ୨୦୦୧ ମସିହାରେ ଆର.ଇ.ସି. ରାଉରକେଲାରୁ ସାର୍ ଅବସର ନିଅନ୍ତି । ଚାକିରି ସରେ ସିନା, ହେଲେ କର୍ତ୍ତବ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼େନାହିଁ । ନିଜର ପ୍ରିୟ ସହର ଓ ଅନୁଷ୍ଠାନ ରାଉରକେଲା ଛାଡ଼ି ସାର୍ ଫେରନ୍ତି ଭୁବନେଶ୍ୱର । ବୟସ ସିନା ସରକାରୀ ଚାକିରିରୁ ଅବସର ପାଇଁ ବାଧ୍ୟ କରିଥିଲା, କିନ୍ତୁ ତାଙ୍କର ସଦା ସକ୍ରିୟ ମନ ନୂଆ କିଛି କରିବାକୁ ତଥାପି ଚଞ୍ଚଳ ଥିଲା । ଏହାର ମାତ୍ର କିଛି ବର୍ଷ ପରେ, ୨୦୦୭ରେ ଯେତେବେଳେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୁଏ, ମୁଁ ସାର୍ଙ୍କୁ କୁଳପତି ଭାବେ ଯୋଗଦେବା ପାଇଁ ଅନୁରୋଧ କରେ । ଏ ଅନୁରୋଧ ଥିଲା ଜଣେ ଛାତ୍ରର ଏବଂ ନିଜର ପ୍ରିୟ ତଥା ଆଦର୍ଶ ଗୁରୁଙ୍କୁ । ଯେପରି ମୋ ଭିତରୁ କେହି କହୁଥିଲା ଯେ ସାର୍ ହିଁ ‘ସୋଆ'କୁ ଗଢ଼ିପାରିବେ ଏବଂ ଉଚିତ ନେତୃତ୍ୱ ଦେଇପାରିବେ । ତେଣୁ ଯେଉଁଦିନ ସାର୍ ପ୍ରଥମ କୁଳପତି ଭାବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଯୋଗଦିଅନ୍ତି, ସେଦିନ ମୁଁ ବ୍ୟକ୍ତିଗତ ଭାବରେ ବହୁତ ଖୁସି ହୁଏ, କାରଣ ପୃଥିବୀର ଜଣେ ବିଜ୍ଞ ପ୍ରଫେସର ଏବଂ ନିଜର ଶିକ୍ଷକ ଆମ ସହିତ ଶିକ୍ଷା ଓ ଗବେଷଣାର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।

ସାରଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ପ୍ରତିଷ୍ଠା ହୁଏ ମଲ୍ଟି ଡିସପ୍ଲିନ ରିସର୍ଚ୍ଚ ସେଲ୍ ଏବଂ ସୃଷ୍ଟିହୁଏ ଗବେଷଣାର ଏକ ବ୍ୟାପକ ପରିବେଶ । ପ୍ରାୟ ୮୦ରୁ ଅଧିକ ଗବେଷକଙ୍କୁ ନିଜ ମାର୍ଗଦର୍ଶନରେ ଗଢ଼ନ୍ତି ସାର୍ ଏବଂ ସେମାନେ ଦେଶ, ବିଦେଶରେ ବିଭିନ୍ନ ଅନୁଷ୍ଠାନରେ ନିଜସ୍ୱ ପରିଚୟ ସୃଷ୍ଟି କରନ୍ତି । ସାରଙ୍କ ପ୍ରତିଟି ପରାମର୍ଶ ମୋ ପାଇଁ ସଦାବଳେ ଗ୍ରହଣୀୟ ହୁଏ । ଶିକ୍ଷା ଓ ଗବେଷଣା ସହିତ ସାରଙ୍କ ମାନବିକ ମୂଲ୍ୟବୋଧ ଏବଂ ସଭିଙ୍କୁ ନିଜର କରିବାର ଭାବନା ସମସ୍ତଙ୍କୁ ମୁଗ୍ଧ କରୁଥିଲା । ଯିଏ ବି ସାରଙ୍କ ଘରକୁ ଯାଏ ଏବଂ ସେଠାରେ ସେ ଯେଉଁ ବ୍ୟବହାର ପାଏ ତାହା କେବେ ବି ଭୁଲି ପାରେନି । ଅନେକ ସମୟରେ ମୁଁ ସାରଙ୍କ ଘରକୁ ବିଭିନ୍ନ କାମରେ ଯାଇଛି ଏବଂ ମାଡାମ୍ ଆମକୁ ନଖୋଇ ଛାଡ଼ନ୍ତି ନାହିଁ । ସେପରି ଅନାବିଳ ସ୍ନେହ ଓ ଶ୍ରଦ୍ଧା ବୋଧହୁଏ କ୍ୱଚିତ ପରିବାରରେ ଦେଖିବାକୁ ମିଳେ । ଏହା ଅନନ୍ୟ ଓ ଅଭୁଲା । ସାରଙ୍କ ପ୍ରେରଣା ଓ ଉପଦେଶରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ତା'ର ଯାତ୍ରା ଜାରି ରଖି ଢେର୍ ଆଗକୁ ବଢ଼େ ଏବଂ ସାରା ପୃଥିବୀରେ ଏକ ନିଜସ୍ୱ ପରିଚୟ ସୃଷ୍ଟିକରେ । ଶିକ୍ଷା ଓ ଗବେଷଣା ପାଇଁ ସାରଙ୍କ ଅବଦାନ ଅତୁଳନୀୟ ଏବଂ ତାହା ଭବିଷ୍ୟତ ପିଢ଼ିକୁ ଯେ ବିପୁଳ ମାତ୍ରାରେ ପ୍ରଭାବିତ କରିବ ଏଥିରେ ଦ୍ୱିମତ ନାହିଁ । ଆଜି ସାର୍ ଆମମାନଙ୍କ ଗହଣରେ ସଶରୀରେ ନାହାଁନ୍ତି ସତ, କିନ୍ତୁ ତାଙ୍କର ମାର୍ଗଦର୍ଶନ, ପରାମର୍ଶ ଆମ ପାଇଁ ଯେମିତି ଥିଲା, ସବୁଦିନ ସେମିତି ରହିଥିବ । ତାଙ୍କରି ପ୍ରେରଣା ହିଁ ଜଣେ ଛାତ୍ର ଭାବରେ ମୋ ମନରେ ଏପର୍ଯ୍ୟନ୍ତ ସତେଜ ହୋଇ ରହିଛି । ମୋ ହୃଦୟ ଯେପରି ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲାବେଳେ ଗୁଞ୍ଜରି ଉଠୁଛି- ଆପଣଙ୍କ ବିରଳ ବ୍ୟକ୍ତିତ୍ୱ ଓ ମହାନୁଭବତା ଆମ ହୃଦୟରେ ଅଲିଭା ଚିହ୍ନ ସୃଷ୍ଟି କରିଛି । ଆପଣ ସଦାବେଳେ ଆମ ମାନସପଟରେ ଜୀବିତ ହୋଇ ରହିଥିବେ । ଆପଣଙ୍କ ଶାଶ୍ୱତ ଆତ୍ମା ପ୍ରତି ଆମର ଭକ୍ତିପ୍ଳୁତ ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି ।

ପ୍ରଫେସର ମନୋଜରଞ୍ଜନ ନାୟକ

ସଭାପତି, ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର