ନୂଆଦିଲ୍ଲୀ: ପୁଣିଥରେ ସିମ୍ଲା ଚୁକ୍ତି ବାତିଲ କଥା ଦୋହରାଇଛି ପାକିସ୍ତାନ। ପାକିସ୍ତାନ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ସିମଲା ଚୁକ୍ତିନାମାର ଆଉ କୌଣସି ମୂଲ୍ୟ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍। ଗୁରୁବାର ପାକିସ୍ତାନ ଗଣମାଧ୍ୟମ ଜିଓ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତ କିଛି ସପ୍ତାହ ମଧ୍ୟରେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଅନେକ ଏଭଳି ଅନେକ ଅସଙ୍ଗତ ବୟାନ ଦେଇଛନ୍ତି। ଯାହାକୁ ନେଇ ପରେ ସମାଲୋଚନା ମଧ୍ୟ କରାଯାଇଛି।
ଗୁରୁବାର ମିଡିଆକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି “"ଏହି ଚୁକ୍ତିନାମା ଦ୍ୱିପାକ୍ଷିକ ଥିଲା କାରଣ କୌଣସି ତୃତୀୟ ପକ୍ଷ କିମ୍ବା ବିଶ୍ୱ ବ୍ୟାଙ୍କ ଏଥିରେ ସାମିଲ ନଥିଲେ।" ତେଣୁ ପାକିସ୍ତାନ ସିମଲା ଚୁକ୍ତିନାମାକୁ ସମାପ୍ତ କରିବା ବିଷୟରେ ବିଚାର କରିପାରିବ ବୋଲି ଖ୍ୱାଜା ଅସିଫ ସୂଚନା ଦେଇଛନ୍ତି। ଆଉ ଯଦି ଏପରି ହେଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (LoC) କେବଳ ଏକ "ଅସ୍ତ୍ରବିରତି ରେଖା" ହୋଇଯିବ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତର ଦଣ୍ଡାତ୍ମକ ପଦକ୍ଷେପ ପରେ, ପାକିସ୍ତାନ କେବଳ ସିମଲା ଚୁକ୍ତିନାମାକୁ ବାତିଲ କରିବାକୁ ଧମକ ଦେଇଆସୁଛି। କିନ୍ତୁ ଏହି ଐତିହାସିକ ଚୁକ୍ତିନାମାକୁ ବାତିଲ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହିଁ।
ସୂଚନା ଥାଉକି ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ ପରେ ସିମଲା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ପରିଚାଳନା କରିବା ଏଥିରେ କିଛି ଶାନ୍ତି ପ୍ରତିଷ୍ଠାର ନୀତି ରହିଥିଲା। ଯଦି ବି ପାକିସ୍ତାନ ଏହାକୁ ରଦ୍ଦ କରେ ତେବେ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ଏହା କେବଳ ଏକ ଶାନ୍ତି ପ୍ରତିଷ୍ଠାର ଚୁକ୍ତି ଥିଲା।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆତଙ୍କବାଦୀଙ୍କୁ ମାରିବାକୁ ଭାରତ ମେ ୭ ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ସଠିକ୍ ଆକ୍ରମଣ କରିଥିଲା। ଏହାପରେ ପାକିସ୍ତାନ ବିଳିବିଳେଇ ହୋଇ ଭାରତ ଉପରେ ଆକ୍ରମଣ କରିଥିଲା। ମେ ୮, ୯ ଏବଂ ୧୦ ତାରିଖରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରି ଫେଲ୍ ମାରିଥିଲା ପାକିସ୍ତାନ। ଅନ୍ୟପଟେ ଭାରତ ପାକିସ୍ତାନର କଡ଼ା ଜବାବ ବି ଦେଇଥିଲା।
ମେ ୧୦ ତାରିଖରେ ଉଭୟ ପକ୍ଷର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଏକ ବୁଝାମଣା ହୋଇଥିଲା। ସେବେଠାରୁ ସୀମାରେ ସିଜ୍ଫାୟାର ଲାଗି ରହିଛି।