ପାଟନା – ଚର୍ଚ୍ଚିତ ୟୁଟ୍ୟୁବର ଓ ଶିକ୍ଷକ ଖାନ ସାର, ସାୱନ ମାସର ଶେଷ ସୋମବାରରେ ଶିକ୍ଷା ପରେ ମେଡିକାଲ କ୍ଷେତ୍ରରେ ବଡ଼ ପଦକ୍ଷେପର ଘୋଷଣା କରିଛନ୍ତି। ପ୍ରତି ପର୍ବରେ ସେ ବିହାରର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜଡ଼ିତ ନୂଆ ସେବାର ଘୋଷଣା କରିବେ। ଏକ ଇଣ୍ଟରଭ୍ୟୁରେ ଖାନ ସାର କହିଛନ୍ତି ଯେ, ବିହାରର ପ୍ରତି ଜିଲ୍ଲାରେ ଡାଏଲିସିସ ସେଣ୍ଟର ଓ ବ୍ଲଡ୍ ବ୍ୟାଙ୍କ୍ ଖୋଲିବେ। ଯାହା ପାଇଁ ଜର୍ମାନୀ ଓ ଜାପାନରୁ ମେସିନ ମଗାଇବାକୁ ଯାଉଛି। ଖାନ ସାର୍ଙ୍କର ଆଗାମୀ ପ୍ଲାନରେ ଆଧୁନିକ ହସ୍ପିଟାଲ ମଧ୍ୟ ସାମିଲ ଅଛି। ଏହି ସମୟରେ ଖାନ ଶିବ ଭକ୍ତ ଭାବେ ନଜର ଆସି ଥିଲେ। ମଥାରେ ତିଳକ ଓ ତ୍ରିପୁଣ୍ଡ ଲଗାଇ ଥିଲେ।
ଖାନ ସାର୍ କହିଛନ୍ତି ଯେ, କିଡନୀ ଖରାପ ହେବାର ସମସ୍ୟାରେ ପୀଡ଼ିତ ରୋଗୀଙ୍କ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଡାଏଲିସିସ ସେଣ୍ଟ ସ୍ଥାପନ କରିବେ। ସେ କହିଛନ୍ତି ଯେ, ଥରେ ଡାଏଲିସିସ କଲେ ହାରାହାରି ୪୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିରେ ଜଣେ ରୋଗୀକୁ ମାସକୁ ପାଖାପାଖି ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ। ଏହାକୁ ନଜରରେ ରଖି ସେ ଖୁବ୍ କମ୍ ଦାମ୍ରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବେ। ଯେଉଁଥିରେ ଗରିବଙ୍କୁ ବାରମ୍ୱାର ପାଟନା ଆସିବାକୁ ପଡ଼ିବ ନାହିଁ।
ଖାନ ସାର୍ କହିଛନ୍ତି ଯେ, ସେ ପ୍ରତ୍ୟେକ ପର୍ବରେ ନୂତନ ସେବା ଯୋଗାଇବା ପାଇଁ କାମ କରିବେ। ନବରାତ୍ରର ପ୍ରଥମ ଦିନରେ ବ୍ଲଡ ବ୍ୟାଙ୍କର ଆରମ୍ଭ କରି ସମାଜକୁ ଏକ ଭଲ ବାର୍ତ୍ତା ଦେବାକୁ ଚେଷ୍ଟା କରିବେ। ରକ୍ତ ଭଣ୍ଡାରଟି ଆଡଭାନ୍ସ ଟେକ୍ନୋଲଜିରେ ସଜ୍ଜିତ ହେବ। ଜାପାନରୁ ମେସିନ ମଗାଇବାକୁ ଯାଉଛନ୍ତି। ଏହାର ଗୁଣବତ୍ତା ଓ ଟେକନିକ୍ ଅନ୍ତରାଷ୍ଟ୍ରୀୟ ସ୍ତରର ହେବ।
ଦିପାବଳୀରେ ଲୋକଙ୍କୁ ଅତ୍ୟାଧୁନିକ ହସ୍ପିଟାଲର ଉପହାର ଦେବେ। ଯାହାକି ପ୍ରାଇଭେଟ ହସ୍ପିଟାଲ ହେବ, କିନ୍ତୁ ସରକାରୀ ମୂଲ୍ୟରେ ଚିକିତ୍ସା ଓ ଔଷଧ ମିଳିବ। ଛଟ୍ରେ ଆଧୁନିକ ଡାଇଗ୍ନୋସିସ୍ ସେଣ୍ଟରର ଶୁଭାରମ୍ଭ କରିବେ। ଯାହାର ମେସିନ ଜର୍ମାନୀରୁ ମଗାଇବାକୁ ଯାଉଛନ୍ତି। ଶିକ୍ଷା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଖାନ ସାର୍ ଏବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି।