ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲାହ ଅଲୀ ଖାମେନୀଙ୍କୁ ହତ୍ୟା କରିବାକୁ ଇସ୍ରାଏଲ୍ ଶପଥ ନେଇ ସାରିଛି। ଆମେରିକା ବି ଖାମେନୀଙ୍କୁ ହତ୍ୟା କରି ଇରାନ୍ରେ ଶାସନ ବଦଳାଇବାକୁ ଷଡ଼ଯନ୍ତ୍ର କରୁଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ ଖାମେନିଙ୍କୁ ଅତ୍ୟନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ମିଳିଛି। ଏବଂ ତାଙ୍କ ସୁରକ୍ଷା ଏକ ଅତ୍ୟନ୍ତ ଗୁପ୍ତ, ଶୀର୍ଷ ସୁରକ୍ଷା ୟୁନିଟ୍ ଦ୍ୱାରା ପରିଚାଳିତ ହେଉଛି। ଇରାନ ଭିତରୁ ତାଙ୍କ ଜୀବନ ପ୍ରତି ବିପଦ ବୃଦ୍ଧି ପାଉଥିବାରୁ ତାଙ୍କୁ ବର୍ତ୍ତମାନ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି, ଯେଉଁଠାରେ ତାଙ୍କୁ ଉଚ୍ଚ ପ୍ରଶିକ୍ଷିତ ବଡିଗାର୍ଡମାନେ ସୁରକ୍ଷା ଦେଉଛନ୍ତି ବୋଲି ତେହେରାନର ଅଧିକାରୀମାନେ ୟୁକେ ଟେଲିଗ୍ରାଫକୁ ସୂଚନା ଦେଇଛନ୍ତି।
ଇରାନରେ ବର୍ତ୍ତମାନ ଇସ୍ରାଏଲର ଗୁଇନ୍ଦା ନେଇ ପ୍ରବଳ ତନାଘନା ଚାଲିଛି। ଇସ୍ରାଏଲୀ ଗୁଇନ୍ଦା ବିଭାଗ ଖାମେନି ଶାସନର ବିଭିନ୍ନ ସ୍ତରରେ ଅନୁପ୍ରବେଶ କରି ସାରିଥିବା କୁହାଯାଉଛି। ୧୯୮୯ ମସିହାରୁ ଇରାନକୁ ଶାସନ କରୁଥିବା ୮୬ ବର୍ଷୀୟ ଖାମେନୀଙ୍କୁ ଏତେ ସୁରକ୍ଷିତ ରଖାଯାଇଛି ଯେ ତାଙ୍କୁ ସୁରକ୍ଷା ଦେଉଥିବା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ଶୀର୍ଷ ଅଧିକାରୀଙ୍କଠାରୁ ମଧ୍ୟ ତଥ୍ୟ ଲୁଚାଇ ରଖାଯାଇଛି।
ଖାମେନୀଙ୍କ ସୁରକ୍ଷା ନେଇ ୟୁକେର ଟେଲିଗ୍ରାଫ୍କୁ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ସେ ମୃତ୍ୟୁ ଠାରୁ ଲୁଚୁ ନାହାନ୍ତି। କିନ୍ତୁ ତାଙ୍କ ଜୀବନ ପ୍ରତି ବିପଦରେ ରହିଛି। ଏବଂ ତାଙ୍କ ସୁରକ୍ଷାରେ ଗୋଟେ ୟୁନିଟ କାମ କରୁଛି। ଏ ବିଷୟରେ କାହାକୁ କିଛି ଜଣା ନାହିଁ ବୋଲି ସେ କହିଛନ୍ତି।
ଆମେରିକା ଇରାନ-ଇସ୍ରାଏଲ ଯୁଦ୍ଧରେ ଏଣ୍ଟ୍ରି କରିବା ପର୍ଯ୍ୟନ୍ତ ଖାମେନି ଷୁଡ଼ଙ୍ଗ ଭିତରେ ନଥିଲେ। ଜୁନ୍ ୨୧ ତାରିଖରେ ଆମେରିକାର ଆକ୍ରମଣ ପରେ ଖାମେନୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। ଆମେରିକା ଫର୍ଦ୍ଦୋ ସମେତ ଇରାନ ୩ଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏହାପରେ ଇରାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି।
ସେପଟେ ଋଷ ଠାରୁ ନିରାଶ ହେବା ପରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖାମେନି ରାଷ୍ଟ୍ରପତି ପୁଟିନଙ୍କ ଅଧିକ ସହଯୋଗ ପାଇଁ ଚିଠି ଲେଖିଛନ୍ତି। ଏନେଇ ଖାମେନି ସୋମବାର ତାଙ୍କ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଦେଇ ମସ୍କୋ ପଠାଇଛନ୍ତି। ଚିଠିରେ ଆମେରିକା ଓ ଇସ୍ରାଏଲ ବିରୁଦ୍ଧ ଯୁଦ୍ଧରେ ଅଧିକ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି। ୧୯୭୯ ବିପ୍ଳବ ପରେ ଆମେରିକା ଇରାନ ଉପରେ ସବୁଠାରୁ ବଡ଼ ଆକ୍ରମଣ କରିଛି। ତେଣୁ ଇରାନ ଏହାର ପ୍ରତିଶୋଧ ନେବା ପାଇଁ ଅସ୍ଥିର ହୋଇପଡ଼ିଛି।