ଚତୁର୍ଥ ଶ୍ରେଣୀରେ ହୋଇଥିଲା ଝଗଡା, ୫୦ ବର୍ଷ ପରେ ଦାନ୍ତ ଭାଙ୍ଗି ନେଲେ ପ୍ରତିଶୋଧ,ବିବ୍ରତ କରିବ କେରଳର ଏ ଘଟଣା

Published By : Prameya-News7 Bureau | June 10, 2025 IST

କେରଳ ୧୦/୬: କୁହାଯାଏ ସମୟ ବିତିବା ସହ ପୁରୁଣା କ୍ଷତ ବି ଭରିଯାଏ । ହେଲେ କେରଳର କାସରଗଡରେ ଘଟିଥିବା ଏକ ଘଟଣା ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛି । ପୁରୁଣା ସ୍କୁଲ ବେଳର ଝଗଡା ଏମିତି ମୋଡରେ ଆସି ପହଞ୍ଚିଛି ଯେ ୩ ସାଂଗଙ୍କୁ ପୋଲିସ କେସର ସାମ୍ନା କରିବାକୁ ପଡିଛି । ୬୨ ବର୍ଷୀୟ ବାଳକୃଷ୍ଣ ପିଲାଦିନର ସାଂଗ ଭି.ଜେ ବାବୁ ଉପରେ ଆକ୍ରମଣ କରି ୫୦ ବର୍ଷ ତଳ ପୁରୁଣା ଘଟଣାକୁ ପୁଣି ତାଜା କରିଦେଇଛନ୍ତି  । କେରଳର କାସବଗଡ ଜିଲ୍ଲା ମାଲୋମ ସହରରୁ ସାମ୍ନାକୁ ଆସିଛି ଏମିତି କିଛି ଖବର । 

ସୋମବାର ଅପରାହ୍ନ ପ୍ରାୟ ଗୋଟାଏ ସମୟର ଘଟଣା । ଜନଗ୍ରାମ ହୋଟେଲ ବାହାରେ ଏକାଠି ହୋଇଥିଲେ ୩ ସାଙ୍ଗ ବାଳକୃଷ୍ଣ,ବାବୁ ଓ ମାଥିୟୁ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଉ ହେଉ ସେହି ପୁରୁଣା ଘଟଣା ମନେ ପଡିଯାଇଥିଲା । ବାଳକୃଷ୍ଣ ନିଜର ସହଯୋଗୀ ମାଥିୟୁଙ୍କ ସହ ମିଶି ବାବୁଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରଥମେ ବାଳକୃଷ୍ଣ ବାବୁଙ୍କ ସାର୍ଟ କଲର ଧରିଥିଲେ ଆଉ ମାଥିୟୁ ପଥରରେ ଦେହର ବିଭିନ୍ନ ସ୍ଥାନରେ ଆଘାତ ଦେଇ ଚାଲିଥିଲେ । ଏହି ଆକ୍ରମଣରେ ବାବୁଙ୍କ ୨ଟି ଦାନ୍ତ ଭାଙ୍ଗିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । 

ଚିନ୍ତାରେ ପକାଇଲା ପରି କଥା ହେଉଛି ଏହି ଝଗଡା ୧୯୭୨ ମସିହାର । ସେତେବେଳେ ବାଳକୃଷ୍ଣ,ମାଥିୟୁ ଓ ବାବୁ ମାଲୋମ ସହରର ନଟକ୍କଲୁ ଏଡେଡ ୟୁପି ସ୍କୁଲରେ ଏକାଠି ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ । ସେହି ସମୟର ଏକ ଘଟଣାକୁ ନେଇ ବର୍ତ୍ତମାନର ଆକ୍ରମଣ ଜଡିତ । ବାବୁ ହସ୍‌ପିଟାଲରେ ପୋଲିସକୁ ଦେଇଥିବା ତଥ୍ୟ ମୁତାବକ ଏହି ବିବାଦ କେବେ ସରିନଥିଲା । ସେହି ସମୟରେ ମୁଁ ବାଳକୃଷ୍ଣଙ୍କୁ ଗୋଟିଏ ଥର ମାଡ ମାରିଥିଲି । ସେହି ଦିନଠାରୁ ତା ମନରେ ସେହି କଥା ବସା ବାନ୍ଧି ରହିଥିଲା । ହେଲେ ଉପରକୁ ଜଣାପଡୁନଥିଲା । ସେଦିନର ଘଟଣା ପରେ ସବୁକିଛି ଠିକ ହୋଇଯାଇଥିଲା । ବାଳକୃଷ୍ଣର ମୋ ପ୍ରତି ବ୍ୟବହାର ଓ କଥାବାର୍ତ୍ତା ସ୍ବାଭାବିକ ଥିଲା । ହେଲେ ହେଲେ ଭିତରେ ଭିତରେ ସେ ପ୍ରତିଶୋଧ ନେବା କଥା ଭାବୁଥିବ ମୁଁ କେବେ ଭାବିନଥିଲି । ଘଟଣାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ହେଲେ ଏବେ ସୁଦ୍ଧା କାହାକୁ ଗିରଫ କରାଯାଇନି । ଘଟଣାର ଛାନ୍‌ଭିନ୍‌ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । କେରଳ ଏ ଘଟଣା ପ୍ରମାଣ ଦେଉଛି ଯଦି ପୁରୁଣା ଶତ୍ରୁତାକୁ ଭୁଲି ହୁଏନି ତେବେ ତାହା ସମୟ ବଢିବା ସହ ଆହୁରି ହିଂସ୍ର ଓ ଆକ୍ରମଣାତ୍ମକ ହୋଇଥାଏ । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.