ୱାସିଂଟନ ୨।୨: ଗତ ନଭେମ୍ବରରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଡେମୋକ୍ରାଟିକ ପାର୍ଟି ନ୍ୟାସନାଲ କମିଟି କେନ ମାର୍ଟିନଙ୍କୁ ନିଜର ନୂଆ ଅଧ୍ୟକ୍ଷ ଚୟନ କରିଛି। ମାର୍ଟିନ ଡେମୋକ୍ରାଟିକ ନ୍ୟାସନାଲ କମିଟିରେ ଦକ୍ଷିଣ କ୍ୟାରୋଲିନାର ଜ୍ୟେମେ ହ୍ୟାରିସନଙ୍କ ସ୍ଥାନ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ମାର୍ଟିନ ପାର୍ଟିରେ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଏହା ନୂଆ ଡେମୋକ୍ରାଟିକ ପାର୍ଟି।
ସେ କହିଛନ୍ତି ଯେ ସେ ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟନେଇ କୌଣସି ଚର୍ଚ୍ଚା ହେବନି ଯେଉଁ ପର୍ଯ୍ୟନ୍ତ ପାର୍ଟି ଗତ ରାଷ୍ଟ୍ରପତି ନିର୍ବାଚନର ସମୀକ୍ଷା ନ କରିଛି। ଗତ ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ପକ୍ଷରୁ କଣ ଭୁଲ ହୋଇଥିଲା ତାହା ସମୀକ୍ଷା କରାଯିବା ପରେ ହିଁ ଯାହା କିଛି କରାଯିବ ବୋଲି ମାର୍ଟିନ କହିଛନ୍ତି। ତେବେ ଏହି ପ୍ରକ୍ରିୟା ଲାଗି କେତେ ସମୟ ଲାଗିବ ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ମାର୍ଟିନ କହିଛନ୍ତି ଏହା ଯଥାଶୀଘ୍ର ଅନୁଷ୍ଠିତ ହେବ ଓ ଏହାର ରିପୋର୍ଟକୁ ସାର୍ବଜନିକ କରାଯିବ।
ପାର୍ଟି ନେତୃତ୍ୱର ନିର୍ବାଚନ ୱାସିଂଟନରେ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରତ୍ୟେକ ରାଜ୍ୟ ଓ ଆମେରିକୀୟ କ୍ଷେତ୍ରରୁ ୪୦୦ରୁ ଅଧିକ ଡିଏନସି ସଦସ୍ୟ ଶୀତକାଳୀନ ବୈଠକରେ ଏକତ୍ରୀତ ହୋଇଥିଲେ। ଚଳିତ ସପ୍ତାହରେ କ୍ୱିନିପିୟାକ୍ ବିଶ୍ୱବିଦ୍ୟାଳୟର ଏକ ସର୍ଭେରେ ଦେଶରେ ଡେମୋକ୍ରାଟିକ ପାର୍ଟିର ଲୋକପ୍ରୀୟତା ହ୍ରାସ ହେଉଥିବାର ରିପୋର୍ଟ କରିଛି। ମାତ୍ର ୩୧ ପ୍ରତିଶତ ଭୋଟର ଡେମୋକ୍ରାଟିକ ପାର୍ଟି ପ୍ରତି ଅନୁକୂଳ ରାୟ ଦେଇଛନ୍ତି। ତେବେ ୪୩ ପ୍ରତିଶତ ଭୋଟର ରିପବ୍ଲିକାନଙ୍କୁ ସମର୍ଥନ କରନ୍ତି ବୋଲି କୁହାଯାଇଛି।