ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଗୁରୁବାର ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ମାମଲାର ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ଯେ ଆମ ଆଡଭୋକେଟ୍ ଜେନେରାଲଙ୍କ ସାମନାରେ ଆମ କଥା ରଖିଛୁ । ସେ ସ୍ଥିତି ବାବଦରେ ଏକ ରିପୋର୍ଟ ଦେଇଛନ୍ତି, ଯାହାକୁ ରେକର୍ଡକୁ ନିଆଯାଇଛି । ଏହି ସ୍ୱତଃ ସଜ୍ଞାନକୁ ସ୍ୱତଃ ସଜ୍ଞାନ ରିଟ୍ ଆବେଦନ ଭାବେ ପଞ୍ଜିକୃତ କରିବା ପାଇଁ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟ ଜୁନ୍ ୧୦ରେ ଆବେଦନକୁ ପୁଣି ଥରେ ସୂଚୀବଦ୍ଧ କରିବା ପାଇ କହିଛନ୍ତି ।
ଶୁଣାଣି ବେଳେ ବରିଷ୍ଠ ପୋଲିସ ଅଧିକାରୀ କୋର୍ଟରେ କହିଥିଲେ ଯେ ଆମେ ପ୍ରଥମେ ଅନୁରୋଧ କରିବାକୁ ଚାହୁଁଛୁ ଯେ କୌଣସି ଦୋଷାରୋପ ନ ହେବା ଉଚିତ୍ । ଆମେ କେବଳ ଘଟଣାଗୁଡ଼ିକୁ ଯେପରି ଘଟିଥିଲା ସେପରି ଉପସ୍ଥାପନ କରିବାକୁ ଚାହୁଁଛୁ । ଆମେ କୌଣସି ପ୍ରତିକୂଳ ଦୃଷ୍ଟିକୋଣ ଗ୍ରହଣ କରୁନାହୁଁ । ପୋଲିସ ଅଧିକାରୀ କହିଥିଲେ ଯେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଷ୍ଟାଡିୟମର କ୍ଷମତା ୩୫,୦୦୦ ଓ ସାଧାରଣତଃ କେବଳ ୩୦,୦୦୦ ଟିକେଟ୍ ବିକ୍ରି ହୁଏ। ଏଥର ମାଗଣା ପ୍ରବେଶ ଯୋଗୁ ପ୍ରାୟ ୨.୫ ଲକ୍ଷ ଲୋକ ଆସିଥିଲେ ।
ଶୁଣାଣି ବେଳେ ଆଡଭୋକେଟ୍ ଜେନେରାଲ୍ ଶଶି କିରଣ ସେଟ୍ଟୀ କହିଥିଲେ ଯେ ସମାରୋହ ପାଇଁ ମାଗଣା ପ୍ରବେଶ ଘୋଷଣା ଯୋଗୁ ଭିଡ଼ ଜମିଥିଲା । ଯେଉଁଥି ପାଇଁ ଦଳାଚକଟା ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ସେ ସ୍ପଷ୍ଟ କହିଛନ୍ତି ଯେ ସରକାର ଏହି ମାମଲାକୁ ବିରୋଧ ରୂପେ ଦେଖିବାକୁ ଚାହୁଁନାହନ୍ତି । ବରଂ କେଉଁଠି ତ୍ରୁଟି ରହିଲା, ଭବିଷ୍ୟତରେ ଯେପରି ଏହା ନଘଟିବ ତାହା ବୁଝାଇବା ପାଇଁ ଉଦ୍ୟମ କରୁଛୁ । ଆଡଭୋକେଟ୍ ଜେନେରାଲ୍ କହିଥିଲେ ଯେ ସହର ସାରା ସୁରକ୍ଷା କର୍ମୀ ମୁତୟନ ଥିଲେ, କିନ୍ତୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ସ୍ଥିତି ଅନିୟନ୍ତ୍ରିତ ହୋଇଗଲା ।
ଅନ୍ୟପଟେ କୋର୍ଟ କହିଥିଲେ ଯେ ଏପରି ସାର୍ବଜନୀନ ଆୟୋଜନ ପାଇଁ ଏସଓପି ହେବା ଦରକାର । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏହା ବି କହିଥିଲେ ଯେ ସ୍ଥାନେ ସ୍ଥାନେ ଆମ୍ୱୁଲାନ୍ସ ଓ ନିକଟବର୍ତ୍ତୀ ହସ୍ପିଟାଲର ସୂଚନା ସ୍ପଷ୍ଟ ହେବାର ଥିଲା । ଏହା ଉପରେ ଆଡଭୋକେଟ୍ ଜେନେରାଲ୍ ସେଟ୍ଟୀ ସ୍ୱୀକାର କରି କହିଥିଲେ ଯେ ଆମ୍ୱୁଲାନ୍ସ ନିୟୋଜିତ ଥିଲା, କିନ୍ତୁ ଏହି ଏମର୍ଜେନ୍ସି ସ୍ଥିତି ପାଇଁ ପର୍ଯ୍ୟାପ୍ତ ନଥିଲେ । ଆଡଭୋକେଟ୍ ଜେନେରାଲ୍ କୋର୍ଟକୁ କହିଥିଲେ ଯେ ଏହି ମାମଲାରେ ମାଜିଷ୍ଟ୍ରେଟ୍ ତଦନ୍ତ ଆରମ୍ଭ କରାଯାଇଛି ଓ ଆସନ୍ତା ୧୫ ଦିନରେ ଏହା ଶେଷ ହୋଇଯିବ । ମୃତ୍ୟୁ ଓ ଆହତ ଘଟଣା ମୋଟ ୨୧ରୁ କେବଳ ୩ଟି ଗେଟରେ ହୋଇଥିଲା ।