ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଆସିବ ୨୦୨୬ ବଜେଟ, ସରଳ ଭାଷାରେ ବୁଝନ୍ତୁ ‘ଫିସ୍କାଲ ଡେଫିସିଟ’ର ଅର୍ଥ କ’ଣ?

NEWS7
karnataka-high-court-gives-a-setback-to-ed-in-muda-case

ନୂଆଦିଲ୍ଲୀ ୨୪।୧: ଆଗାମୀ ୧ ଫେବୃଆରୀ ୨୦୨୬ ଐତିହାସିକ ହୋଇପାରେ। ଭାରତ ଇତିହାସରେ ପ୍ରଥମ ଥର କେନ୍ଦ୍ର ବଜେଟ୍ ରବିବାର ସଂସଦରେ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ ସଂସଦରେ ବଜେଟ୍ ଅଭିଭାଷଣ ପାଠ କରୁଥିବେ ସାରା ଦେଶର ନଜର ତାଙ୍କ ଉପରେ ଥିବ। ଖାସ କରି ସେତେବେଳେ ଯେତେବେଳେ ଭାରତୀୟ ରପ୍ତାନୀ ଉପରେ ଆମେରିକା ସର୍ବାଧିକ ୫୦%ର ଟାରିଫ ଲଗେଇ ରଖିଛି। ହେଲେ କେନ୍ଦ୍ର ବଜେଟ୍ ଭାଷଣରେ ଏପରି ଅନେକ ଶବ୍ଦ ବ୍ୟବହାର ହୁଏ ଯାହା ସାଧାରଣ ଲୋକଙ୍କ ବୋଧର ବାହାରେ। ବଜେଟ୍ କୁ ଡିକୋଡ କରିବା ପାଇଁ ଆମେ ଏଠାରେ ସେହି ଶବ୍ଦଗୁଡିକୁ ସହଜ ଓ ସରଳ ଭାଷାରେ ଗୋଟିଏ ଧାଡିରେ ବୁଝେଇ ଦେଉଛୁ।

ମୁଦ୍ରାସ୍ଫୀତି
ମୁଦ୍ରାସ୍ଫୀତିକୁ ସରଳ ଭାଷାରେ ବୁଝିବାକୁ ହେଲେ ଆପଣଙ୍କ ପକେଟରେ ଥିବା ପଇସାର ମୂଲ୍ୟ ଯେତେବେଳେ କମିଯାଏ ଓ ଆପଣ କିଣୁଥିବା ସାମଗ୍ରୀ ମହଙ୍ଗା ହୋଇଯାଏ, ଅର୍ଥାତ ଆପଣ ସମାନ ପଇସାରେ ପୂର୍ବାପେକ୍ଷା କମ୍ ସାମଗ୍ରୀ କିଣିବା ହିଁ ମୁଦ୍ରାସ୍ଫୀତି। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିଲେ ବଜାରରେ ସାମଗ୍ରୀ ଦର ନିୟନ୍ତ୍ରଣରେ ଥାଏ ଓ ଲୋକେ ସ୍ୱଳ୍ପ ବ୍ୟୟରେ ଅଧିକ ସାମଗ୍ରୀ କିଣି ପାରିଥାନ୍ତି। ମୁଦ୍ରାସ୍ଫୀତି ଅନିୟନ୍ତ୍ରୀତ ହେଲେ ବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ମହଙ୍ଗା ହୋଇଯାଏ। ଓ ଲୋକଙ୍କ କ୍ରୟ କ୍ଷମତା କମିଯାଏ।

ଜିଡିପି
କୌଣସି ଦେଶର ସୀମା ମଧ୍ୟରେ ଏକ ନିଶ୍ଚିତ ଅବଧି (ସଧାରଣତଃ ୧ ବର୍ଷ) ରେ ଉତ୍ପାଦିତ ହୋଇଥିବା ସମସ୍ତ ବସ୍ତୁ ଓ ସେବାର ମୋଟ ମୌଦ୍ରିକ ଅଥବା ବଜାର ମୂଲ୍ୟ କୁ ଗ୍ରସ ଡୋମେଷ୍ଟିକ ପ୍ରଡକ୍ଟ ବା ଜିଡିପି କୁହାଯାଏ। ଏଥିରୁ ଦେଶର ଅର୍ଥବ୍ୟବସ୍ଥାର ଆକାର ସ୍ପଷ୍ଟ ହୋଇଥାଏ। ବଜେଟ୍ ଅଭିଭାଷଣରେ ଜିଡିପି ଶବ୍ଦର ଗୁରୁତ୍ୱପୂର୍ଣ୍ଣ ଅର୍ଥ ରହିଛି। ଏହା ଦେଶର ମୋଟ ଆର୍ଥିକ ପରିସ୍ଥିତିକୁ ଦର୍ଶାଇଥାଏ। ଏହା ଦେଶ ଆର୍ଥିକ ମୋର୍ଚ୍ଚାରେ ଆଗକୁ ଯାଉଛି କି ପଛଉଛି ତାହା ଜଣାପଡେ।

ଫିସ୍କାଲ ଡେଫିସିଟ୍ ବା ଆର୍ଥିକ ନିଅଣ୍ଟ
ଫିସ୍କାଲ ଡେଫିସିଟ (ଆର୍ଥିକ ନିଅଣ୍ଟ) ହେଉଛି ସରକାରଙ୍କ ଖର୍ଚ୍ଚ ତୁଳନାରେ ଆୟ ହ୍ରାସ ହେବା। ଆର୍ଥିକ ନିଅଣ୍ଟର ହିସାବ ମୋଟ ଜିଡିପି ପ୍ରତିଶତରୁ ଅଧିକ ଖର୍ଚ୍ଚ ହେବା। କୌଣସି ପରିସ୍ଥିତିରେ ଆୟର ତଥ୍ୟରେ କେବଳ କର ଓ ଅନ୍ୟ ରାଜସ୍ୱ ହିସାବ ସାମିଲ ହୋଇଥାଏ ଓ ଏହି ଅଭାବ ପୂରଣ କରିବାକୁ ସରକାର ଋଣ କରିଥାନ୍ତି। ହେଲେ ହିସାବରେ ଋଣ ବାବଦ ଆହରଣ ହିସାବ ହୁଏ ନାହିଁ। ରାଜସ୍ୱ ନିଅଣ୍ଟ ରାଜସ୍ୱ ଋଣ ଠାରୁ ଭିନ୍ନ ହୋଇଥାଏ। ରାଜସ୍ୱ ଋଣ ରାଜସ୍ୱ ବ୍ୟୟ ବର୍ଷ କାଳରେ ମିଳିଥିବା ମୋଟ ଋଣକୁ ବୁଝା ଯାଏ।

କ୍ୟାପିଟାଲ ଏକ୍ସପେଣ୍ଡିଚର
ଏହାକୁ ଭଲ ଖର୍ଚ୍ଚ ଭାବେ ବୁଝା ଯାଏ। ଯେତେବେଳେ ସରକାର ସଡ଼କ, ପୋଲ, ମେସିନାରୀ ଅଥବା ସ୍କୁଲ, ହସ୍ପିଟାଲ ନିର୍ମାଣରେ ଅର୍ଥ ବ୍ୟୟ କରନ୍ତି ତାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ବୋଲି କହନ୍ତି। ଏହା ଭବିଷ୍ୟତରେ ଦେଶର ସମ୍ପତ୍ତି ହୋଇଥାଏ। ଏହି ସମ୍ପତ୍ତି ଆଧାରରେ ଦେଶର ସ୍ୱଚ୍ଛଳତା ଜଣା ପଡିଥାଏ।

ରେଭିନ୍ୟୁ ଏକ୍ସପେଣ୍ଡିଚର
ଏହା ସରକାରଙ୍କ ଦୈନନ୍ଦିନ ଖର୍ଚ୍ଚ। ଏଥିରେ ସରକାର କର୍ମଚାରୀଙ୍କ ବେତନ, ପେନସନ, ସବସିଡି ଆଦିରେ ବ୍ୟୟ କରନ୍ତି। ଏହି ବ୍ୟୟରୁ ଦେଶର କୌଣସି ସମ୍ପତ୍ତି ତିଆରି ହୋଇ ନଥାଏ। କେବଳ ସରକାରଙ୍କ ସିଷ୍ଟମ ଚାଲି ରହେ। ଏହାକୁ ରେଭିନ୍ୟୁ ଏକ୍ସପେଣ୍ଡିଚର ବା ରାଜସ୍ୱ ବ୍ୟୟ କୁହାଯାଏ।

ଡାଇରେକ୍ଟ ଟ୍ୟାକ୍ସ
ଏହା ସେହି କର ଯାହା ନାଗରିକ ସିଧାସଳଖ ସରକାରଙ୍କୁ ଦେଇଥାନ୍ତି। ଯେପରି ଆୟକର (ଇନକମ ଟ୍ୟାକ୍ସ ) ଓ କର୍ପୋରେଟ ଟ୍ୟାକ୍ସ। ଏହାର ବୋଝ ଆପଣ ଆଉ କାହା ଉପରେ ଲଦି ପାରିବେନି। ସିଧାସଳଖ ସରକାରଙ୍କୁ ଦେଇଥାନ୍ତି।

ଇନଡାଇରେକ୍ଟ ଟ୍ୟାକ୍ସ
ଯେଉଁ କର ଆପଣ ଅପ୍ରତ୍ୟକ୍ଷରେ ସରକାରଙ୍କୁ ଦେଇଥାନ୍ତି। ଯେପରିକି ଦୋକାନରୁ ସଉଦା କିଣିବା ବେଳେ ଏଥିରେ ଦିଆଯାଉଥିବା ଶୁଳ୍କ। ଏହି ଶୁଳ୍କ ଦୋକାନୀ ଅଥବା କମ୍ପାନୀ ସରକାରଙ୍କୁ ପୈଠ କରିଥାନ୍ତି। ଯେପରିକି ଜିଏସଟି ଓ ଏକ୍ସାଇଜ୍ ଡ୍ୟୁଟି। ଏହା ଅପ୍ରତ୍ୟକ୍ଷ କର ଶ୍ରେଣୀରେ ଆସୁଛି।

କଷ୍ଟମ ଡ୍ୟୁଟି
ଯେତେବେଳେ କୌଣସି ଜିନିଷ ବିଦେଶରୁ ଭାରତକୁ ଆସେ (ଆମଦାନୀ) ଅଥବା ଭାରତରୁ ବିଦେଶକୁ ପଠାଯାଏ (ରପ୍ତାନୀ) ସେତେବେଳେ ସାମଗ୍ରୀ ଉପରେ ଲାଗୁ ହେଉଥିବା ଶୁଳ୍କକୁ କଷ୍ଟମ ଡ୍ୟୁଟି କୁହାଯାଏ।

ଫିସ୍କାଲ ପଲିସି
ଏହା ସରକାରଙ୍କ ସେହି ନୀତି ଯେଉଁଥିରେ ସେ ଟ୍ୟାକ୍ସ ଓ ବ୍ୟୟ ମାଧ୍ୟମରେ ଦେଶର ଅର୍ଥନୀତିକୁ ନିୟନ୍ତ୍ରିତ କରନ୍ତି। ଏହା ବଜେଟର ଅଂଶବିଶେଷ। ଏହାକୁ ରାଜସ୍ୱନୀତି କୁହାଯାଏ।

ଡିସଇନଭେଷ୍ଟମେଣ୍ଟ
ଯେତେବେଳେ ସରକାର କରିଥିବା ନିବେଶକୁ କାଢି ନିଅନ୍ତି ତାକୁ ଡିସଇନଭେଷ୍ଟମେଣ୍ଟ ବା ବିନିବେଶ କହନ୍ତି। ସରକାର ଦେଶର ବିକାଶରେ ଅନେକ ନିବେଶ କରିଥାନ୍ତି। ଏଥିରେ ବ୍ୟାଙ୍କ ଓ ସାର୍ବଜନିକ ଉପକ୍ରମ ସବୁ ଗଢା ହୋଇଥାଏ। ଏଥିରେ ସରକାରଙ୍କ ସିଂହଭାଗ ନିବେଶ ଥାଏ। ଯେତେବେଳେ ସରକାର ତାଙ୍କ ନିବେଶ କାଢିବାକୁ ନିଷ୍ପତ୍ତି ନିଅନ୍ତି ଓ ନିଜର ସେୟାର ବିକ୍ରି କରନ୍ତି ତାକୁ ଡିସଇନଭେଷ୍ଟମେଣ୍ଟ କୁହାଯାଏ।