ନୂଆଦିଲ୍ଲୀ ୯।୬: କର୍ଣ୍ଣାଟକର କୋଲାର ଗୋଲ୍ଡ ଫିଲ୍ଡସ୍ (କେଜିଏଫ) ପୁଣି କାର୍ଯ୍ୟକ୍ଷମ ହେବ। ପାଖାପାଖି ୮୦ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତର ଏହି ଐତିହାସିକ ସୁନା ଖଣିକୁ ପୁଣି ଆରମ୍ଭ କରିବାକୁ ଯାଉଛି। ସ୍ୱାଧୀନତା ପରେ ଦ୍ୱିତୀୟବାର ଖୋଲିବାକୁ ଯାଉଥିବା ଏହା ଭାରତର ପ୍ରଥମ ସୁନା ଖଣି। ସରକାରୀ ଅନୁମାନ ଅନୁସାରେ କେଜିଏଫରୁ ବାର୍ଷିକ ଅନୁନ୍ୟ ୭୫୦ କେଜି ସୁନା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ଯଦି ସୁନା ଖଣି ପୁଣି କାର୍ଯ୍ୟକ୍ଷମ ହୁଏ ତେବେ ଭାରତର ବିଦେଶ ନିର୍ଭର ହ୍ରାସ ହେବ।
ଭାରତ ବିଶ୍ୱର ସବୁଠୁ ବଡ଼ ସୁବର୍ଣ୍ଣ ଉତ୍ପାଦନକାରୀ ଦେଶ। ଦେଶର ଆବଶ୍ୟକ ଅଧିକାଂଶ ସୁନା ବିଦେଶରୁ ଆମଦାନୀ ହୋଇଥାଏ। କେଜିଏଫ ଯଦି ପୁଣି ଚାଲୁ ହୁଏ ନା କେବଳ ବୈଦେଶିକ ମୁଦ୍ରା ସଞ୍ଚୟ ହେବନି ବରଂ ସ୍ଥାନୀୟ ରୋଜଗାର ଓ ଆଞ୍ଚଳିକ ବିକାଶକୁ ଗତି ମିଳିବ। କୋଲାର ଗୋଲ୍ଡ ଫିଲ୍ଡସ ଏକ ସମୟରେ ଦେଶର ସବୁଠୁ ସମୃଦ୍ଧ ସ୍ୱର୍ଣ୍ଣ ଖଣି ମଧ୍ୟରେ ଅନ୍ୟତମ ଥିଲା। ଦେଶରେ ବ୍ରିଟିଶ ଶାସନ କାଳରେ ଏଠାରୁ ବିପୁଳ ସୁନା ଉତ୍ତୋଳନ ହେଉଥିଲା। ଏବେ ନୂଆ ଟେକ୍ନୋଲଜି ଓ ଆଧୁନିକ ମେସିନ ସହାୟତାରେ ଏହି ଖଣିକୁ ପୁଣି ଉତ୍ପାଦକ କରାଯିବ।
ବ୍ରିଟିଶ ଓ ଭାରତ ସରକାର ୧୮୮୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ୧୨୧ ବର୍ଷ ଧରି କେଜିଏଫରୁ ୯୦୦ ଟନରୁ ଅଧିକ ସୁନା ବାହାର କରିଛନ୍ତି। ତେବେ ୨୦୦୧ ମସିହାରେ ଏଠାରୁ ଗୋଲ୍ଡ ମାଇନିଂ ଉପରେ ରୋକ ଲଗାଯାଇଥିଲା। ଏଣୁ କେଜିଏଫକୁ ଏକ ସମୟରେ ‘ସୁନାର ସହର’ ଓ ‘ମିନି ଇଂଲଣ୍ଡ’ କୁହାଯାଉଥିଲା। ଖ୍ରୀଷ୍ଟପୂର୍ବ ୧୦୦୪ରୁ ୧୧୧୬ ପର୍ଯ୍ୟନ୍ତ ଚୋଳ ସାମ୍ରାଜ୍ୟା ସମ୍ପର୍କିତ ଶିଳାଲେଖ ଓ ଗ୍ରନ୍ଥରେ ଗୋଲ୍ଡ ମାଇନିଂର ଉଲ୍ଲେଖ ରହିଛି।
୧୩୩୬ ମସିହାରୁ ୧୬୪୬ ମସିହା ପର୍ଯ୍ୟନ୍ତ ଏଠାରୁ ବିଜୟ ନଗର ରାଜବଂଶ ଓ ପରେ ୧୭୫୦ରୁ ୧୭୯୯ ମସିହା ପର୍ଯ୍ୟନ୍ତ ଟିପୁ ସୁଲତାନ ଏଠାରୁ ସୁନା ବାହାର କରୁଥିଲେ। ୧୮୦୨ ମସିହାରେ ବ୍ରିଟିଶ ସରକାରରେ ଲେଫ୍ଟନାଣ୍ଟ ଜନ ୱାରେନ କୋଲାର ସ୍ୱର୍ଣ୍ଣ ଭଣ୍ଡାର ଉପରେ ଗବେଷଣା କରିଥିଲେ। ୧୮୦୪ ଓ ୧୮୬୦ ମସିହା ପର୍ଯ୍ୟନ୍ତ ଏଠାରେ ଇଂରେଜମାନେ ଅନେକ ଗବେଷଣା ଓ ସର୍ଭେକ୍ଷଣ କରିବା ପରେ ସୁନା ଖଣି କରିବାକୁ ନିଷ୍ପତ୍ତି ନେଇଥିଲେ। ୧୮୮୦ ମସିହାରେ ଇଂଲଣ୍ଡର ଜନ ଟେଲର ଆଣ୍ଡ ସନସ୍ କମ୍ପାନୀ ଏଠାରେ କୋଲାରରେ ସୁନା ମାଇନିଂ ଆରମ୍ଭ କରିଥିଲା।
୧୯୪୩ ମସିହା ପର୍ଯ୍ୟନ୍ତ ଇଂରେଜମାନେ କୋଲାରରୁ ୫୮୩ ଟନ ସୁନା ଉତ୍ପାଦନ କରିଥିଲେ ଓ ୧୯୪୭ ମସିହା ପର୍ଯ୍ୟନ୍ତ ନିଜ ରାଜକୋଷ ଭରିବାରେ ଲାଗିଥିଲେ। ୧୯୪୭ ମସିହାରେ ବ୍ରିଟିଶ ଭାରତ ଛାଡି ପଳାଇଥିଲେ ଓ ୧୯୫୬ ମସିହାରେ କର୍ଣ୍ଣାଟକ ସରକାର କେଜିଏଫକୁ ନିଜ ହାତକୁ ନେଇଥିଲେ। ରାଜ୍ୟ ସରକାର ଜନ ଟେଲର ଆଣ୍ଡ ସନସ୍ କୁ ମାଇନିଂ କନସଲ୍ଟାଣ୍ଟ ଆପଏଣ୍ଟ କରି ସୁନା ଖଣି ଚଳାଇ ରଖିଥିଲେ। ୧୯୭୨ ମସିହାରେ ଭାରତ ସରକାର ଭାରତ ଗୋଲ୍ଡ ମାଇନ୍ସ ଲିମିଟେଡ (ବିଜିଏମଏଲ)କୁ କେଜିଏଫ ହସ୍ତାନ୍ତରିତ କରିଥିଲେ।
୧୯୮୦ ମସିହା ବେଳକୁ ବିଜିଏମଏଲ କ୍ଷତିରେ ଚାଲିବା ଆରମ୍ଭ କରିଥିଲା। କାରଣ ସୁନା ଉତ୍ପାଦନ ବ୍ୟୟ ଭାର ବଢିବଢି ଚାଲିଥିଲା। ଏଣୁ ୨୦୦୧ ମସିହା ବେଳକୁ ସ୍ୱର୍ଣ୍ଣଭଣ୍ଡାରରେ ହ୍ରାସ ଓ ହାଇ ଅପରେସନ କଷ୍ଟ ଏବଂ ସ୍ୱଳ୍ପ ଲାଭ ଯୋଗୁ ବିଜିଏମଏଲ ଏଠାରୁ ସୁନା ଉତ୍ପାଦନ ବନ୍ଦ କରି ଦେଇଥିଲେ। ଏବେ ଭାରତ ସରକାର କେଜିଏଫକୁ ପୁଣି ସଞ୍ଚାଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅତ୍ୟାଧୁନିକ ଉପାୟରେ ଏଠାରୁ ସୁନା ଉତ୍ପାଦନ ନିମନ୍ତେ ଉଦ୍ୟମ କରାଯିବ।