ବେଙ୍ଗାଲୁରୁ ଦଳାଚକଟା: RCB ବିରୋଧରେ ଚଳାଯିବ ଅପରାଧିକ ମାମଲା

Published By : Prameya-News7 Bureau | July 17, 2025 IST

ବେଙ୍ଗାଲୁରୁ ୧୭।୭: କର୍ଣ୍ଣାଟକ ସରକାର ବେଙ୍ଗାଲୁରୁ ଦଳାଚକଟା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (କେଏସସିଏ) ବିରୋଧରେ ଅପରାଧିକ ମାମଲା ରୁଜୁ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି। ଜଷ୍ଟିସ୍ ମାଇକେଲ ଡି’ କୁହ୍ନା ଆୟୋଗଙ୍କ ରିପୋର୍ଟକୁ ସ୍ୱୀକାର କରିବା ପରେ କ୍ୟାବିନେଟ୍ ବୈଠକରେ ରାଜ୍ୟସରକାର ଏହି ନିଷ୍ପତ୍ତି ନେଇଛନ୍ତି।ଆୟୋଗ ଏହି ରିପୋର୍ଟରେ ବିଭିନ୍ନ ଅନିୟମିତତା ଓ ତ୍ରୁଟି ଉପରୁ ପର୍ଦ୍ଦା ହଟାଇଛନ୍ତି। ଏହି ଆଧାରରେ ଏବେ କାର୍ଯ୍ୟାନୁଷ୍ଠାନ ହେବ। 

ଜଷ୍ଟିସ୍ ମାଇକେଲ ଡି’ କୁହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ଆରସିବି ଓ କେଏସସିଏ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଗହନ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚରେ ଆର୍ଥିକ ଅନିୟମିତତା, ପ୍ରବନ୍ଧନରେ ପାରଦର୍ଶିତାର ଅଭାବ ଓ ଅନ୍ୟ ଗୁରୁତର ଉଲ୍ଲଂଘନର ପ୍ରମାଣ ସାମ୍ନାକୁ ଆସିଛି। ଆୟୋଗ ରିପୋର୍ଟରେ ଏହି ସଙ୍ଗଠନଙ୍କ ଦ୍ୱାରା ନିୟମର ଉଲ୍ଲଂଘନ ଓ ସନ୍ଦିଗ୍ଧ ଗତିବିଦ୍ଧିର ଉଲ୍ଲେଖ ରହିଛି, ଯାହାକୁ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱର ସହ ଗ୍ରହଣ କରିଛି। 

କ୍ୟାବିନେଟ ବୈଠକରେ ଏହି ରିପୋର୍ଟକୁ ସର୍ବସମ୍ମତି ସ୍ୱୀକାର କରାଯିବା ସହ ଏହି ଆଧାରରେ ଆରସିବି ଓ କେଏସସିଏ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପକୁ ଖେଳ ପ୍ରଶାସନରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଜୁନ ୪ ତାରିଖରେ ଘଟିଥିବା ଏହି ଘଟଣାରେ ଆରସିବି କ୍ୟାପ୍ଟେନ୍ ବିରାଟ କୋହଲୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। 

ରିପୋର୍ଟରେ କୁହାଯାଇଛି ଯେ ଏକ ଭିଡିଓରେ ବିରାଟ କୋହଲୀ ଫ୍ୟାନ୍ସଙ୍କୁ ଫ୍ରିରେ ଭିକ୍ଟ୍ରି ପ୍ୟାରେଡକୁ ଆସିବା ଲାଗି ଅପିଲ କରିଥିଲେ। ରିପୋର୍ଟରେ କୁହାଯାଇଛି ଯେ ଏହି ଇଭେଣ୍ଟର ଆୟୋଜକ ଡିଏନଏ ନେଟୱାର୍କସ୍ ପ୍ରାଇଭେଟ ଲିମିଟେଡ ଜୁନ ୩ ତାରିଖ ଦିନ ପୋଲିସକୁ କେବଳ ସୂଚନା ଦେଇଥିଲା, କିନ୍ତୁ ୨୦୦୯ ଆଦେଶ ଅନୁସାରେ ଜରୁରୀ ଅନୁମତି ନେଇ ନଥିଲା। ଏହି କାରଣରୁ ପୋଲିସ ଇଭେଣ୍ଟ ଅନୁମତି ଦେବାକୁ ମନା କରିଦେଇଥିଲା। ଏହା ସତ୍ତ୍ୱେ ଆରସିବି ଜୁନ ୪ ତାରିଖ ଦିନ ସୋସିଆଲ ମିଡିଆରେ ସାର୍ବଜନିକ ରୂପେ ଇଭେଣ୍ଟର ପ୍ରଚାର କରିଥିଲା। 

ରିପୋର୍ଟରେ କୁହାଯାଇଛି ଯେ ଇଭେଣ୍ଟରେ ଆଶାଠାରୁ ଅଧିକ ଲୋକେ ପହଞ୍ଚି ଯାଇଥିଲେ। ଏଣୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଓ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଇଭେଣ୍ଟରେ ୩ ଲକ୍ଷରୁ ଅଧିକ ଲୋକେ ଏକାଠି ହୋଇଥିଲେ। ଏଥିରେ ଇଭେଣ୍ଟ ଆରମ୍ଭ ହେବା କିଛି ସମୟ ପୂର୍ବରୁ ପାଖାପାଖି ୩ଟା ବେଳେ ଷ୍ଟାଡିୟମରେ ଏଣ୍ଟ୍ରି ନିମନ୍ତେ ପାସ୍ ଜରୁରି ବୋଲି ଘୋଷଣା କରାଯାଇଥିଲା। 

ଏହାପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ଓ ଭିଡ ଅନିୟନ୍ତ୍ରିତ ହୋଇପଡିଥିଲା। ରିପୋର୍ଟରେ କୁହାଯାଇଛି ଯେ ଆରସିବି, କେଏସସିଏ ଓ ଇଭେଣ୍ଟ ଆୟୋଜକ ଡିଏନଏ ମଧ୍ୟରେ ସମନ୍ୱୟର ଅଭାବ ଥିଲା। ଏଣୁ ଫାଟକ ଖୋଲିବାରେ ବିଳମ୍ବ ଓ ଅବ୍ୟବସ୍ଥା ଯୋଗୁ ଦଳାଚକଟା ହୋଇଥିଲା। ଫଳରେ ୭ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ଅନେକ ଲୋକ ଦଳାଚକଟାରେ ଫଶି ଯାଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.