ନୂଆଦିଲ୍ଲୀ: ପାକିସ୍ତାନ ମନରୁ ହଜିଗଲାଣି କାର୍ଗିଲ କ୍ଷତ । ପାକ୍ ସେନା ଭୁଲିଗଲାଣି ବଫର୍ସର ଦମ୍ । ୪ ହଜାର ଯବାନଙ୍କ ମୁଣ୍ଡ ନେଇଥିଲା ଆର୍ଟିଲାରୀ ଗନ୍ । ୧୯୯୯ ଯୁଦ୍ଧକୁ ପୁଣି ଥରେ ଦୋହରାଇବ ଭାରତ । ସେନା ନେବ ପହଲଗାମ୍ ବର୍ବରତାର ବଦ୍ଲା । କର୍ପୂର ଉଡ଼ିଗଲାଣି, ହେଲେ କନାରୁ ବାସ୍ନା ଯାଇନି । କାର୍ଗିଲ୍ ଯୁଦ୍ଧରେ ମିଳିଥିବା କ୍ଷତ ଶୁଖିଗଲାଣି ବୋଧେ । ପୁଣି ଥରେ ଯୁଦ୍ଧ ପାଇଁ ବିଳି ବିଳେଇ ହେଉଛି ପଡୋଶୀ ଦେଶ । ଆଉ ନୁହେଁ, ଏଣିକି ଆର୍ ପାର୍ ଲଢ଼େଇ । ଆର୍ଥିକ, କୂଟନୈତିକ ଓ ସାମରିକ ଭାବେ ଜଖମ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ପୂର୍ବ ତିନୋଟି ଯୁଦ୍ଧ ଠାରୁ ଏଥର ଭୟଙ୍କର ହେବ ଏବଂ ପାକିସ୍ତାନର ଅଣ୍ଟାକୁ ଭାଙ୍ଗି ଦିଆଯିବ ।
୧୯୯୯ କାର୍ଗିଲ ଓ୍ବାର୍ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଯୁଦ୍ଧ ଥିଲା । ଯେଉଁଥିରେ ପଡ଼ୋଶୀ ଦେଶ ବନ୍ଧୁତାର ଦ୍ବାହି ଦେଇ ପଛପଟୁ ଛୁରା ମାଡ଼ କରିଥିଲା । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ କୂଟନୈତିକ ପ୍ରୟାସ ଚାଲିଥିବା ବେଳେ ପାକ୍ର ଜିହାଦୀ ସେନା ଆତଙ୍କବାଦୀଙ୍କ ସହ ମିଶି ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା । ଆଉ କାର୍ଗିଲ୍ ସେକ୍ଟରକୁ ନିଜ ଅଧୀନକୁ ନେବାକୁ ଷଡ଼ଯନ୍ତ୍ର ରଚିଥିଲା । ଫେବ୍ରୁଆରୀ ମାସର ହଡ଼ାଭଙ୍ଗା ଶୀତରେ ଏଲଓସିରେ ଥିବା ଭାରତୀୟ ପୋଷ୍ଟକୁ କବଜା କରିନେଇଥିଲା । ଲେହ ଓ ଶ୍ରୀନଗର ମଧ୍ୟରେ ଯୋଗାଯୋଗକୁ ବିଚ୍ଛିନ୍ନ କରି ଘାଟିରେ ଅଶାନ୍ତି ସୃଷ୍ଟି କରିବା ଯୋଜନାରେ ଥିଲା । ମାତ୍ର ମେ’ ମାସରେ ସେନାକୁ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ଆକ୍ସନ ।
ଭାରତୀୟ ସେନାର ଅପରେସନ ବିଜୟ । କାର୍ଗିଲ୍ ସେକ୍ଟରରେ ଗର୍ଜିଥିଲା ବଫର୍ସ । ୧୯୯୯ ମସିହା ମେ’ ୧୦ ତାରିଖରେ ସୁରକ୍ଷା ବାହିନୀ ଆରମ୍ଭ କରିଥିଲା ଅପରେସନ ବିଜୟ । ୪୦ ହଜାରରୁ ଅଧିକ ସୈନ୍ୟ ଡ୍ରାସ୍, କାର୍ଗିଲ୍ ଓ ବଟାଲିକ୍ ସେକ୍ଟରରେ ଶତ୍ରୁକୁ ଜବାବୀ ହମଲା କରିଥିଲେ । ଏହାପରେ ମେ’ ୨୬ରେ ଯୁଦ୍ଧକୁ ଡେଇଁଥିଲା ଭାରତୀୟ ବାୟୁସେନା । ମିଗ୍-21, ମିଗ୍-27. ମିରାଜ-2000 ଭଳି ଯୁଦ୍ଧବିମାନ ୧୬ ହଜାର ଫୁଟ୍ ଉପରେ ପାକିସ୍ତାନ ସେନାର ନିଦ ହଜାଇ ଦେଇଥିଲେ । ଘନଘନ ବୋମା ମାଡ଼ରେ ଛତ୍ରଭଙ୍ଗା ଦେଇଥିଲେ ଶତ୍ରୁ ।
କେବଳ ଏତିକି ନୁହେଁ, ପାକିସ୍ତାନର ଜିହାଦୀ ସେନା ଉପରେ ଭାରି ପଡ଼ିଥିଲା ବଫର୍ସ ଆର୍ଟିଲାରୀ ତୋପ । ପାହାଡ଼ ଉପରେ ଲୁଚି ରହିଥିବା ଶତ୍ରୁକୁ ଟାର୍ଗେଟ୍ କରି ଅଗ୍ନି ବର୍ଷା କରିଥିଲା । ଏଥିରେ ଭୟଭୀତ ହୋଇ ଭାରତୀୟ ପୋଷ୍ଟ ଛାଡ଼ିବାକୁ ହୋଇଥିଲା ଶତ୍ରୁ ସେନା । ଏହି ଯୁଦ୍ଧରେ ୪ ହଜାରରୁ ଅଧିକ ପାକିସ୍ତାନ ସୈନ୍ୟ ମୃତ୍ୟୁବରଣ କରିଥିଲେ । ଭାରତ ପ୍ରଥମେ ଟୋଲୋଲିଙ୍ଗ ସେକ୍ଟରକୁ ନିଜ ଅଧୀନକୁ ନେଇଥିଲା । ପରେ ଟାଇଗର ହିଲ୍ରେ ତ୍ରିରଙ୍ଗା ଉଡ଼ାଇଥିଲା । ଶେଷରେ ବାଧ୍ୟ ହୋଇ ନବାବ ସରିଫ୍ ସରକାର ଏକ ତରଫା ସିଜ୍ ଫାୟାର ଘୋଷଣା କରି ନିଜ ସୈନ୍ୟକୁ ଫେରାଇ ନେଇଥିଲେ ।
ଆତଙ୍କବାଦୀଙ୍କ ଦ୍ବାରା ପହଲଗାମରେ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା କରି ପୁଣି ଏକ ଯୁଦ୍ଧକୁ ନିମନ୍ତ୍ରଣ କରିଛି ପାକିସ୍ତାନ । ଭାରତ ଏହାର ଭୟଙ୍କର ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ଆର୍ଥିକ, କୂଟନୈତିକ ଓ ସାମରିକ ଭାବେ ପଡ଼ୋଶୀ ଦେଶରୁ ଧୂଳି ଚଟାଇବାକୁ ଯୋଜନା ହୋଇଛି । ପ୍ରଥମ ସିନ୍ଧୁ ଜଳ ସନ୍ଧି ସ୍ଥଗିତ, ପରେ ବାୟୁସୀମା ବନ୍ଦ ଆଉ ଏବେ ବନ୍ଦର ବନ୍ଦ କରି ଶତ୍ରୁକୁ ଶକ୍ତ ଚାପୁଡ଼ା ଦେଇଛନ୍ତି ଭାରତ ସରକାର । ଏହା ତ ଆରମ୍ଭ ମାତ୍ର, ଆଗକୁ ଭାରତୀୟ ସେନା ସ୍ବଦେଶୀ ଅସ୍ତ୍ରରେ ଦେବ ଜବାବ ।