ରାଜପାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ୍, ମାର୍ଚ୍ଚ ୧୮ରେ ପରବର୍ତ୍ତୀ ଶୁଣାଣି

NEWS7
kannada-tv-actress-chethana-raj-passes-away

ମୁମ୍ବାଇ: ହିନ୍ଦୀ ସିନେମାର ବରିଷ୍ଠ ହାସ୍ୟ ଅଭିନେତା ରାଜପାଲ ଯାଦବ ଚେକ୍ ବାଉନ୍ସ ମାମଲାରେ ଆଶ୍ବସ୍ତି ମିଳିଛି । ଦିଲ୍ଲୀର ତିହାର ଜେଲରୁ ସେ ବାହାରକୁ ଆସିପାରନ୍ତି । ସେ ତାଙ୍କ ଫିଲ୍ମ ପାଇଁ ଏକ କମ୍ପାନୀରୁ ୫ କୋଟି ଟଙ୍କା ଋଣ ନେଇଥିଲେ । ଋଣ ପରିଶୋଧ କରିବାରେ ଅସମର୍ଥ ହେବାରୁ, ଅଭିନେତାଙ୍କୁ ଜେଲ ଯିବାକୁ ପଡିଥିଲା। ଦିଲ୍ଲୀ ହାଇକୋର୍ଟ ସୋମବାର ମାମଲାର ଶୁଣାଣି କରି ଅଭିନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ପୂର୍ବରୁ କୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ଅନ୍ତରୀଣ ଜାମିନ ପାଇଁ ଅପରାହ୍ନ ୩ଟା ସୁଦ୍ଧା ଅଭିଯୁକ୍ତଙ୍କ ନାମରେ ୧.୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶୁଣାଣି ସମୟରେ, ରାଜପାଲ ଯାଦବଙ୍କ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ଅଭିଯୋଗକାରୀଙ୍କ ଆକାଉଣ୍ଟକୁ ୧.୫ କୋଟି ଟଙ୍କା ପଠାଇ ଦିଆଯାଇଛି। କୋର୍ଟ ରାଜପାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ହେଉଛି, ଅଭିନେତା ଦେଶ ଛାଡି ଯାଇପାରିବେ ନାହିଁ।

ଏହା ବ୍ୟତୀତ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି । ରାଜପାଲଙ୍କ ମିଳିଥିବା ଅନ୍ତରୀଣ ଜାମିନ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋର୍ଟ ୧୮ ତାରିଖରେ ପୁଣି ଥରେ ମାମଲାର ଶୁଣାଣି କରିବେ। କୋର୍ଟ ରାଜପାଲଙ୍କୁ ମାର୍ଚ୍ଚ ୧୮ ତାରିଖରେ ଶୁଣାଣି ସମୟରେ ବ୍ୟକ୍ତିଗତ ଭାବରେ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ କହିଛନ୍ତି।

ରାଜପାଲ ଯାଦବ ଦୀର୍ଘ ବର୍ଷ ଧରି ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଫସି ରହିଛନ୍ତି। ଗୁରୁବାର ଦିନ ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । କିନ୍ତୁ ତାଙ୍କୁ ଜାମିନ ମିଳି ନଥିଲା। ହାଇକୋର୍ଟ ମଧ୍ୟ ତାଙ୍କୁ ଭର୍ତ୍ସନା କରିଥିଲେ। ଆତା ପତା ଲାପତା ଫିଲ୍ମ ସହିତ ରାଜପାଲଙ୍କ ସମସ୍ୟା ଆରମ୍ଭ ହୋଇଥିଲା ଏବଂ ସେ ଋଣ ଭାରରେ ବୁଡ଼ି ଯାଇଥିଲେ । ଏବେ ରାଜପାଲ ଯାଦବଙ୍କୁ ବଲିଉଡର ବହୁ ଅଭିନେତା ସାହାଯ୍ୟର ହାତ ବଢାଇଛନ୍ତି।