ଆସିକା: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦଳିତ ସମାଜର ଦୁଇ ଜଣକୁ ଅକଥନୀୟ ଅତ୍ୟାଚାର। ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ। ଖାଲି ସେତିକି ନୁହେଁ ଆଣ୍ଠେଇ ଆଣ୍ଠେଇ ଚଲାଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଖାରିଗୁମ୍ମା ଗାଁରେ l
ସୂଚନା ଅନୁସାରେ ଝିଅକୁ ଯୌତୁକ ଦେବା ପାଇଁ ଦୁଇ ଦଳିତ ବ୍ୟକ୍ତି ହରିପୁରରୁ ତିନୋଟି ଗାଈ ଧରି ସୀଙ୍ଗିପୁର ଯିବା ବେଳେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇବା ସହ ଗୋଚାଲାଣ କରୁଥିବା କହି ଟଙ୍କା ମାଗିଥିଲେ l
ହେଲେ ଟଙ୍କା ନଦେବାରୁ ଦୁଇ ନିରୀହ ଲୋକକୁ ମାଡ଼ ମାରିବା ସହ ଅଧା ନଣ୍ଡା କରିଥିଲେ l ଏହା ପରେ ସେମାନଙ୍କୁ ଖାରିଗୁମ୍ମାରୁ ଜହାଡ଼ା ଯାଏ ପାଖାପାଖି ଦୁଇ କିଲୋମିଟର ରାସ୍ତା ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ ଓ ଘାସ ଖୁଆଇବା ସହ ନର୍ଦ୍ଦମାର ପାଣି ପିଆଇଥିଲେ।
ତେବେ ସୁଯୋଗ ପାଇ ଉଭୟ ସେଠାରୁ ଖସିଆସି ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୁକ୍ତଙ୍କ ମୁଣ୍ଡ ଆଉ ପିଠିରେ ଆଘାତ ଲାଗିଛି। ଧରାକୋଟ ପୋଲିସ ତାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାରେ ତଦନ୍ତ କରୁଛି ।