ରାୟଗଡ଼ାରେ କଙ୍ଗାରୁ କୋର୍ଟ, ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି ପକାଇ ହଳ କରାଇଲେ

Published By : Prameya-News7 Bureau | July 11, 2025 IST

ରାୟଗଡ଼ା: ପ୍ରଥା ଆଉ ପରମ୍ପରାକୁ ଦ୍ବାହି ଦେଇ ଚାଲିଛି ସାମାଜିକ ଅତ୍ୟାଚାର । କଙ୍ଗାରୁ କୋର୍ଟ କରି ଦଣ୍ଡିତ କରାଯାଉଛି । ଉପାନ୍ତ ଅଞ୍ଚଳରେ ଏମିତି ଏକାଧିକ ଘଟଣା ଘଟିଯାଉଥିଲା କେହି ଜାଣିପାରୁନଥିଲେ କିନ୍ତୁ ଏବେ ମୋବାଇଲ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି। ଫଳରେ ଘଟଣା ପ୍ରଘଟ ହେବା ସହିତ ଲୋକେ କେମିତି ମାନସିକତା ନେଇ ଅଛନ୍ତି ତାହା ଜଣାପଡୁଛି। ଯୁବକ ଯୁବତୀଙ୍କ ପ୍ରେମକୁ ବିରୋଧ କରି କଙ୍ଗାରୁ କୋର୍ଟରେ ଦିଆଯାଇଛି ଶାସ୍ତି। ଯାହାର ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଘଟଣା ରାୟଗଡ଼ା ଜିଲ୍ଲାର। 

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କଞ୍ଜାମଯୋଡି ଗାଁ ଦୁଇ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲେ। ହେଲେ ଏହାକୁ ବିରୋଧ କରି ଗାଁର ଏହି ଯୁବକ ଓ ଯୁବତୀଙ୍କୁ  ଅକଥନୀୟ ନିର୍ଯାତନା ଦେଇଛନ୍ତି ଗାଁ ଲୋକେ। ଯୁବକ ଓ ଯୁବତୀଙ୍କ କାନ୍ଧରେ ଜୁଆଳି ପକାଯାଇଛି। ଉଭୟଙ୍କୁ ଜୋର ଜବରଦସ୍ତ ହଳ କରାଯାଉଛି। ଖାଲି ସେତିକି ନୁହେଁ ମାଡ଼ ବି ମରାଯାଉଛି।   

ଘଟଣା ଗତ ବୁଧବାରର ବୋଲି ଜଣାପଡ଼ିଛି। ସେପଟେ ଗାଁ ଲୋକଙ୍କ କହିବା କଥା ଯୁବତୀ ଜଣକ ଯୁବକଙ୍କ ପିଉସୀ ହେବେ, ଏଥିପାଇଁ ଗାଁ ଲୋକେ ଆପତ୍ତି କରିବା ସହ ତାଗିଦ କରିଥିଲେ। ମାତ୍ର ସେମାନେ ନଶୁଣିବାରୁ ଶେଷରେ ଉଭୟଙ୍କୁ ଧରି ଝାଙ୍ଗିରି ଦେବତା ପାଖରେ ପୂଜାର୍ଚ୍ଚନା କରିଥିଲେ। ଉଭୟଙ୍କୁ ବାନ୍ଧି ମାଡ଼ ବିଧା ଗୋଇଠା ମାରିଥିଲେ। କାନ୍ଧରେ ଜୁଆଳି ପକାଇ ହଳ କରାଇଥିଲେ। ଏମିତି ନ କରିଥିଲେ କୁଆଡ଼େ ଗାଁରେ ବର୍ଷା ହେଇନଥାନ୍ତା, ଦେବୀଙ୍କ ଅଭିଶାପ ପଡ଼ିଥାନ୍ତା ଏଭଳି ଯୁକ୍ତି ଦର୍ଶାଇଛନ୍ତି ଗାଁ ଲୋକେ। 

ତେବେ ପ୍ରଶ୍ନ ଉଠୁଛି ଆଉ ଉପାନ୍ତ ଅଞ୍ଚଳ ଅପହଞ୍ଚ ହୋଇ ନାହିଁ। ଯେଉଁ ଅଞ୍ଚଳରେ ସ୍କୁଲ ହେଲାଣି, ପାଣି ପାଇପ ଲାଗିଲାଣି। ଲୋକେ ମୋବାଇଲ ବ୍ୟବହାର କଲେଣି।  ରିଲ୍‌ସ କଲେଣି । ସେଠାରେ ଏଭଳି କାଣ୍ଡ ଘଟୁଛି କେମିତି। ଏମିତି ମାନସିକତାକୁ କଣ କୁହାଯି? ଏହା ଅଜ୍ଞତା ନା ଅପରାଧ ପ୍ରବଣତା ?  ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। 

ସେପଟେ ଏହି ଘଟଣା ପରେ ସଂପୃକ୍ତ ଯୁବକ ଯୁବତୀ ଗାଁ ଛାଡ଼ି ଚାଲିଯାଇଛନ୍ତି। ତେବେ ଏହି ଘଟଣା ପାଇଁ ପୋଲିସ କିମ୍ବା ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.