ମଣ୍ଡି ୧୧।୭: ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ରାଜନୀତିରେ ନୂଆ ଇନିଂସ ଖେଳୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶ ମଣ୍ଡି ଆସନରୁ ବିଜେପି ଟିକେଟରେ ସାଂସଦ ନିର୍ବାଚିତ କଙ୍ଗନା ଏବେ ରାଜନୀତିର ବାସ୍ତବତା ବୟାନ କରିଛନ୍ତି। ତାଙ୍କର ଏହି ବୟାନ ନା କେବଳ ଆଶ୍ଚର୍ଯ୍ୟ କରୁଛି ବରଂ ରାଜନୀତି ଦୁନିଆ ବାହାରକୁ ଯେପରି ଗ୍ଲାମରସ ଲାଗୁଛି ଭିତରୁ ଏହା ସେତିକି କଠିନ ଓ ବ୍ୟୟବହୁଳ ବୋଲି ଜଣାପଡିଛି।
ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ କଙ୍ଗନା ତାଙ୍କ ସାଂସଦ ବେତନକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ସେ କହିଛନ୍ତି ରାଜନୀତି ଏକ ‘ମହଙ୍ଗା ସଉକ’। ଯେତେବେଳେ ତାଙ୍କୁ ‘ସଉକ’ ନେଇ ପ୍ରଶ୍ନ କରାଗଲା ସେ କହିଛନ୍ତି ଯେ ‘ଯଦି ଆପଣ ଜଣେ ସଚ୍ଚୋଟ ମଣିଷ ତେବେ ଆପଣ ରାଜନୀତିକୁ ପେଷା କରିପାରିବେନି, କାରଣ ଆପଣଙ୍କ ଦୈନନ୍ଦିନ ଜୀବନ ଯାପନ ନିମନ୍ତେ ଆପଣଙ୍କୁ ରୋଜଗାରର ନିତ୍ୟାନ୍ତ ଆବଶ୍ୟକତା ରହିଛି’।
କଙ୍ଗନା କହିଛନ୍ତି ଯେ ସାଂସଦଙ୍କୁ ମିଳୁଥିବା ବେତନରୁ ରୋଷେୟା, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦରମା ବାହାର କରିଦେବା ପରେ ମାତ୍ର ୫୦-୬୦ ହଜାର ଟଙ୍କା ବଞ୍ଚୁଛି। ଏହା ଏପରି ଏକ ବୟାନ ଯାହା ବାସ୍ତବିକ ଚମକାଇବା ଭଳି, କାରଣ ଅଧିକାଂଶ ଲୋକେ ଭାବନ୍ତି ନେତାଙ୍କୁ ଖୁବ୍ ପଇସା ମିଳେ। କଙ୍ଗନା କହିଛନ୍ତି ଯେ ଯେତେବେଳେ କର୍ମଚାରୀଙ୍କ ସହିତ ସାଂସଦୀୟ କ୍ଷେତ୍ର ଗସ୍ତରେ ଯିବାକୁ ହୁଏ ସେତେବେଳେ ଗୋଟିଏ ଟ୍ରିପର ବ୍ୟୟ ଲକ୍ଷରେ ପହଞ୍ଚି ଯାଏ। କାରଣ ଗନ୍ତବ୍ୟ ୩୦୦ରୁ ୪୦୦ କିଲୋମିଟର ଦୂରରେ ଥାଏ।
ସେ କହିଛନ୍ତି ଯେ ବାସ୍ତବିକ ରାଜନୀତି ଏକ ମହଙ୍ଗା ସଉକ, ଏଣୁ ଆପଣଙ୍କର ଅନ୍ୟ କୌଣସି କାମ ଅଥବା ଆୟର ଜରିଆ ଥିବା ଦରକାର। ସେ ଏହାର ଉଦାହରଣ ଦେଇ କହିଛନ୍ତି ଯେ ଜାଭେଦ ଅଖତରଙ୍କ ଭଳି ପ୍ରସିଦ୍ଧ ଲୋକେ ସାଂସଦ ଥାଇ ମଧ୍ୟ ନିଜ ପେଷାରେ ମଧ୍ୟ ସକ୍ରିୟ ଥିଲେ। ଏହା ପୂର୍ବରୁ କଙ୍ଗନା କହିଥିଲେ ଯେ ତାଙ୍କୁ ରାଜନୈତିକ ଅନୁଭବ ବହୁତ ଚ୍ୟାଲେଞ୍ଜିଂ ଲାଗୁଛି। କାରଣ ଲୋକେ ଛୋଟଛୋଟ ସମସ୍ୟା ନେଇ ଆସୁଛନ୍ତି ଯେପରି ନାଳ ଭାଙ୍ଗିଯିବା, ଖରାପ ସଡ଼କ ଆଦି। ଏ କଥା ତାଙ୍କୁ ନୂଆ ଲାଗୁଛି କାରଣ ତାଙ୍କର ସୋସିଆଲ ସର୍ଭିସ ବ୍ୟାକ୍ ଗ୍ରାଉଣ୍ଡ ନାହିଁ।