LIVE TV

ଭ୍ରଷ୍ଟାଚାରକୁ ବିରୋଧ କରି ଫିଲପାଇନ୍ସ ରେ ବିଶାଳ ବିକ୍ଷୋଭ, ମାନିଲାରେ ସଡ଼କକୁ ଓହ୍ଲାଇଲେ ଲୋକେ

NEWS7
kangana-ranaut-among-himachal-bjp-contenders-for-mandi-ls-ticket

ମାନିଲା ୧୬।୧୧: ଲକ୍ଷଲକ୍ଷ ଲୋକେ ରବିବାର ଫିଲପାଇନ୍ସ ରାଜଧାନୀ ମାନିଲାରେ ବନ୍ୟା ନିୟନ୍ତ୍ରଣ ଦୁର୍ନୀତି ବିରୋଧରେ ୩ ଦିବସୀୟ ବିକ୍ଷୋଭ ପାଇଁ ଏକତ୍ରିତ ହୋଇଛନ୍ତି। ଆୟୋଜକମାନେ ଏ ନେଇ ଫେସବୁକ୍ ପୋଷ୍ଟ କରିଥିବା ବେଳେ ‘ଆମେ ରାଜନୈତିକ ହସ୍ତକ୍ଷେପ ନୁହେଁ ବରଂ ଆମ ସାଥୀ ଫିଲପିନୋଙ୍କ ଲାଗି ଛିଡା ହେବାକୁ ’ ଏକତ୍ରିତ ହୋଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ କୁହାଯାଇଛି ଯେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏକ ସମ୍ପୂର୍ଣ୍ଣ, ନିରପେକ୍ଷ ଓ ସାମ୍ବିଧାନିକ ତଦନ୍ତ ଦାବି କରୁଛି, କାରଣ ଭ୍ରଷ୍ଟାଚାର ଯୋଗୁ ପ୍ରତି ଫିଲପିନୋ କ୍ଷତିରେ ପଡିଛନ୍ତି। ତଥାପି ଏଥି ପାଇଁ କେହି ଉତ୍ତରଦାୟୀ ହେଉ ନାହାନ୍ତି।

ଏହି ଦୁର୍ନୀତି ଅଭିଯୋଗ ସରକାରୀ ବ୍ୟୟରେ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପକୁ ନେଇ ଆସିଛି, ଯାହା ଅତ୍ୟନ୍ତ ନିମ୍ନ ମାନର ଅଥବା ଅସ୍ତିତ୍ୱହୀନ ବୋଲି ଜଣାପଡିଛି। ଗତ ଜୁଲାଇରେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ରାଷ୍ଟ୍ରକୁ ତାଙ୍କ ବାର୍ଷିକ ସମ୍ବୋଧନରେ ଏହି ଦୁ୍ର୍ନୀତି ଉପରୁ ପର୍ଦ୍ଦା ହଟାଇଥିଲେ। ଏହା ପରେ ଦେଶରେ ଭୟାନକ ବନ୍ୟା ଆସିଥିବା ବେଳେ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି। ଘରୋଇ ଠିକାଦାର ଛଦ୍ମ ପ୍ରକଳ୍ପ ମାଧ୍ୟମରେ ସରକାରୀ ଧନ ଲୁଟି ନେଇଥିବା ଅଭିଯୋଗ ହେଉଛି।

ଫିଲପାଇନ୍ସରେ ବନ୍ୟା ନିୟନ୍ତ୍ରଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଯାହା ଜଳବାୟୁ ସଂକଟ ଲାଗି ସବୁଠୁ ଅଧିକ ସମ୍ବେଦନଶୀଳ ଦେଶଙ୍କ ମଧ୍ୟରେ ଅନ୍ୟତମ। ଫିଲଫାଇନ୍ସରେ ଇସାୟୀ ଚର୍ଚ୍ଚ ଆଇଏନସି ଦ୍ୱାରା ରବିବାର ଆୟୋଜିତ ରାଲି ଦୁର୍ନୀତି ବିରୋଧରେ ଦେଶରେ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ବିରୋଧ ପ୍ରଦର୍ଶନ ବୋଲି କୁହାଯାଉଛି। ଏହି ବିକ୍ଷୋଭ ପ୍ରଦର୍ଶନ ଲାଗଲାଗ ଦେଶକୁ ଆସିଥିବା ଦୁଇଟି ସାମୁଦ୍ରିକ ବାତ୍ୟା ପରେ ଅନୁଷ୍ଠିତ ହେଉଛି। ଦୁଇଟି ସାମୁଦ୍ରିକ ବାତ୍ୟାରେ ଅନୁନ୍ୟ ୨୫୦ ଜଣଙ୍କ ମୃତ୍ୟୁ ହୋଇଛି। ଅଚାନକ ବନ୍ୟା ଓ ଭୂ-ସ୍ଖଳନ ଲାଗି ଏହି ସବୁ ମୃତ୍ୟୁ ହୋଇଥିବା କୁହାଯାଉଛି।

ଜନତାଙ୍କ ଉଗ୍ର ପ୍ରଦର୍ଶନକୁ ଶାନ୍ତ କରିବାକୁ ରାଷ୍ଟ୍ରପତି ମାର୍କୋସ କହିଛନ୍ତି ଯେ ଏହି ଦୁର୍ନୀତିରେ ସମ୍ପୃକ୍ତ ସିନେଟର, କଂଗ୍ରେସ ସଦସ୍ୟ ଓ ବ୍ୟବସାୟୀ ଆଗାମୀ ବଡ଼ ଦିନ ବେଳକୁ ଜେଲରେ ଥିବେ। ସେ କହିଛନ୍ତି ଯେ କଥିତ ଭ୍ରଷ୍ଟାଚାରର ତଦନ୍ତ ନିମନ୍ତେ ଚଳିତବର୍ଷ ପ୍ରାରମ୍ଭରେ ଗଠିତ ସ୍ୱତନ୍ତ୍ର ତଥ୍ୟାନ୍ୱେଷୀ ଆୟୋଗ ୩୭ ସନ୍ଦିଗ୍ଧଙ୍କ ବିରୋଧରେ ପୂର୍ବରୁ ଅପରାଧିକ ଅଭିଯୋଗ ରୁଜୁ କରିଛନ୍ତି। ଜନତାଙ୍କ ଅସନ୍ତୋଷ ପ୍ରତି ରାଷ୍ଟ୍ରପତି ମାର୍କୋସ ସଚେତନ ଅଛନ୍ତି। କାରଣ ତାଙ୍କ ପିତା ସ୍ୱର୍ଗତ ଫର୍ଡିନାଣ୍ଡ ମାର୍କୋସ ସିନିୟରଙ୍କୁ ୧୯୮୬ ମସିହାରେ ବ୍ୟାପକ ଭ୍ରଷ୍ଟାଚାର ନିମନ୍ତେ ଶାସନରୁ ବେଦଖଲ କରିଦିଆଯାଇଥିଲା।