ମୁମ୍ଵାଇ ୨୯।୦୫; ପୁଣି ବିବାଦରେ ଅଭିନେତା ତଥା ରାଜନେତା କମଲ ହାସନ । ଏଥରକ ପୁଣି ଭାଷା ବିବାଦରେ ଉଠିଛି ଲୋକପ୍ରିୟ ଚେହେରାଙ୍କ ନାଁ । ତାମିଲ ଭାଷାରୁ କନ୍ନଡ ଭାଷାର ଜନ୍ମ ବୟାନକୁ ନେଇ କମଲଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଲାଣି । ନିଜର ଆଗାମୀ ସିନେମା ଥଗ ଲାଇଫର ପ୍ରମୋସନ ସମୟରେ କମଲ କହିଥିଲେ, ମୋ ଜୀବନ ଓ ମୋ ପରିବାର ତାମିଲ ଭାଷା । କନ୍ନଡ଼ ଭାଷା ମଧ୍ୟ ତାମିଲରୁ ଜନ୍ମ। କାର୍ଯ୍ୟକ୍ରମରେ ଉପସ୍ଥିତ କନ୍ନଡ ଅଭିନେତା ଶିବରାଜକୁମାରଙ୍କୁ ଇଙ୍ଗିତ କରି କମଲ ଦେଇଥିବା ଏହି ବୟାନକୁ ନେଇ ଏବେ ଝଡ ଦେଖାଦେଇଛି ।
ଏହାରି ଭିତରେ କମଲଙ୍କୁ ମାନସିକ ରୋଗୀ କହିଛନ୍ତି ସିଦ୍ଦରମୈୟା । ତାମିଲନାଡୁର ଲୋକପ୍ରିୟ ଚେହେରା କମଲ ହାସନଙ୍କ ବୟାନକୁ ସହଜରେ ଗ୍ରହଣ କରିପାରିନାହାନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କମଲଙ୍କୁ ପାଗଳ କହିବା ସହ ଏଭଳି ବୟାନ କେବଳ ଭାଷା ବିବାଦକୁ ବଢ଼ାଉନି ବଂର ଦୁଇ ରାଜ୍ୟ ମଧ୍ୟରେ ତିକ୍ତତାକୁ ଅଧିକ ତ୍ରୀବ କରୁଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବିଭିନ୍ନ କନ୍ନଡ ସମର୍ଥିତ ସଂଗଠନ । ପୋଷ୍ଟରକୁ ଜାଳି, କାଳି ଓ ଚପଲ ମାଡ କରି ଜୋରଦାର ବିକ୍ଷୋଭ କରାଯାଉଛି । କମଲ ହାସନ ଯଦି ଏଭଳି ମନ୍ତବ୍ୟ ଜାରି ରଖନ୍ତି ତେବେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ବିବାଦ ଭିତରେ କମଲ ହାସନ ରାଜ୍ୟସଭା ଯିବା ନେଇ ମଧ୍ୟ ଏକ ବଡ ଖବର ଆସିଛି ।