ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଅଭିନେତା କମଲ ହାସନ

Published By : Prameya-News7 Bureau | June 06, 2025 IST

indiatoday

ନୂଆଦିଲ୍ଲୀ: ମକ୍କଲ ନିଧି ମୈୟମ (MNM) ସଭାପତି ଏବଂ ଅଭିନେତା କମଲ ହାସନ ରାଜ୍ୟସଭା ପ୍ରତିଦ୍ୱନ୍ଦ୍ୱିତା ପାଇଁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜୁନ୍ ୧୯ ତାରିଖରେ ହେବାକୁ ଥିବା ତାମିଲନାଡୁ ରାଜ୍ୟସଭା ନିର୍ବାଚନ ପାଇଁ ସେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ତାଙ୍କ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚେନ୍ନାଇ ରାଜ୍ୟ ସଚିବାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। 

ହାସଲ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଉଥିଲା। କିନ୍ତୁ କନ୍ନଡ ଭାଷାର ଉତ୍ପତ୍ତି ଉପରେ ଏକ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବାରୁ ଦଳର ଅନ୍ତର୍ନିହିତ ଲୋକଙ୍କ ପରାମର୍ଶରେ ସେ ଏହାକୁ ସ୍ଥଗିତ ରଖିଥିଲେ। ତେଣୁ ତାଙ୍କ ନାମାଙ୍କନ ଦାଖଲରେ ବିଳମ୍ବ ହୋଇଥିଲା। ଚେନ୍ନାଇରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଠଗ୍ ଲାଇଫ୍’ ପାଇଁ ଆୟୋଜିତ ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ହାସନ "କନ୍ନଡ ତାମିଲରୁ ଜନ୍ମ ହୋଇଛି" ବୋଲି କହି ଦେଇଥିଲେ। ଯାହାକୁ କନ୍ନଡ ସମର୍ଥକ ଗୋଷ୍ଠୀଗୁଡ଼ିକ ବ୍ୟାପକ ସମାଲୋଚନା କରିଥିଲେ।

ପ୍ରତିବାଦ ଏବଂ ବୟକଟ ଡାକରା ପରେ କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ୍ କମର୍ସ ରାଜ୍ୟରେ ଚଳଚ୍ଚିତ୍ରର ମୁକ୍ତିଲାଭ ଏବଂ ପ୍ରଦର୍ଶନକୁ ବନ୍ଦ କରିଦେଇଥିଲା। ଅଭିନେତା କ୍ଷମା ମାଗନ୍ତୁ ବୋଲି ପ୍ରବଳ ଦାବି ହୋଇଥିଲେ ସୁଧା ହାସନ କ୍ଷମା ମାଗିବାକୁ ମନା କରିଦେଇଥିଲେ। ତାଙ୍କ ମନ୍ତବ୍ୟକୁ ପ୍ରସଙ୍ଗ ବାହାରେ ନିଆଯାଇଛି ବୋଲି ସେ କହିଥିଲେ। ଏମିତିକି ସେ ରାଜ୍ୟରେ ଫିଲ୍ମ ଟି ରିଲିଜ୍ କରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟକୁ କହିଥିଲେ। ତଥାପି ସେ ତାଙ୍କ ମନ୍ତବ୍ୟକୁ ସମର୍ଥନ ଦୃଢ଼ ସମର୍ଥନ କରିଥିଲେ। 

କମଲ ହାସନଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ଦ୍ରାବିଡ଼ ମୁନେତ୍ର କାଝାଗମ ସହିତ ଏକ ନିର୍ବାଚନୀ ଚୁକ୍ତି ଅଧୀନରେ ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ସମୟରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟକୁ ହାସନଙ୍କ ଦଳର ସମର୍ଥନ ଦେଇଥିଲା। ବଦଳରେ ରାଜ୍ୟସଭା ପ୍ରାର୍ଥୀ କରିବାକୁ ଡିଏମ୍‌କେ ପ୍ରତିଶ୍ରୁତି ଦେଇଥିଲା।  ଡିଏମକେ ୨୮ ମଇରେ ଆନୁଷ୍ଠାନିକ ଭାବରେ ଏହାର ତିନି ରାଜ୍ୟସଭା ପ୍ରାର୍ଥୀଙ୍କ ମଧ୍ୟରେ ହାସନଙ୍କ ନାଁ ଘୋଷଣା କରିଥିଲା। ତେବେ ଭାଷା ବିବାଦ ପରେ ହାସଲ ନାମାଙ୍କନ ଦାଖଲ କରିପାରି ନଥିଲେ। ବିବାଦ ଏବେ ଥମିବାରୁ ସେ ଶୁକ୍ରବାର ଦଳୀୟ ନେତାଙ୍କ ଉପସ୍ଥିତେର ନାମାନଙ୍କନ ଭରିଛନ୍ତି। ସୂଚନା ଥାଉକି ତାମିଲନାଡୁରୁ ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଜୁନ୍ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.