କୋଲକାତା: ଦିନକୁ ଦିନ ବଢ଼ିବାରେ ଲାଗିଛି ତୃଣମୂଳ କଂଗ୍ରେସ (ଟିଏମସି)ରେ ଅନ୍ତର୍କନ୍ଦଳ। ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ଦଳୀୟ ସାଂସଦ ମହୁଆ ମୋଇତ୍ରଙ୍କୁ ଟାର୍ଗେଟ କରିଛନ୍ତି। ମହୁଆଙ୍କୁ ’ ଓ୍ବେଷ୍ଟ ଅଫ୍ ଟାଇମ୍’ (ସମୟର ଅପଚୟ) ଏବଂ ‘ନିମ୍ନସ୍ତର’ର ବୋଲି ଆଖ୍ୟା ଦେଇଛନ୍ତି। ବାନାର୍ଜୀ କହିଛନ୍ତି ‘‘ମହୁଆ ମୋଇତ୍ର ମୋ ପାଇଁ ଆଲୋଚନାର ବିଷୟ ନୁହଁନ୍ତି। ତାଙ୍କ ବିଷୟରେ କହିବା ଅର୍ଥହୀନ, କାରଣ ସେ ଅତ୍ୟନ୍ତ ନିମ୍ନସ୍ତରର। ତାଙ୍କ ଯୋଗୁ ମୁଁ ଅନେକଙ୍କ ଆଗରେ ଖରାପ ହୋଇଛି। ତାଙ୍କୁ ଗୁରୁତ୍ୱ ଦେବା ମୋର ଭୁଲ ଥିଲା।”
ତେବେ ଏହି ବିବାଦ ଟିଏମସିରେ ଥିବା ଅନ୍ତର୍କନ୍ଦଳକୁ ପୁଣି ପଦାରେ ପକାଇଛି। ଯାହା ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ। ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳ ଏକତା ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବାବେଳେ, ଏହି ଘଟଣା ଦଳୀୟ କନ୍ଦଳକୁ ଆହୁରି ବଢାଇବାରେ ଲାଗିଛି।
ପୂର୍ବରୁ ଏଭଳି ବିବାଦ ବଢ଼ିବା କାରଣରୁ କଲ୍ୟାଣ ବାନାର୍ଜୀ ଲୋକସଭାରେ ଟିଏମସିର ମୁଖ୍ୟ ସଚେତକ (ଚିଫ୍ ହ୍ୱିପ୍) ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବାରାସାଟର ସାଂସଦ କାକୋଲୀ ଘୋଷ ଦସ୍ତିଦାରଙ୍କୁ ନୂଆ ମୁଖ୍ୟ ସଚେତକ ଏବଂ ବୀରଭୂମର ସାଂସଦ ଶତାବ୍ଦୀ ରାୟଙ୍କୁ ଲୋକସଭାରେ ଟିଏମସିର ଉପନେତା ଭାବେ ନିଯୁକ୍ତ କରାଯାଇଛି।
ଉଲ୍ଲେଖଯୋଗ୍ୟ, କଲ୍ୟାଣ ବାନାର୍ଜୀ ଏବଂ ମୋଇତ୍ରଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନରୁ ଚାଲିଆସୁଛି। ବିଶେଷକରି, ୨୦୨୩ରେ “ପ୍ରଶ୍ନ ବଦଳରେ ନଗଦ” ମାମଲାରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିବା ସମୟରେ ବାନାର୍ଜୀ ତାଙ୍କ ସମର୍ଥନ କରିଥିଲେ। କିନ୍ତୁ ସମ୍ପ୍ରତି ସେ ମହୁଆଙ୍କ ଦ୍ୱାରା “ମିସୋଜିନିସ୍ଟ” ଏବଂ “ପିଗ୍” ଭଳି ଶବ୍ଦରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ବାନାର୍ଜୀ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “୨୦୨୩ରେ ମୁଁ ମହୁଆଙ୍କୁ ସମର୍ଥନ କରିଥିଲି, କିନ୍ତୁ ସେ ମୋତେ ମିସୋଜିନିସ୍ଟ କହି ତାଙ୍କର କୃତଜ୍ଞତାହୀନତା ଦେଖାଇଛନ୍ତି। ମୁଁ ଦେଶବାସୀଙ୍କୁ କ୍ଷମା ମାଗୁଛି।”