ନୂଆଦିଲ୍ଲୀ ୨୭।୦୫; ଜେଲ ଗଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଜ୍ୟୋତି । ଜ୍ୟୋତି ବିରୋଧରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା । ରିମାଣ୍ଡ ଅବଧି ଶେଷ ହେବା ପରେ ହରିୟାଣାର ହିସାର କୋର୍ଟରେ ହାଜର କରିଥିଲା ପୋଲିସ । ୯ ଦିନିଆ ରିମାଣ୍ଡରେ ନେଇ ତନାଘନା କରିଥିଲା ହରିୟାଣା ପୋଲିସ । ପ୍ରଥମେ ୫ ଦିନ ଓ ପରେ ୪ ଦିନିଆ ରିମାଣ୍ଡରେ ନେଇ ଗୁଇନ୍ଦାଗିରି ଖୋଳତାଡ଼ କରିଥିଲା ପୋଲିସ । ଯାଞ୍ଚ ବେଳେ ଜ୍ୟୋତିଙ୍କ ଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀରୁ ବହୁ ଗୁରୁତ୍ବପୁର୍ଣ୍ଣ ତଥ୍ୟ ମିଳିଛି ।
ଜ୍ୟୋତିଙ୍କ ପାଖରୁ ମିଳିଛି ୧୪ ଟିବି ଡାଟା । ଜ୍ୟୋତିଙ୍କ ପାକିସ୍ତାନ ଆଇଏସଆଇ ସହିତ ସମ୍ପର୍କ ଥିବା ଆଶଂକା କରାଯାଉଛି । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜ୍ୟୋତିଙ୍କୁ ଜେରା କରାଯାଉଥିଲା । ପାକିସ୍ତାନ ଏଜେଣ୍ଟଙ୍କୁ ତଥ୍ୟ ଦେଉଥିବା ପ୍ରମାଣ ମଧ୍ୟ ମିଳିଛି । ଜ୍ୟୋତିଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ହିସାବ କରାଯାଉଛି । ତାଙ୍କର ତିନୋଟି ମୋବାଇଲ୍ ଏବଂ ଏକ ଲାପଟପ୍, ପୋଲିସ ଫରେନସିକ୍ ପାଇଁ ପଠାଇଛି । "ପ୍ରାୟ ୧୦-୧୨ ଟେରାବାଇଟ୍ ଡାଟା ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି," ବୋଲି ପୋଲିସ କହିଛି । ଏହାସହ ଜ୍ୟୋତିଙ୍କ ଚାରୋଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପାକିସ୍ତାନରେ ମିଳୁଥିଲା ଭିଆଇପି ସିକ୍ୟୁରିଟି ସହ ଏକେ-47 ବନ୍ଧୁକଧାରୀ ସୁରକ୍ଷାକର୍ମୀ ପାକିସ୍ତାନରେ ଜ୍ୟୋତିଙ୍କୁ ଦେଉଥିଲେ ସୁରକ୍ଷା। ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ୬ ଜଣ ବନ୍ଧୁକଧାରୀ ପୁରୁଷ ଗାର୍ଡଙ୍କ ସୁରକ୍ଷା ବଳୟରେ ରହିଥିଲେ । ପାକିସ୍ତାନର ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ସେ ଭେଟିଥିବା ଜଣାପଡିଛି । ପାକିସ୍ତାନର ହାଇପ୍ରୋଫାଇଲ ପାର୍ଟିରେ ଯୋଗ ଦେବାକୁ ମିଳୁଥିଲା ନିମନ୍ତ୍ରଣ ।