ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାସ, ୫ ଅପରାଧିଙ୍କୁ ବାନ୍ଧିଲା ପୋଲିସ

NEWS7
justice-sanjiv-khanna-is-next-chief-justice-of-india-to-take-charge-on-nov-11

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସାଇବର ଥାନା ପୋଲିସ ଏକ ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାସ କରିଛି। ଏହି ଠକମାନେ ବିଭିନ୍ନ ବ୍ୟାଙ୍କରେ ଖୋଲାଯାଇଥିବା ମ୍ୟୁଲ ଆକାଉଣ୍ଟ ଜରିଆରେ ୬ କୋଟି ୨୭ ଲକ୍ଷ ଟଙ୍କାର ସାଇବର ଠକେଇ କରୁଥିବା ପୋଲିସ ଜାଣିପାରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ ଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଏସ୍ପି ରମେନ୍ଦ୍ର ପ୍ରସାଦ।

ସୂଚନା ଅନୁଯାୟୀ, ସିଆଇଡି ପକ୍ଷରୁ ଜିଲା ସାଇବର ସେଲକୁ ଜିଲ୍ଲାରେ ଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସାଇବର ଠକେଇ ହେଉଥିବା ନେଇ ସୁଚନା ଦିଆଯାଇଥିଲା । ଏହାକୁ ଏସ୍ପି ହରିଶ ବିସି ଗୁରୁତ୍ୱର ସହ ନେଇ ଏଏସ୍ପି ରମେନ୍ଦ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତଦନ୍ତ ବେଳେ ଏଭଳି ୧୬ ଟି ଆକାଉଣ୍ଟ ରହିଥିବା ଏବଂ ଏ ସମସ୍ତ ନିରୀହ ଗରିବ ଶ୍ରେଣୀ ଲୋକଙ୍କ ନାମରେ ଥିବା ଜଣା ପଡ଼ିଥିଲା । ସେମାନଙ୍କୁ ପଚରା ଉଚୁରା କରିବାରୁ ଆକାଉଣ୍ଟ ଖୋଲିଥିବା କିଛି ଯୁକବଙ୍କ ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା।

ଆକାଉଣ୍ଟରେ ହୋଇଥିବା ଟ୍ରାଞ୍ଜାକ୍ସନ ଏବଂ ଫୋନ କଲ୍କୁ ଆଧାର କରି ପୋଲିସ ଭୁବନେଶ୍ୱରର ସୂର୍ଯ୍ୟୋଦୟ ବ୍ୟାଙ୍କରେ କାମ କରୁଥିବା ମାଷ୍ଟରମାଇଣ୍ଡ ତୁଷାରକାନ୍ତି ଦାସଙ୍କୁ ଉଠାଇ ଆଣି ପଚରା ଉଚରା କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା । ଏହି ଘଟଣାରେ ଆଉ ୪ ଜଣଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଫୁଲବାଣୀର ଅବିନାଶ ମହାପାତ୍ର, କିରଣ କୁମାର ବେହେରା, ଗୋପାଳ ସିଂ ଓ ବାଦଲ କୁମାର ସ୍ୱାଇଁ । ୧୦ ମ୍ୟୁଲ ଆକାଉଣ୍ଟଧାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା ୟୂ/ଏସ ୩୫ ଅନୁସାରେ ନୋଟିସ ଜାରି କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ ତୁଷାରକାନ୍ତି ହେଉଛନ୍ତି ଘଟଣାର ମୁଖ୍ୟ କାର୍ପଟଦାର । ସେ ଏକ ହ୍ୱାଟସ୍ଆପ ଖୋଲି ସମ୍ପୃକ୍ତ ଯୁବକଙ୍କୁ ସେଭିଙ୍ଗ ଆକାଉଣ୍ଟ ଖୋଲିଲେ କମିଶନ ବାବଦରେ ୫ ହଜାର ଏବଂ କର୍ପୋରେଟ ଆକାଉଂଟ ଖୋଲିଲେ ୫୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଉଥିଲେ । ପୂର୍ବରୁ ସାଇବର ଅପରାଧ ସମ୍ପର୍କରେ ଅବଗତ ଥିବା ଏହି ଯୁବକ ମାନେ ଆକାଉଣ୍ଟଧାରୀଙ୍କ ପାସ୍ ବୁକ, ଏଟିଏମ୍, ନେଟ ବ୍ୟାଙ୍କିଂ ଏବଂ ସିମ୍ କାର୍ଡ ମାସକ ପାଇଁ ଦେବାକୁ କହି ଆଣୁଥିଲେ। କିନ୍ତୁ ପରେ ଫେରାଉ ନଥିଲେ । ସିଆଇଡି ପକ୍ଷରୁ ଖବର ମିଳିବା ପରେ ତଦନ୍ତକୁ ଜୋରଦାର କରାଯାଇଥିଲା। ଫୁଲବାଣୀରେ ୧୬ଟି ଅକାଉଂଟରେ ୬ କୋଟି ୨୭ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣା ପଡ଼ିଥିଲା । ଏଥି ମଧ୍ୟରେ ୧୫ଟି

ସେଭିଙ୍ଗସ ଓ ଗୋଟିଏ କର୍ପୋରେଟ ଆକାଉଣ୍ଟ ରହିଛି। ଏହି ଠକାମୀର ଚେର ଦେଶ ତଥା ଦେଶ ବାହାର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଚୀନକୁ ମଧ୍ୟ ଟଙ୍କା ଯାଇଥିବା କହିଛନ୍ତି ଅତିରିକ୍ତ ଏସପି। ସମସ୍ତ ଆକାଉଂଟକୁ ଅଚଳ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ମୂଳ ସାଇବର ଅପରାଧିଙ୍କ ଉପରେ ଅଧିକ ତଦନ୍ତ ଚାଲିଛି ବୋଲି ଏଏସପି ରମେନ୍ଦ୍ର କହିଛନ୍ତି । ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲିଗୁଡା ଏସ୍ଡିପିଓ କେ.ଶ୍ରୀନିବାସୁଲ, ଫୁଲବାଣୀ ସାଇବର ଥାନା ଅଧିକାରୀ ଗେଲୀ କୁମାରୀ ସାହୁ ଉପସ୍ଥିତ ଥିଲେ ।