ବ୍ରହ୍ମପୁର: ଆମକୁ ଟଙ୍କାକୁ ଦିଅ… ଚାକିରି ସୁନିଶ୍ଚିତ। ଏଭଳି ମିଛ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ। ଶେଷରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ। ମାଷ୍ଟର ମାଇଣ୍ଡ ପ୍ରଦ୍ୟୁମ୍ନ ପୋଲାଈ ସମେତ ବ୍ରହ୍ମପୁରର ଆଶିଷ ମହାପାତ୍ର ଓ ଜଗତସିଂହପୁରର ମିହିର ରାଉତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ।
ଚଢ଼ଉ ସମୟରେ ଟଙ୍କା ଗଣତି ମେସିନ, ଗୋଟିଏ ଲାପଟପ ପାଞ୍ଚଟି ମୋବାଇଲ ଫୋନ, ଦୁଇଟି ସ୍କୁଟି, ରାଜ୍ୟର ବିଭିନ୍ନ ଅଞ୍ଚଳର ୧୫ ଜଣ ଛାତ୍ରଛାତ୍ରୀଙ୍କ ଅସଲି ସାର୍ଟିଫିକେଟ, ଗୋଟିଏ କାର, ୩ଟି ଟଙ୍କା ନେଣଦେଣର ଚୁକ୍ତି ପତ୍ର, ଗୋଟିଏ ନକଲି ନିଯୁକ୍ତି ପତ୍ରକୁ ଜବତ କରିଛି ପୁଲିସ। ନିମଖଣ୍ଡି ଥାନା ଅଞ୍ଚଳ ନିମଖଣ୍ଡିର ଆଶିଷ କୁମାର ପାତ୍ର ସରକାରୀ ଚାକିରି କରେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଫୋନରେ ବାରମ୍ବାର ଯୋଗାଯୋଗ କରି ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଥିଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଗିରୀଜା ନନ୍ଦନ ପଣ୍ଡିତ। ଏନେଇ ଗତ ୭ ତାରିଖରେ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ଗତ ୪ ବର୍ଷ ହେଲା ଚାକିରି ଆଶାୟୀଙ୍କୁ ଏମାନେ ଏମିତି ଲକ୍ଷାଧିକ ଟଙ୍କା ଠକି ନେଉଥିବା ପୁଲିସ ତଦନ୍ତରୁ ଜଣାପଡିଛି। ତଦନ୍ତ ପରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।