ଭାରତର 'ଲେଡି ତାର୍ଜନ' ଯମୁନା: ଘଞ୍ଚ ଜଙ୍ଗଲର ରାଣୀ, ଭୟରେ ଥରନ୍ତି ମାଫିଆ

Published By : Prameya-News7 Bureau | August 08, 2025 IST

news7

ନୂଆଦିଲ୍ଲୀ: ଘଞ୍ଚ ଜଙ୍ଗଲର ରାଣୀ। ୨୪ ଘଣ୍ଟିଆ ଦିଅନ୍ତି ପହରା।  ଭାରତର ଲେଡି ତାର୍ଜନ ପଦ୍ମଶ୍ରୀ ଯମୁନା ଟୁଡୁ। ପରିବେଶ ସୁରକ୍ଷାର ସେ ନାୟିକା।  ସ୍ୱାଧୀନତା ଦିବସରେ ରାତ୍ରଭୋଜନ ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ। ଭାରତୀୟ ଡାକ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥାରେ ନୂଆଦିଲ୍ଲୀରୁ ଚାକୁଲିଆକୁ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପହଞ୍ଚାଇଛି। ତାଙ୍କୁ ପଠାଯାଇଥିବା ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଅଛି ଯେ ଅଗଷ୍ଟ ୧୫ ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ରାତ୍ରୀଭୋଜନରେ ଯମୁନା ଟୁଡୁଙ୍କୁ ଯୋଗ ଦେବାକୁ କୁହାଯାଇଛି।  ଯମୁନା କିଏ ? କାହିଁକି ମନେପକାଇଲେ ପ୍ରେସିଡେଣ୍ଟ ମ୍ୟାଡାମ୍‌। 

୧୯୮୦ ମସିହାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଜଣେ ଚାଷୀଙ୍କ ଘରେ ଯମୁନାଙ୍କ ଜନ୍ମ। ଯମୁନା ତାଙ୍କ ବାଲ୍ୟ ଜୀବନର ଅଧିକାଂଶ ସମୟ ଜଙ୍ଗଲ ଛାଇରେ ବିତାଇଛନ୍ତି। ବିବାହ ପରେ ସେ ଝାଡ଼ଖଣ୍ଡ ଚାଲିଆସିଥିଲେ। ଏଠାରେ ବେଆଇନ ଗଛ କଟା ଦେଖି ସେ ଦୁଃଖିତ ହୋଇଥିଲେ। ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଯମୁନା। ଯମୁନା ୫୦ ହେକ୍ଟର ଜଙ୍ଗଲ ଜମିକୁ ନଷ୍ଟ ହେବାରୁ ରକ୍ଷା କରିଛନ୍ତି।  

୪୨ ବର୍ଷିୟା ଟୁଡୁ 'ବନ ସୁରକ୍ଷା ସମିତି'ର ପ୍ରତିଷ୍ଠାତା। ଗଛ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ୧୦ ହଜାରରୁ ଅଧିକ ମହିଳାଙ୍କୁ ଏକତ୍ରିତ କରିଥିଲେ। ଏହା ସହିତ ତାଙ୍କ ଗାଁର ମହିଳାଙ୍କୁ ପରିବେଶଗତ ସମସ୍ୟା ବିଷୟରେ ଶିକ୍ଷା ଦେଇଥିଲେ। ଝାଡ଼ଖଣ୍ଡରେ ତାଙ୍କ ଗାଁ ପାଖରେ ବେଆଇନ ଗଛ କଟା ବନ୍ଦ କରିଥିଲେ। ଝାଡ଼ଖଣ୍ଡରେ କାଠ ମାଫିଆ ଏବଂ ନକ୍ସଲବାଦୀଙ୍କ ମୁକାବିଲା ପାଇଁ 'ଲେଡି ତାର୍ଜନ' ଭାବରେ ଜଣାଶୁଣା। 

ସେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ତାଙ୍କ ସ୍ୱାମୀ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ଶ୍ରମ ସହିତ ସେ ପରିବେଶ ସୁରକ୍ଷାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ। ସେ ଜଙ୍ଗଲକୁ ଯାଇ ଗଛ କଟାଳିମାନଙ୍କୁ ବୁଝାଉଥିଲେ, ଜନସଚେତନତା ଅଭିଯାନ ଚଲାଇଥିଲେ ଏବଂ ଜଙ୍ଗଲ ମାଫିଆମାନଙ୍କୁ ବିରୋଧ କରୁଥିଲେ। ଏହି ସମୟ ମଧ୍ୟରେ, ତାଙ୍କ ଉପରେ ଅନେକ ଥର ଆକ୍ରମଣ ମଧ୍ୟ ହୋଇଛି କିନ୍ତୁ ସେ ହାର ମାନି ନାହାନ୍ତି। ଗଛ ସୁରକ୍ଷା ପ୍ରତି ତାଙ୍କର ଆଗ୍ରହ ଯୋଗୁଁ ଲୋକମାନେ ଯମୁନା ଟୁଡୁଙ୍କୁ 'ଲେଡି ତାର୍ଜନ' ବୋଲି ଡାକିବା ଆରମ୍ଭ କରିଥିଲେ। ଗଛ ପ୍ରତି ତାଙ୍କର ପ୍ରେମ ଏବଂ ସମର୍ପଣ ପାଇଁ ଭାରତ ସରକାର ଯମୁନାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ଯମୁନା କୁହନ୍ତି ଯେ ଜଙ୍ଗଲ ବଞ୍ଚାଇବା ଅଭିଯାନ ସମୟରେ, ଏପରି ସମୟ ଆସେ ଯେତେବେଳେ ସେ ସମସ୍ତ ଭୟକୁ ହରାଇ ଦିଅନ୍ତି। ଏପରି ପରିସ୍ଥିତିରେ ସେ ପଛକୁ ହଟି ନାହାଁନ୍ତି। ଆଜି ସମସ୍ତେ ଯମୁନାଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରଶଂସା କରନ୍ତି। ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇ ଭାବପ୍ରବଣ ହୋଇଛନ୍ତି ଯମୁନା। ସେ ଏହି ନିମନ୍ତ୍ରଣକୁ ବିରାଟ ଆନନ୍ଦ ଏବଂ ସମ୍ମାନ ବୋଲି କହିଛନ୍ତି। ଏହି ନିମନ୍ତ୍ରଣ କେବଳ ମୋ ପାଇଁ ନୁହେଁ, ବରଂ ପରିବେଶ ରକ୍ଷା ପାଇଁ ଲଢ଼ୁଥିବା ପ୍ରତ୍ୟେକ ମହିଳା ଏବଂ ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.