ଗୁରୁଜୀ ମୋତେ ଛାଡି ଚାଲିଗଲେ, ପିତାଙ୍କ ମୃତ୍ୟୁରେ ଭାବପ୍ରବଣ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 04, 2025 IST

ରାଞ୍ଚି ୦୪/୦୮: ଅଲ୍‌ବିଦା ଦିଶୋମ ଗୁରୁଜୀ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନ ଆଉ ନାହାଁନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ସୋମବାର ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ତାଙ୍କର ପରଲୋକ ନେଇ ସ୍ପଷ୍ଟ କରିଛନ୍ତି। 

ସେ ତାଙ୍କ ପିତାଙ୍କ ଦେହାନ୍ତରେ ଭାବପ୍ରବଣ ହୋଇ ଲେଖିଛନ୍ତି, 'ଆଜି ମୁଁ ଶୂନ୍ୟ ହୋଇଗଲି, ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । କିଡନୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କୁ ଏକ ମାସରୁ ଅଧିକ ସମୟ ଧରି ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ସାର୍ ଗଙ୍ଗାରାମ ହସ୍ପିଟାଲ ଏକ ମେଡିକାଲ୍ ବୁଲେଟିନରେ କହିଛି, 'ଆଜି ସକାଳ ୮.୫୬ରେ ଶିବୁ ସୋରେନଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୀର୍ଘ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କିଡନୀ ରୋଗରେ ପୀଡିତ ଥିଲେ। ଦେଢ଼ ମାସ ପୂର୍ବରୁ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା। ତାଙ୍କୁ ଗତ ଗୋଟିଏ ମାସ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। 

'ଦିଶୋମ ଗୁରୁ' (ମହାନ ନେତା) ଭାବରେ ସେ ବେଶ୍ ଖ୍ୟାତ । ଶିବୁ ସୋରେନ ଭାରତୀୟ ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ । ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ପୃଷ୍ଠପୋଷକ ଥିଲେ। ତାଙ୍କର ଚାରି ଦଶନ୍ଧି ଧରି ରାଜନୈତିକ କ୍ୟାରିୟର । ଯେଉଁଥିରେ ଶିବୁ ସୋରେନ ଆଠ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । 

ଦୁଇ ଥର ରାଜ୍ୟସଭା ସାଂସଦ ଥିଲେ, ଯାହାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଏପର୍ଯ୍ୟନ୍ତ ଜାରି ରହିଥିଲା। ସେ ତିନି ଥର ପୃଥକ ପୃଥକ ସମୟରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।


  • Hemant Soren
  • Hemant Soren
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.