Amazonରୁ ୧.୫ ବିଲିୟନ ଡଲାରର ସେୟାର ବିକ୍ରି କରିଦେଲେ ଜେଫ ବେଜୋସ୍, ଜାଣନ୍ତୁ ଆଉ ରହିଲା କେତେ?

Published By : Prameya-News7 Bureau | July 28, 2025 IST

ୱାଲଷ୍ଟ୍ରିଟ୍ ୨୮।୭:  ଆମାଜନ ସଂସ୍ଥାପକ ଜେଫ ବେଜୋସ୍ ଜୁଲାଇ ୩୧ରେ କମ୍ପାନୀର ଦ୍ୱିତୀୟ ତ୍ରୈମାସିକ ଆୟ ଘୋଷଣାର କିଛି ଦିନ ପୂର୍ବରୁ ଆମାଜନରେ ତାଙ୍କ ଥିବା ଅଂଶରୁ ଏକ ବଡ଼ ଭାଗ ବିକ୍ରି କରିଦେଇଛନ୍ତି। ୨୧ ଓ ୨୨ ଜୁଲାଇରେ ମୋଟ ୬.୬ ମିଲିୟନ ସେୟାର ବିକ୍ରି କରିଛନ୍ତି,ଯାହାର ମୂଲ୍ୟ ୧.୫ ବିଲିୟନ ଡଲାର ଆକଳନ କରାଯାଉଛି। ବ୍ୟାରୋନ୍ସ ରିପୋର୍ଟ ଅନୁସାରେ ଏହି ନେଣଦେଣ ସମ୍ପର୍କରେ ଆମୋରିକା ପ୍ରତିଭୂତି ଓ ବିନିମୟ ଆୟୋଗ (ଏସଇସି)ରେ କରାଯାଇଥିବା ଏକ ଫାଇଲିଂରୁ ଜଣାପଡିଛି। 

 

ଏହି ଏଏସଇସି ଫାଇଲିଂ ଅନୁସାରେ ଆମାଜନ ସଂସ୍ଥାପକଙ୍କ ନିକଟରେ ଏବେବି ୪.୬ ମିଲିୟନ ସେୟାର ରହିଛି, ଯାହାର ମୂଲ୍ୟ ପାଖାପାଖି ୧ ବିଲିୟନ ଡଲାର ଆକଳନ କରାଯାଉଛି ଓ ସେ ୨୯ ମେ ୨୦୨୬ ସୁଦ୍ଧା ୨୫ ମିଲିୟନ ସେୟାର ବିକ୍ରି କରିବାକୁ ଯୋଜା ରଖିଛନ୍ତି। ଫାଇଲିଂରେ ଏହାକୁ ନିୟମ ୧୦ବି୫-୧(ସି)ପୂରା କରିବା ପାଇଁ ଏକ ଯୋଜନା ବୋଲି କୁହାଯାଇଛି। ବେଜୋସ ଏବେ ଆକ୍ରମକ ରୂପେ ସେୟାର ବିକ୍ରି କରିବାରେ ଲାଗିଛନ୍ତି। ଜୁନରେ ତାଙ୍କ ବିବାହ ପରେ ସେ ପାଖାପାଖି ୫.୭ ବିଲିୟନ ଡଲାରର ଆମାଜନ ସେୟାର ବିକ୍ରି କରିଛନ୍ତି। 

 

ଚଳିତମାସ ଆରମ୍ଭରେ ମଧ୍ୟ ସେ ୭୩.୭କୋଟି ଡଲାର ମୂଲ୍ୟର ସେୟାର ବିକ୍ରି କରିଛନ୍ତି। ଏହି ବିକ୍ରି ଏକ ବ୍ୟାପକ ବିକ୍ରିର ଅଂଶ ବିଶେଷ।  ୨୦୨୪ ଓ ୨୦୨୫ରେ ଏ ପର୍ଯ୍ୟନ୍ତ ମୋଟ ମିସାଇ ସେ ୯.୫ କୋଟି ଆମାଜନ ସେୟାର ବିକ୍ରି କରିଛନ୍ତି, ଯାହାର ମୋଟ

 ମୂଲ୍ୟ ୧୮.୨ ବିଲିୟନ ଡଲାର। ୨୦୦୨ ମସିହାରୁ ଏ ପର୍ଯ୍ୟନ୍ତ ତାଙ୍କର ମୋଟ ୱିଡ୍ରଲ ୫୦ ମିଲିୟନ ଡଲାରରୁ ବି ଅଧିକ ହେଲାଣି। ନିକଟରେ ହୋଇଥିବା ବିକ୍ରି ସତ୍ତ୍ୱେ ବେଜୋସ ଏବେବି ଆମାଜନରେ ଏକ ବଡ଼ ଅଂଶର ମାଲିକ ହୋଇ ରହିଛନ୍ତି। ତାଙ୍କର ସଞ୍ଚିତ ସେୟାରର ମୂଲ୍ୟ ପାଖାପାଖି ୨୩୨ ବିଲିୟନ ଡଲାର ହେବ। 

 

ବେଜୋସ ସେୟାର ବିକ୍ରି କରିବା ସହିତ ଦାନ ମଧ୍ୟ କରୁଛନ୍ତି। ୨୦୨୪ ଓ ୨୦୨୫ରେ ବେଜୋସ ୪୫ ଲକ୍ଷ ସେୟାର ଦାନରେ ଦେଇଛନ୍ତି, ଯାହାର ମିଳିତ ମୂଲ୍ୟ ପାଖାପାଖି ୧ ବିଲିୟନ ଡଲାର। ତେବେ ଏହି ନବୀନତମ ବିକ୍ରି ଆମାଜନର ଦ୍ୱିତୀୟ ତ୍ରୈମାସିକ ଆୟ ଘୋଷଣାର ଠିକ୍ ପୂର୍ବରୁ ହୋଇଛି। ବିଶ୍ଲେଷକଙ୍କ ଅନୁମାନ କମ୍ପାନୀ ୧.୩୨ ଡଲାର ପ୍ରତି ସେୟାରର ଆୟ ଓ ୧୬୨ ବିଲିୟନ ଡଲାରର ରେଭିନ୍ୟୁ ଆୟ କରିବ। 

 

ଏହା ଗତ ବର୍ଷ ଏହି ତ୍ରୈମାସିକ ତୁଳନାରେ କ୍ରମଶଃ ୪ ଓ ୯ ପ୍ରତିଶତ ବୃଦ୍ଧି। ତେବେ ଆମାଜନର ପ୍ରଦର୍ଶନ ଏବେବି ଅନ୍ୟ ବଡ଼ ଟେକ୍ କମ୍ପାନୀଙ୍କ ଠାରୁ ପଛରେ ରହିଛି। ବଜାର ପୂର୍ବାନୁମାନ ଅନୁସାରେ ମେଟା, ମାଇକ୍ରୋସଫ୍ଟ ଓ ଏନବିଡିଆ ୨୦୨୫ ସୁଦ୍ଧା ଏସଆଣ୍ଡପି୫୦୦ ବୃଦ୍ଧିରେ ଅଗ୍ରଣୀ ରହିବେ। ଅନ୍ୟପଟେ ନିଜର ଏଆଇ ରଣନୀତିରେ ଅନିଶ୍ଚିତତା କାରଣରୁ ଆପଲ ଏବେ ପଛଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.