ଜଟଣୀ: ପାଖେଇ ଆସୁଛି ଗଣେଶ ପୂଜା। ଗାଁଠୁ ନେଇ ସହର ଗଣପତି ବାବାଙ୍କ ଆଗମନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହା ମଧ୍ୟରେ ଓଡିଶାର ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଆଜି କମିଶନରେଟ ପୋଲିସ ଏ.ଡି.ସି.ପି.ଭୁବନେଶ୍ୱର ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅଗ୍ରୱାଲ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଛି l ଗଣେଶ ପୂଜାକୁ ଶୃଙ୍ଖଳିତ କରିବା ନେଇ ଗୁରୁତ୍ଵ ଦିଆଯାଇଛି। ଏଥର ଭସାଣୀରେ ଡିଜେକୁ ବାରଣ କରାଯାଇଛି। ବୈଠକରେ ଜଟଣୀ ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସହ ତହସିଲଦାର, ବି. ଡି. ଓ. ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜଟଣୀ ପୌରାଧ୍ୟକ୍ଷ, କାଉନସିଲରଙ୍କ ସହ ଜ଼ିଲ୍ଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l
Also read: OTET କେଳେଙ୍କାରୀ : ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି, ୨୨କୁ ଘୁଞ୍ଚିଲା ଶୁଣାଣି
ଚଳିତ ବର୍ଷ ଏଇ ପୂଜାକୁ ଜାକଜକମରେ କରିବାକୁ ସମସ୍ତ ପୂଜା ମଣ୍ଡପ ପ୍ରସ୍ତୁତ ଥିବା ନେଇ କମିଟି ତରଫରୁ କୁହାଯାଇଛି l ସେହିପରି ଜଟଣୀର କିଛି ବଜାରରେ ସମସ୍ୟା ନେଇ ମଧ୍ୟ ମଣ୍ଡପର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି l ଚଳିତ ବର୍ଷ ପୂଜାକୁ ଶୁଙ୍ଖଳିତ ଭାବେ କରିବା ସହ ସିସିଟିଭି ମଣ୍ଡପରେ ଲଗାଇବା ଓ ଗଣେଶ ଭସାଣୀରେ ଡିଜେ କିମ୍ବା କୌଣସି ବକ୍ସ ସାଉଣ୍ଡ ବ୍ୟବହାର ହେବ ନାହିଁ କି ବାଣ ଫୁଟିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି l ପାରମ୍ପରିକ ବାଜା ବ୍ୟବହାର କରିବା ପାଇଁ ଉପସ୍ଥିତ ସମସ୍ତ ପୂଜା କମିଟିକୁ ଏ.ଡି. ସି. ପି ମହାପାତ୍ର ନିବେଦନ କରିଛନ୍ତି l
ଏହି ବୈଠକରେ ଏ. ସି. ପି.ଜୋନ ୩ ତାପସ ଚନ୍ଦ୍ର ପ୍ରଧାନ, ଆଇ. ଆଇ ସି. ଷ୍ଟାଲିନ ବିଶ୍ୱାଳ, RPF, ଇନ୍ସପେକ୍ଟର, ଜିଆର.ସହ ଜଟଣୀର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ l ଚଳିତ ବର୍ଷ ସମସ୍ତ ଜନସାଧାରଣ ଓ ପୂଜା ମଣ୍ଡପର ସଭ୍ୟ ମାନଙ୍କୁ ସହଯୋଗ କାମନା କରିଛି କମିଶନରେଟ ପୋଲିସ l