ମୁମ୍ବାଇ ୨୨।୦୬ : ଓ୍ୱାସିମ୍ ଆକ୍ରାମ୍ ହେଉ କି ଓ୍ୱାକର ୟୁନିସ୍, ଇମ୍ରାନ ଖାନ୍ ହେଉ କି ଜାହିର ଖାନ୍, ନା ଅନୀଲ କୁମ୍ବଲେ । ସମସ୍ତ ଦିଗ୍ଜ ବୋଲରଙ୍କୁ ପଛରେ ପକାଇ ଜଶ୍ପ୍ରୀତ୍ ବୁମ୍ରା ରଚିଲେ ନୂଆ କୀର୍ତ୍ତିମାନ । SENA ( ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ ) ଦେଶରେ ସବୁଠୁ ଅଧିକ ଓ୍ୱିକେଟ୍ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି ଏହି ଭାରତୀୟ ଦ୍ରୁତ ବୋଲର ।
ଏକ ରିପୋର୍ଟ ଅନୁଯାୟୀ, SENA ଦେଶମାନଙ୍କରେ ସବୁଠୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ଜଶପ୍ରୀତ୍ ବୁମ୍ରା । ତାଙ୍କ ପଛକୁ ଓ୍ୱାସିମ୍ ଆକ୍ରାମ୍ ଏବଂ ଅନୀଲ କୁମ୍ବଲେ ରହିଛନ୍ତି । ସେନା ଦେଶରେ ଜଶପ୍ରୀତ୍ ବୁମ୍ରା ୧୪୭ ଟି ଓ୍ୱିକେଟ୍ ନେଇଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ପାକିସ୍ତାନର ମହାନ ଦ୍ରୁତ ବୋଲର ତଥା ପୂର୍ବତନ ଅଧିକାନାୟକ ଓ୍ୱାସିମ୍ ଆକ୍ରାମ୍ । ଆଉ ଆକ୍ରାମ୍ଙ୍କ ପଛକୁ ରହିଛନ୍ତି ଭାରତର ମହାନ ଲେଗ୍ ସ୍ପିନର ତଥା ପୂର୍ବତନ ଅଧିନାୟକ ଅନିଲ୍ କୁମ୍ବଲେ । ସେ ନିଜ କ୍ୟାରିୟରରେ ସେନା ଦେଶରେ କ୍ରିକେଟ୍ ଖେଳି ମୋଟ୍ ୧୪୧ଟି ଓ୍ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ୩ଟି ଓ୍ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି ବୁମ୍ରା ।
ସୂଚନାଯୋଗ୍ୟ ଯେ, ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲିଛି । ଯେଉଁଥିରେ ପ୍ରଥମ ବ୍ୟାଟିଂ କରି ପ୍ରଥମ ପାଳିରେ ଭାରତ ୪୭୧ ରନ୍ କରିଥିଲେ । ଯେଉଁଥିରେ ଯଶସ୍ୱୀ ଜୈସ୍ୱାଲ୍, ଶୁବମନ ଗିଲ୍, ରିଷଭ ଗିଲ୍ ଶତକ ହାସଲ କରିଥିଲେ । ଜବାବରେ ଇଂଲଣ୍ଡ ମଧ୍ୟ ପ୍ରଥମ ଇନିଂସରେ ଜବରଦସ୍ତ ବ୍ୟାଟିଂ କରିଛି । ହେଲେ ଇଂଲଣ୍ଡ ପାଇଁ କାଳ ସାଜିଛନ୍ତି ବୁମ୍ରା । ପ୍ରଥମ ପାଳିରେ ଇଂଲଣ୍ଡର ୩ଟି ଓ୍ୱିକେଟ୍ ପତନ ହୋଇଛି । ଆଉ ସମସ୍ତ ଓ୍ୱିକେଟ୍ ବୁମ୍ରା ହିଁ ନେଇଛନ୍ତି ।