LIVE TV
LIVE TV

ଆଦିଆଲା ଜେଲ୍ ପାକିସ୍ତାନର ସବୁଠୁ କୁଖ୍ୟାତ ଜେଲ, ଜାଣନ୍ତୁ କାହିଁକି?

NEWS7
japans-shigeru-ishiba-is-set-to-become-prime-minister

ରଓଲପିଣ୍ଡି ୩।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୀର୍ଘ ସମୟ ହେଲା ଜେଲରେ ବନ୍ଦୀ ଅଛନ୍ତି। ଗତ ଦିନରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିବାର ମଧ୍ୟ ପ୍ରଚାର ହୋଇଥିଲା। ହେଲେ ଏବେ ତାଙ୍କ ପରିବାର ସେ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି। କିନ୍ତୁ ଜେଲରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା କହିଛନ୍ତି। ଇମ୍ରାନ ଖାନ ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି, ଯାହାକୁ ଦେଶର ସବୁଠୁ କୁଖ୍ୟାତ ଜେଲ ବୋଲି କୁହାଯାଏ। ଏହି ଜେଲକୁ ନେଇ ଯେଉଁ ସବୁ ସୂଚନା ସାମ୍ନାକୁ ଆସୁଛି ତାହା ବାସ୍ତବିକ୍ ଆଶ୍ଚର୍ଯ୍ୟ କରିବା ଭଳି। ତେବେ ଆସନ୍ତୁ ଜାଣିବା ଏହି ଜେଲରେ କୈଦୀଙ୍କ ସହ ହୁଏ କ’ଣ?

ଆଦିଆଲା ଜେଲକୁ ନେଇ ପାକିସ୍ତାନୀ ସମ୍ବାଦପତ୍ର ‘ଡନ’ରେ ଏକ ଚମକାଇବା ଭଳି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଜେଲରେ ଖାଦ୍ୟ ପ୍ରସ୍ତୁତି ନିମନ୍ତେ କୁକିଂ ଅଏଲ ବଦଳେ ଗାଡି଼ର ପୋଡା ଡିଜେଲ ବ୍ୟବହାର କରାଯାଏ। ଖାସ କରି ମାଂସ ରାନ୍ଧିବା ପାଇଁ ଏହି ତେଲ ବ୍ୟବହାର ହୁଏ। ଏ ନେଇ ଅନେକବାର ଅଭିଯୋଗ ମଧ୍ୟ ହେଲାଣି, କୈଦୀମାନେ ଖାଦ୍ୟରୁ ଡିଜେଲ ଗନ୍ଧ ଆସୁଥିବା ଅଭିଯୋଗ କରିଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବନ୍ଦୀ ଥିବା ଜେଲକୁ ନେଇ ଆସୁଥିବା ଏପରି ଖବର ବାସ୍ତବିକ ଚିନ୍ତାଜନକ।

ତେବେ ଜାଣି ରଖନ୍ତୁ ପାକିସ୍ତାନର ଆଦିଆଲା ଜେଲ କୌଣସି ସାଧାରଣ ଜେଲ ନୁହେଁ ଏଠାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ବନ୍ଦୀ ଅଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲ୍ଲୀ ଭୁଟ୍ଟୋଙ୍କୁ ଏହି ଜେଲରେ ଫାଶୀ ଦିଆଯାଇଥିଲା। ରାଓଲପିଣ୍ଡି କୋର୍ଟରୁ ମାତ୍ର ୧୩ କିଲୋମିଟର ଦୂରରେ ଅବସ୍ଥିତ ଆଦିଆଲା ଜେଲ ୧୦୦ ଏକର ଜମି ଉପରେ ନିର୍ମିତ। ଏଠାରେ କୈଦୀଙ୍କ ସହ ହେଉଥିବା ଅତ୍ୟାଚାରର ଅନେକ କାହାଣୀ ବିଭିନ୍ନ ସମୟରେ ସମ୍ବାଦପତ୍ରରେ ରିତିମତ ପ୍ରକାଶିତ ହୋଇଥାଏ। ଏଣୁ ଏହାକୁ ପାକିସ୍ତାନର ସବୁଠୁ କୁଖ୍ୟାତ ଜେଲ ବୋଲି କୁହାଯାଏ। ଅନ୍ୟପଟେ ପାକିସ୍ତାନର ଏହା ସବୁଠୁ ସୁରକ୍ଷିତ ଜେଲ ଓ ଏହାକୁ ରାଓଲପିଣ୍ଡି ଜିଲ୍ଲା ଜେଲ ମଧ୍ୟ କୁହାଯାଏ।

ଏହି ଜେଲକୁ ତତ୍କାଳୀ ଏକଛତ୍ରବାଦୀ ଜିୟା-ଉଲ-ହକ୍ ୧୯୮୮ ମସିହାରେ ଭୁଟ୍ଟୋଙ୍କ ଫାଶୀ ପରେ ଭାଙ୍ଗି ଦେଇଥିଲେ। ତେବେ ପରେ ଜେଲକୁ ପୁଣି କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ତାଙ୍କ ଝିଅ ମରିୟମ ନୱାଜ, ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁପ ରଜା ଗିଲାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଆବାସୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ସୁଜାତ ହୁସୈନ ଓ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ଭଳି ନେତା ବନ୍ଦୀ ରହିଛନ୍ତି। ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଜକିଉର ରହେମାନ ଲଖବୀ ମଧ୍ୟ ଏଠାରେ ବନ୍ଦୀ ଥିଲା। ଏହି ଜେଲରେ ୧,୯୦୦ ବନ୍ଦୀଙ୍କୁ ରଖାଯିବାର ବ୍ୟବସ୍ଥା ଅଛି, ହେଲେ ଜେଲରେ ୬ହଜାରରୁ ଅଧିକ ବନ୍ଦୀ ରହୁଛନ୍ତି।