ନୂଆଦିଲ୍ଲୀ: ନୂଆ ନୂଆ ବାହାଘର। ମିଠା ମିଠା ସ୍ୱପ୍ନକୁ ସାଉଁଟିବାର ଇଚ୍ଛା ମନରେ। ମଥାରେ ଝଟକୁଛି ନାଲି ସିନ୍ଦୁର। ହାତରୁ ଲିଭିନି ମେହେନ୍ଦୀ... ପାଦରୁ ଛାଡ଼ିନି ଅଳତା। ଆଖିରେ ଆଖିଏ ଲୁହ କିନ୍ତୁ ମନରେ କୋହ। ହାତ ଗଣ୍ଠି ପଡ଼ିବାର ୭ଦିନ ବି ପୂରିନି...ଯେଉଁ ସିନ୍ଦୂରକୁ ସେ ମଥାରେ ପିନ୍ଧିଛନ୍ତି। ସେହି ସିନ୍ଦୂରକୁ ଏବେ ପଠାଉଛନ୍ତି ଦେଶର ସୁରକ୍ଷା ପାଇଁ। ଏଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଯିବ ନିଶ୍ଚୟ। କିନ୍ତୁ ଏକଥା ବି ନ କହି ରହି ହେବନି ବୀର ଯବାନଙ୍କ ନବବଧୂ ଓ ପୂରା ପରିବାରକୁ ସଲାମ୍।
ପହଲଗାମ୍ ଆତଙ୍କୀ ଆକ୍ରମଣର ବଦଲା ନେଉଛି ଭାରତ। ‘ଅପରେସନ୍ ସିନ୍ଦୁର’ ପ୍ରହାରରେ ପାକିସ୍ତାନ ଘାଇଲା। ପାକିସ୍ତାନର ସବୁ ମିସାଇଲ୍ ଫେଲ୍ , ସବୁ ପ୍ଲାନ୍ ଭଣ୍ଡୁର। ଭାରତୀୟ ସେନା ପାକିସ୍ତାନକୁ ପାଣି ପିଆଇ ଦେଇଛି। ଶନିବାର ସକାଳୁ 6ଟି ଏୟାର ବେସ୍ ଉପରେ କରିଥିଲା ଆଟାକ୍। ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ମଧ୍ୟ ଧ୍ୱଂଶ କରିଥିଲା। ଏବେ ବିଳବଳୋଉଛି ପାକିସ୍ତାନ, କଣ କରିବ କଣ ନାହିଁ...ଏମିତିରେ ଭରତୀୟ ସେନା ପ୍ରସ୍ତୁତ... ଅସ୍ତ୍ରଶସ୍ତ୍ର ବି ପ୍ରସ୍ତୁତ। ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଅଫିସରଙ୍କ ଛୁଟି ବାତିଲ୍। ଏସବୁ ଆକ୍ରମଣ ପ୍ରତି ଆକ୍ରମଣ ଭିତରେ କୌଣସି କାରଣରୁ ଛୁଟିରେ ଯବାନଙ୍କୁ ଡକରା ଆସିଛି। କାହିଁକିନା ବ୍ୟକ୍ତିଗତ ଜୀବନ ଅପେକ୍ଷା ଜାତୀୟ କର୍ତ୍ତବ୍ୟ ଓ ଦେଶ ସୁରକ୍ଷା ସବୁଠୁ ଉର୍ଦ୍ଧ୍ୱରେ। ଏହା ଏଠି ପୁଣି ଥରେ ପ୍ରମାଣିତ ହୋଇଛି। ଜାଲଗାଓଁର ପାଚୋରା ତାଲୁକାରେ ଥିବା ପୁନାଗାଓଁର ବାସୀନ୍ଦା ଯବାନ୍ ମନୋଜ ଦୀନେଶ୍ୱର ପାଟିଲ । ଭାରତୀୟ ସେନାର ଜଣେ ସୈ ନିକ। ଛୁଟିରେ ଥିବାବେଳେ ତାଙ୍କୁ ଡାକରା ଆସିଛି। ସେ ବି ବାହାରିଛନ୍ତି ଦେଶକୁ ସୁରକ୍ଷା ଦେବାକୁ।
ବଡ଼କଥା ହେଉଛି ସୋମବାର, ମଇ ୨ରେ ବିବାହ କରିଥିଲେ ମନୋଜ । କିନ୍ତୁ ମଙ୍ଗଳବାର ଦିନ ଯୁଦ୍ଧ ଭଳି ପରିସ୍ଥିତିରେ ସେ ତୁରନ୍ତ ମୁଖ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ପାଇଲେ। ନିର୍ଦ୍ଦେଶ ଆସିବା ମାତ୍ରେ ସେ ଗୁରୁବାର, ୮ମେରେ ଦେଶ ପାଇଁ ବାହାରିଥିଲେ ରଣ କ୍ଷେତ୍ରକୁ। ନୂଆ କରି ସଂସାର ଆରମ୍ଭ କରିଥିବା ମନୋଜଙ୍କୁ ପତ୍ନୀ ଓ ପୂରା ପରିବାର ଷ୍ଟେସନକୁ ବିଦାୟୀ ଦେବାକୁ ଆସିଥିଲେ। ବାପା ମା ଙ୍କର ସେ ବୁକୁ ଫଟା କାନ୍ଦକୁ ଏବେ ଏବେ ବାହା ହୋଇ ଶାଶୂଘରକୁ ଆସିଥିବା ପତ୍ନୀ ଅକୁହା ଲୁହ । ନିଜର ସବୁ ସ୍ୱପ୍ନକୁ ଭୁଲି ସ୍ୱାମୀକୁ ଦେଶ ପାଇଁ ଲଢିବାକୁ ପଠେଇଥିଲେ। ପାଚୋରା ରେଳ ଷ୍ଟେସନରେ ବିଦାୟ ଦେବା ସମୟରେ ପତ୍ନୀ ୟାମିନୀ ପାଟିଲ କହିଥିଲେ, ମୁଁ ଦେଶର ସୁରକ୍ଷା ପାଇଁ ମୋ ସିନ୍ଦୁର ପଠାଉଛନ୍ତି।
ନିହାତି ଭାବେ ୟାମିନୀଙ୍କର ଏହି କେଇ ପଦ କଥା ଅନେକ ମହିଳା ଓ ଭାରତୀୟଙ୍କୁ ପ୍ରେରଣା ଦେବ। କେବଳ ଏତିକି ନୁହେଁ ପହଲଗାମ୍ ‘ସିନ୍ଦୂର’ର ବଦଲା ନେବାକୁ ସବୁ ‘ସିନ୍ଦୂର’ ଏବେ ପୂରା ପ୍ରସ୍ତୁତ।