ମକର ସଂକ୍ରାନ୍ତି ଠାରୁ ବଢି ଚାଲିଛି ସୂର୍ଯ୍ୟଙ୍କ ତେଜ, ଆଗକୁ ଆହୁରି ଖରା

NEWS7
jaishankar-to-visit-china-to-co-chair-2nd-hlm-meet-amid-tensions

ଭୁବନେଶ୍ଵର: ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ ତେଜ ବଢ଼ିଛି। ଆଗକୁ ଆହୁରି ଖରା ହେବ। ଗ୍ରୀଷ୍ମ ଆସିବା ପୂର୍ବରୁ ବସନ୍ତରେ କାହିଁକି ଏମିତି ଖରାର ତେଜ ବଢୁଛି ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି। ସରକାରୀ ରିପୋର୍ଟ ବି ସେମିତି କିଛି ତଥ୍ୟ ଦର୍ଶାଉଛି। ୧୯୯୧ ମସିହାରୁ ଆଜିଯାଏ ବାର୍ଷିକ ହାରାହାରି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦେଖିବା ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏହି ସ୍ପେସିଆଲ ରିପୋର୍ଟ।

ବିପଦ ସାଜିଲାଣି ବାର୍ଷିକ ହାରାହାରି ତାପମାତ୍ରା ବୃଦ୍ଧି। ୧୯୯୧ ମସିହାରୁ ବାର୍ଷିକ ହାରାହାରି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୧୯୯୧ରେ ବାର୍ଷିକ ହାରାହାରି ତାପମାତ୍ରା ୨୬ ଡିଗ୍ରୀ ଥିଲା, ସେହିଭଳି ୨୦୦୯ ବେଳକୁ ଏହା ବଢ଼ି ବଢ଼ି ୨୬.୬ ଡିଗ୍ରୀ ରେ ପହଞ୍ଚିଛି। ସେହି ବର୍ଷ ପ୍ରବଳ ଖରା ଅନୁଭୂତ ହୋଇଥିଲା। ସେହିଭଳି ୨୦୦୯ ରୁ ୨୦୨୪ ଯାଏ ବି ତାପମାତ୍ରା ଦୃତ ଗତିରେ ବଢ଼ି ଚାଲିଛି। ୨୦୨୪ରେ ବାର୍ଷିକ ହାରାହାରି ତାପମାତ୍ରା ୨୬.୮ ଡିଗ୍ରି ରେକର୍ଡ କରାଯାଇଥିଲା। ପରିବେଶବିତ୍ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି। ଖରାଦିନେ ଜଙ୍ଗଲ ନିଆଁ, ଲମ୍ବା ଗ୍ରୀଷ୍ମ ଲହରୀ, କମ୍ ପରିମାଣ କିମ୍ବା ଅନିମୀୟତା ବର୍ଷା, ଯାନବାହାନ ଜନିତ ପ୍ରଦୂଷଣ, ରାସ୍ତା ଧୂଳି, ଘର ନିର୍ମାଣରୁ ବାହାରୁଥିବା ଧୂଳି, ଇଟାଭାଟି ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ କାରଣ ପାଇଁ ତାପମାତ୍ରା ବୃଦ୍ଧି ପାଉଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ପ୍ରଶ୍ନ ଉଠୁଛି ଏ ସବୁର ପ୍ରତିକାର ଲାଗି କି ପଦକ୍ଷେପ ନିଆଯାଇପାରିବ। ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହାର ଉତ୍ତର ରଖିଛନ୍ତି। ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନର ପ୍ରଭାବ ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହେଉଛି। ଯେଉଁଥିପାଇଁ ରାଜ୍ୟ ସରକାର କିଛି ପଦକ୍ଷେପ ମଧ୍ୟ ନେଉଛନ୍ତି।

୧- ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଜଳବାୟୁ ପରିବର୍ତ୍ତନ ମୁକାବିଲା ଯୋଜନା ୨୦୨୧-୨୦୩୦ କାର୍ଯ୍ୟକାରୀ କରାଯାଉଛି।

୨- ପ୍ରତିବର୍ଷ ବନୀକରଣ ଯୋଜନାରେ ବ୍ୟାପକ ବୃକ୍ଷରୋପଣ କରାଯାଉଅଛି। ବିଗତ ୫ ବର୍ଷରେ ୩୫ ହଜାର ୯୧୫ ହେକ୍ଟର ଜାଗାରେ ଗଛ ଲଗାଯାଇଛି। ୧୩୯୧.୮ ଲକ୍ଷ ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ରୋପଣ ବାଦ୍ ୧୨୭୮ ଲକ୍ଷ ଚାରା ବଣ୍ଟନ କରାଯାଇଛି।

୩- ଅଂଶୁଘାତ ପ୍ରଭାବକୁ ପ୍ରତିହତ କରିବା ପାଇଁ Heat Wave Action Plan ପ୍ରସ୍ତୁତ କରାଯାଇଅଛି । OSDMA 3 Council on Environment Energy and Water (CEEW) ର ମିଳିତ ସହଯୋଗରେ ୧୦ ଟି ପୌରାଞ୍ଚଳ ପାଇଁ Heat Wave Action Plan ପ୍ରସ୍ତୁତ କରାଯାଇଛି ଏବଂ ଆଉ ୩୧ଟି ଯୋଜନା ଚାଲିଛି I ଏବର୍ଷ ଫେବ୍ରୁଆରି ମାସରୁ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଲାଣି। ଯାହା ସୂଚନା ଦେଉଛି ସମ୍ଭବତଃ ଏବର୍ଷ ଗ୍ରୀଷ୍ମର ପ୍ରକୋପ ଅସହ୍ୟ ହେବ।