ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠ ସହର ମଧ୍ୟରେ ଇଟାଲିକୁ ପଛରେ ପକାଇଲା ଭାରତ। ଦେଶର ଜୟପୁର ସହର ପର୍ଯ୍ୟଟକଙ୍କ ଆଗମନରେ ଇଟାଲି ଲୋକପ୍ରିୟ ସହର ଫ୍ଲୋରେନ୍ସକୁ ପଛରେ ପକାଇ ଦେଇଛି। ବିଶ୍ୱସ୍ତରୀୟ ଭ୍ରମଣ ପ୍ରକାଶନ ଟ୍ରାଭେଲ୍ + ଲିଜର୍ ଦ୍ୱାରା କରାଯାଇଥିବା ବିଶ୍ୱର ଶ୍ରେଷ୍ଠ ପୁରସ୍କାର ୨୦୨୫ ସର୍ଭେରେ ରାଜସ୍ଥାନର ରାଜଧାନୀ ଜୟପୁର ଇଟାଲୀର ଫ୍ଲୋରେନ୍ସ ଠାରୁ ଆଗରେ ରହିଛି।
ଜୟପୁର ଭ୍ରମଣ, ସଂସ୍କୃତି ଏବଂ ସାମଗ୍ରିକ ପରିଦର୍ଶକ ଅଭିଜ୍ଞତା ପାଇଁ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ସହର ମଧ୍ୟରେ ସ୍ଥାନ ପାଇଛି। ଅନ୍ତର୍ଜାତୀୟ ପର୍ଯ୍ୟଟକ ଜୟପୁର ସହରକୁ ବହୁଳମାତ୍ରାରେ ଭୋଟ ଦେଇଛନ୍ତି। ଫଳରେ ଭାରତର ଏହି ସହର ଏକାଧିକ ବିକାଶିତ ଦେଶର ପ୍ରତିଷ୍ଠିତ ସହରକୁ ପଛରେ ପକାଇଛି।
ଗୋଲାପୀ ସହର ଭାବରେ ଜଣାଶୁଣା ଜୟପୁର, ଏହି ସର୍ଭେରେ ୯୧.୩୩ ସ୍କୋର ସହିତ ତାଲିକାରେ ୫ମ ସ୍ଥାନରେ ଅଛି। ଫ୍ଲୋରେନ୍ସ ୯୦.୦୮ ସ୍କୋର ସହିତ ୧୧ତମ ସ୍ଥାନରେ ଅଛି। ଟ୍ରାଭେଲ୍ + ଲେଜର୍ ଜୟପୁରକୁ ଏକ ପରିଦର୍ଶନ ପାଇଁ ଉପଯୁକ୍ତ ସ୍ଥାନ ଭାବରେ ବର୍ଣ୍ଣନା କରିଛି, ଏହାର ବିଳାସପୂର୍ଣ୍ଣ ହୋଟେଲ, ବିଶ୍ୱସ୍ତରୀୟ ସପିଂ ଏବଂ ସ୍ପନ୍ଦନଶୀଳ ସାଂସ୍କୃତିକ ଐତିହ୍ୟର ପ୍ରଶଂସା କରିଛି।
ଏହି ତାଲିକାର ଶୀର୍ଷରେ ରହିଛି ମେକ୍ସିକୋର ସାନ ମିଗୁଏଲ ଡି ଆଲେଣ୍ଡେ ସହର। ଏହି ସହର ଏହାର ଅନନ୍ୟ ସାଂସ୍କୃତିକ ପରିବେଶ ଏବଂ ସୁଲଭତା ପାଇଁ ପରିଚିତ। ପବ୍ଲିକେସନର ସର୍ଭେ ଅନୁଯାୟୀ, ଭାଟରମାନେ ଏହି ସହରର କେନ୍ଦ୍ରୀସ୍ଥଳରେ ଅବସ୍ଥିତ ସଂଗ୍ରହାଳୟ, ଉଦ୍ଭିଦ ଉଦ୍ୟାନ ଏବଂ ବୁଟିକ୍ ଦୋକାନ ଭଳି ଆକର୍ଷଣଗୁଡ଼ିକୁ ପସନ୍ଦ କରିଥିଲେ। ଅନେକ ଲୋକ ସହରର ସ୍ପନ୍ଦନଶୀଳ କଳା ଦୃଶ୍ୟ ଏବଂ ସାନ ମିଗୁଏଲ ଲେଖକ ସମ୍ମିଳନୀ ଏବଂ ସାହିତ୍ୟ ମହୋତ୍ସବ ସମେତ ଏଭଳି ବାର୍ଷିକ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ହୋଇଥିବାରୁ ଏହି ସହର ତାଲିକାରେ ଶୀର୍ଷରେ ରହିବା ଆବଶ୍ୟକ ବୋଲି ଭୋଟରମାନେ ମତ ଦେଇଥିଲେ।
ଥାଇଲ୍ୟାଣ୍ଡର ଐତିହାସିକ ଉତ୍ତର ସହର ଚିଆଙ୍ଗ ମାଇ ୯୧.୯୪ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସହର ସାଂସ୍କୃତିକ ସ୍ଥାନ, ଦୋକାନ ବଜାର, ଖାଦ୍ୟପେୟ ଏବଂ ପ୍ରକୃତିର ଅଦ୍ଭୁତ ମିଶ୍ରଣ ପାଇଁ ଜଣାଶୁଣା। ଚିଆଙ୍ଗ ମାଇର ଉତ୍କୃଷ୍ଟ ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ ଭୋଟରମାନଙ୍କ ମଧ୍ୟରେ ଏହାର ମୂଲ୍ୟାଙ୍କନ ଜାରି ରଖିବାର ଆଉ ଏକ କାରଣ।
ଟ୍ରାଭେଲ୍ + ଲିଜର୍ ରିପୋର୍ଟ ଅନୁସାରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱର ୧୦ ଶ୍ରେଷ୍ଠ ସହରଗୁଡ଼ିକ ହେଉଛି –
୧. ସାନ ମିଗୁଏଲ ଡି ଆଲେଣ୍ଡେ, ମେକ୍ସିକୋ
୨. ଚିଆଙ୍ଗ ମାଇ, ଥାଇଲ୍ୟାଣ୍ଡ
୩. ଟୋକିଓ, ଜାପାନ
୪. ବ୍ୟାଙ୍କକ, ଥାଇଲ୍ୟାଣ୍ଡ
୫. ଜୟପୁର, ଭାରତ
୬. ହୋଇ ଆନ, ଭିଏତନାମ
୭. ମେକ୍ସିକୋ ସିଟି
୮. କ୍ୟୋଟୋ, ଜାପାନ
୯. ଉବୁଦ, ବାଲି
୧୦. କୁଜକୋ, ପେରୁ