ବିହାର ବିଧାନସଭା ନିର୍ବାଚନ: ଦଶରଥ ମାଁଝୀଙ୍କ ପୁଅ ଭାଗିରଥ ହେବେ ପ୍ରାର୍ଥୀ, ଜାଣନ୍ତୁ କେଉଁ ଦଳରୁ ମିଳିବ ଟିକେଟ୍?

Published By : Prameya-News7 Bureau | July 19, 2025 IST

ପାଟନା ୧୯।୭: ବିହାର ବିଧାନସଭା ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତିକି ବଢୁଛି। ଦଳବଦଳ ଓ ଟିକେଟ୍ ପାଇଁ ଟଣା ଓଟରାର ଏହି ସମୟରେ ଚର୍ଚ୍ଚିତ ପ୍ରାର୍ଥୀଙ୍କ ନାମ ତାଲିକାରେ ଆଉ ଏକ ନୂଆ ନାଁ ଯୋଡି ହୋଇଯାଇଛି। ଏହି ନୂଆ ନାଁଟି ହେଉଛି ‘ମାଉଣ୍ଟେନ ମ୍ୟାନ’ ଦଶରଥ ମାଁଝୀଙ୍କ ପୁଅ ଭାଗିରଥ ମାଁଝୀ। ଏଥର ସେ କଂଗ୍ରେସ ଟିକେଟରେ ବୋଧଗୟା ନିର୍ବାଚନମଣ୍ଡଳିରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। 

ଭାଗିରଥ ମାଁଝୀଙ୍କ କହିବା କଥା ହେଉଛି ନିଜେ ରାହୁଲ ଗାନ୍ଧି ତାଙ୍କୁ ଟିକେଟର ଆଶ୍ୱାସନ ଦେଇଛନ୍ତି। ଭାଗିରଥଙ୍କ ଅନୁସାରେ ଗତ ମାସରେ ରାହୁଲ ଗାନ୍ଧି ଗୟା ଓ ରଜଗୀର ଗସ୍ତରେ ଥିବା କାଳରେ ସେ ଦଶରଥ ମାଁଝୀଙ୍କ ପରିବାରକୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ନିର୍ବାଚନକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଭାଗିରଥ ମାଁଝୀ ବୋଧଗୟା ଆସନରୁ ନିର୍ବାଚନ ଲଢିବାକୁ ଇଛା ପ୍ରକାଶ କରିଥିଲେ। ଭାଗିରଥ ମାଁଝୀ ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ରାହୁଲ ଗାନ୍ଧୀ ମୋ ପାର୍ଥିତ୍ୱକୁ ଗୁରୁତର ସହ ନେବା ସାଙ୍ଗକୁ ମୋର ବାୟୋଡାଟା ମଧ୍ୟ ପ୍ରସ୍ତୁତ କରାଇଥିଲେ। 

ଏହି ବାୟୋଡାଟାର ଏକ ନକଲ ଭାଗିରଥଙ୍କ ପାଖରେ ଅଛି। ରାହୁଲ ସ୍ପଷ୍ଟ ରୂପେ ପାର୍ଟିକୁ ମୋତେ ଯେପରି ଟିକେଟ ମିଳିବ ତାର ବ୍ୟବସ୍ଥା କରିବାକୁ କହିଛନ୍ତି। ତେବେ ଏଥି ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ସବୁଜ ସଂକେତ ମିଳିବାକୁ ଏବେ ବିଳମ୍ବ ଥିଲେ ବି ବାକି ପ୍ରସ୍ତୁତି ଏବେ ସରିଛି। କଂଗ୍ରେସରେ ସାମିଲ ହୋଇସାରିଥିବା ଭାଗିରଥ ମାଁଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଥରେ ମୋ ପିତାଙ୍କୁ ତାଙ୍କ ଚୌକିରେ ବସାଇ ଫଟୋ ତ ଉଠାଇଥିଲେ ହେଲେ ତା ପରଠାରୁ କେବେ ଆମ ପରିବାରର ହାଲଚାଲ ମଧ୍ୟ ପଚାରି ନାହାନ୍ତି। 

ସେହିପରି ଜିତେନରାମ ମାଁଝୀଙ୍କୁ ନେଇ ମଧ୍ୟ ସେ କଟୁ ସମାଲୋଚନା କରିଛନ୍ତି। ଭାଗୀରଥ କହିଛନ୍ତି ଯେ ଜିତେନ ରାମ ମାଁଝୀ ନିଜକୁ ଦଶରଥ ମାଁଝୀଙ୍କ ସମ୍ପର୍କୀୟ ବୋଲି କହନ୍ତି। ହେଲେ ସେ କେବଳ ନିଜ ପୁଅ, ବୋହୂ ଓ ଜ୍ୱାଇଁଙ୍କୁ ଆଗକୁ ବଢେଇବାରେ ଲାଗିଛନ୍ତି। ମୋ ପିତାଙ୍କ ଫଟୋକୁ ସବୁ ମଞ୍ଚରେ ଲଗାଉଛନ୍ତି ହେଲେ ଆମ ପରିବାରକୁ ଦୟନିୟ ଅବସ୍ଥାରେ  ଛାଡି ଦେଇଛନ୍ତି। ଆମର କେବଳ ରାଜନୈତିକ ଲାଭ ଉଠାଯାଇଛି ହେଲେ ଆମକୁ ଉପଯୁକ୍ତ ସମ୍ମାନ ମିଳି ନାହିଁ। 

ରାହୁଲ ଗାନ୍ଧି ଜୁନ ୨୦୨୪ରେ ବିହାର ଗସ୍ତ କାଳରେ ଗୟା ଜିଲ୍ଲା ଯାଇଥିଲେ। ଏଠାରେ ସେ ‘ପର୍ବତ ପୁରୁଷ’ ଦଶରଥ ମାଁଝୀଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ। ତାଙ୍କର ଏହି ଗସ୍ତକୁ ରାଜନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥିଲା। ଖାସ କରି ସେହି ସମୟରେ ଯେତେବେଳେ ବିହାରରେ କଂଗ୍ରେସ ତାର ହରାଇଥିବା ଲୋକପ୍ରିୟତାକୁ ସାଉଣ୍ଟୁଥିଲା। ରାହୁଲ ଗାନ୍ଧି ଗୟାରେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ଦଶରଥ ମାଁଝୀଙ୍କ ଗାଁ ଗହଲୌର ପହଞ୍ଚି ଭାଗିରଥ ମାଁଝୀଙ୍କୁ ଭେଟିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.