ନୂଆଦିଲ୍ଲୀ ୨୦।୭: ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେବ। ଏହା ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ତଥା ଦିଗ୍ଗଜ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସଂସଦ ଅଧିବେଶନ କାଳରେ ବିରୋଧୀ ଦଳ ସରକାରଙ୍କୁ ପହଲଗାମ ଆତଙ୍କବାଦୀ ଆକ୍ରମଣ, ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ, ମଣିପୁର ହିଂସା ଓ ନିର୍ବାଚନୀ ରାଜ୍ୟ ବିହାରରେ ଭୋଟର ତାଲିକା ପୁନରୀକ୍ଷଣ ପ୍ରସଙ୍ଗ ଉଠାଇବ।
ଜୟରାମ ରମେଶ ଏ ନେଇ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ‘ମୋଦି ସରକାରଙ୍କ ଦ୍ୱାରା ରବିବାର ଡକାଯାଇଥିବା ସର୍ବଦଳୀୟ ବୈଠକରେ ମୋ ସହଯୋଗୀ ଗୌରବ ଗୋଗୋଇ, ଯିଏ ଲୋକସଭାରେ କଂଗ୍ରେସ ଉପନେତା କଂଗ୍ରେସ ପକ୍ଷରୁ ସଂସଦରେ ଚର୍ଚ୍ଚା ନିମନ୍ତେ କେତେକ ଦାବି ଉପସ୍ଥାପନ କରିଛନ୍ତି। ଏଥିରେ ପହଲଗାମ, ଅପରେସନ ସିନ୍ଦୂର, ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ସିଡିଏସ, ଉପସେନା ମୁଖ୍ୟ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ, ଭୋଟ ବନ୍ଦୀ କାର୍ଯ୍ୟକ୍ରମ ଯେଉଁଥିରେ ବିହାର, ପଶ୍ଚିମବଙ୍ଗ, ଆସାମ ଓ ଅନ୍ୟ ରାଜ୍ୟରେ ବଡ଼ ଧାରଣର ମତାଧିକାର ଛଡାଇ ନେବା ଭଳି ପରିସ୍ଥିତି ଉପୁଜିଛି ସହିତ ନିର୍ବାଚନ ଆୟୋଗଙ୍କ ଅନ୍ୟ କାର୍ଯ୍ୟକ୍ରମ ଯାହା ଗଣତନ୍ତ୍ର ଲାଗି ବିପଦଜନକ ଆଦି ସାମିଲ ରହିଛି’।
ସେ ସଂସଦରେ ଏହି ସବୁ ବିତର୍କ ଚର୍ଚ୍ଚାରେ ନିଜେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖନ୍ତୁ ବୋଲି ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାରେ ରବିବାର ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା। ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି ଯେ ସଂସଦରେ କାର୍ଯ୍ୟ ଠିକଠାକ୍ ଚାଲୁ ସେଥି ପାଇଁ ପକ୍ଷ ଓ ବିପକ୍ଷଙ୍କୁ ମିଳିତ କାମ କରିବାକୁ ହେବ।
ରାଜନୈତିକ ଦଳମାନେ ବିଭିନ୍ନ ବିଚାରଧାରାର ହୋଇ ପାରନ୍ତି, ହେଲେ ସଂସଦକୁ ଠିକ୍ ଭାବେ ଚଳାଇବା ସମସ୍ତଙ୍କ ଦାୟିତ୍ୱ। ଏହା ସହିତ ସେ କହିଛନ୍ତି ଯେ କେନ୍ଦ୍ର ସରକାର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଉପରେ ଚର୍ଚ୍ଚା ଲାଗି ପ୍ରସ୍ତୁତ।