IndiGo Crisis: ବିମାନ ଭଡ଼ା ନିର୍ଦ୍ଧାରଣ କଲେ ସରକାର, ଜାଣନ୍ତୁ କେତେ ଦୂର ପାଇଁ କେତେ ଭଡ଼ା

NEWS7
jaganath-deadbody-found-in-boriguma

ନୂଆଦିଲ୍ଲୀ: ଇଣ୍ଡିଗୋ ସଂକଟକୁ ନେଇ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରୁଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ସଂକଟର ସାମନା କରିବା ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛି । ସରକାରଙ୍କ ପକ୍ଷରୁ ଇଣ୍ଡିଗୋକୁ ଯାତ୍ରୀଙ୍କ ଟଙ୍କା ତୁରନ୍ତ ଫେରସ୍ତ ପାଇଁ କୁହାଯାଇଛି । ଏହାସହ ସରକାର ଅନ୍ୟ ଏୟାରଲାଇନର ଭଡ଼ା ବୃଦ୍ଧି ଉପରେ ବି ଲଗାମ କସିଛନ୍ତି । ମନ୍ତ୍ରଣାଳୟ ସମସ୍ତ ପ୍ରାରମ୍ଭିକ ମାର୍ଗ ଉପରେ ସଠିକ୍ ଭଡ଼ା ସୁନିଶ୍ଚିତ କରିବା ପାଇଁ ନିଜ ରେଗୁଲେଟରୀ କ୍ଷମତାକୁ ବ୍ୟବହାର କରିଛି । ସରକାର ଏୟାରଲାଇନଗୁଡ଼ିକୁ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ନଦେବା ପାଇଁ କହିଛନ୍ତି ଓ ଭଡ଼ା ମଧ୍ୟ ସ୍ଥିର କରିଛନ୍ତି ।

ଘରୋଇ ଯାତ୍ରା ପାଇଁ ଏୟାରଲାଇନ୍ସ ଯାତ୍ରୀଙ୍କଠାରୁ ନିମ୍ନରେ ଦିଆଯାଇଥିବା ଭଡ଼ାରୁ ଅଧିକ ନେଇପାରିବେ ନାହିଁ 

  • ୫୦୦ କିଲୋମିଟର ଯାଏ ଦୂରତା: ସର୍ବାଧିକ ଭଡ଼ା ୭୫୦୦ ଟଙ୍କା
  • ୫୦୦-୧୦୦୦ କିଲୋମିଟର ଯାଏ ଦୂରତା: ସର୍ବାଧିକ ଭଡ଼ା ୧୨୦୦୦ ଟଙ୍କା
  • ୧୦୦୦-୧୫୦୦ କିଲୋମିଟର ଯାଏ ଦୂରତା: ସର୍ବାଧିକ ଭଡ଼ା ୧୫୦୦୦ ଟଙ୍କା
  • ୧୫୦୦ କିଲୋମିଟରରୁ ଅଧିକ ଦୂରତା: ସର୍ବାଧିକ ଭଡ଼ା ୧୮୦୦୦ ଟଙ୍କା

ଇଣ୍ଡିଗୋର ଉଡାଣ ରଦ୍ଦ ହେବା ପରେ ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଏହାରି ଭିତରେ ମନ୍ତ୍ରଣାଳୟ ଶନିବାର ଏୟାରଲାଇନକୁ ନିର୍ଦ୍ଦେଶ ଦେଇ ରଦ୍ଦ ହୋଇଥିବା ଉଡାଣର ଟିକେଟ ରିଫଣ୍ଡ ପ୍ରକ୍ରିୟା ରବିବାର ସଂଧ୍ୟା ସୁଦ୍ଧା ସାରିବାକୁ କହିଛନ୍ତି । ଏହା ବ୍ୟତୀତ ଯେଉଁ ଯାତ୍ରୀଙ୍କ ଯାତ୍ରା ଯୋଜନା ରଦ୍ଦ ପ୍ରଭାବିତ ହୋଇଛି, ସେମାନଙ୍କଠାରୁ ରିସିଡ୍ୟୁଲିଙ୍ଗ ଚାର୍ଜ ନିଆଯିବ ନାହିଁ ।

ମନ୍ତ୍ରଣାଳୟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ ଇଣ୍ଡିଗୋ ବାତିଲ କିମ୍ବା ବିଳମ୍ବ ହୋଇଥିବା ବିମାନରେ ଯାତ୍ରୀଙ୍କ ଲଗେଜକୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଠିକଣାରେ ପହଞ୍ଚାଇବ । ଆବଶ୍ୟକ ହେଲେ ଯାତ୍ରୀ ଅଧିକାର ନିୟମ ଅନୁଯାୟୀ କ୍ଷତିପୂରଣ ଦେବାକୁ ମଧ୍ୟ ଏହା ବାଧ୍ୟତାମୂଳକ କରିଛି ।ଯାତ୍ରୀଙ୍କ ସୁବିଧା ଏବଂ ଅଭିଯୋଗ ସମାଧାନ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ଇଣ୍ଡିଗୋକୁ ଯାତ୍ରୀ ସହାୟତା ଏବଂ ରିଫଣ୍ଡ ସୁବିଧା ସେଲ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସେଲଗୁଡ଼ିକ ପ୍ରଭାବିତ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରି ସହାୟତା ପ୍ରଦାନ କରିବେ ।